*ବସୁନ୍ଧରା( ମନୋନେଟ ଶୈଳୀ)*
ଅଟ ତୁମେ ଆଦ୍ୟା, ଯୋଗାସୀନା ଯୋଗମାୟା
କୃଷି ଆଉ କର୍ଷଣ ର ଧେନୁ କମନୀୟା
ଗ୍ରୀକ ସଭ୍ୟତାରେ ଉର୍ଜା ପିଣ୍ଡ ଦିମେତାର
ବେବିଲୋନ ର ବନ୍ଦନୀୟା ମେଜ ମଦର
ତୁମେତ ପଞ୍ଜାବ କୃଷକର ସୁନାଝିଅ
ସୃଜନ ର ସ୍ବପ୍ନ ନେଇ ରଜସ୍ଵଳା ହୁଅ।।
ବ୍ରିଟେନ ର ତୁମେ ପୂଜ୍ୟା ଜନ୍ମଦାତ୍ରୀ ‘ଦନ୍’
ଜର୍ମାନର ଭୂମିମାତା , ତୁମେତ ମହାନ
ପେରୁ ମେକ୍ସିକୋରେ ତୁମେ ”ମାମମାପାଚଚା”
ଫିନଲ୍ୟାଣ୍ଡ ଲୋକ ମୁଖେ ଜେଜେମା “ଆକକା”‘
ସଂଗ୍ରାମୀ ଶିଖ୍ ର ସାଉଦ ମାତା ଅଟ
ଇଜିପ୍ଟ ର “ଇସ” ନାମେ ହୋଇଛ ବିଖ୍ୟାତ।।
ନାନା ଗୀତ ନାଚ ସହ ‘ଖାଦି’ ଉତ୍ସବ ରେ
କନ୍ଧଝିଅ ନିଦ ଭାଙ୍ଗେ ମାଦଳ ଛନ୍ଦରେ
ପ୍ରାର୍ଥନା କରେ ତୁମକୁ ଜୁଆଙ୍ଗ କୁମାରୀ
ଡାକ ଶୁଣ ବାରେ କାନ୍ଦେ ମୁଁ ବକ୍ଷ ବିଦାରି।।
ଚାଇନା ର ‘ସିଆଙ୍ଗମୁ’ ତୁମେ ଅଟ ପରା
ଓଡିଶାର ତୁମେ ସ୍ନେହମୟୀ ବସୁନ୍ଧରା।।
*ମନୋଜ କୁମାର ପଣ୍ଡା*
*ପ୍ରତିଷ୍ଠାତା ସମ୍ପାଦକ, ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ*
*ଅଡା, ବାଲେଶ୍ଵର*