#ଅଧୀଶ୍ଵରୀ
ନିର୍ଜନ ନଦୀକୂଳ ମନ୍ଦ ସମୀର
ଗୋଧୂଳି ଗତ ନଭେ ତାରା ଆସର।
ସମ୍ମୋହିତ ମାନସ ମୁଗ୍ଧ ଅନ୍ତର
ଏ ମରୁଭୂମି ଲାଗେ ସ୍ନିଗ୍ଧ ସୁନ୍ଦର।
କେତେ ନିଦାଘ ସଞ୍ଜ ଏହି ପୁଳିନେ
ବିତିଛି ପ୍ରେୟସୀ ଗୋ ତୁମ ଗହଣେ।
ଯାହା କହିଛ ମୋତେ ଅନ୍ତର ଖୋଲି
କିପରି ଏ ଜୀବନେ ପାରିବି ଭୁଲି।
ସତେକି ସଖୀ ଭୁଲି ପାରିଛ ମୋତେ
ଏକଥା ହେଉନାହିଁ ଜମା ପରତେ।
ଏବେବି ଝୁରୁଅଛି ହୃଦୟ ମୋର
ଦୂର ଚାନ୍ଦେ ଯେସନ ଝୁରେ ଚକୋର।
ଆଜିବି ଆମ ପ୍ରେମ କୁସୁମ ଦଳ
ମଉଳି ଲୋଟି ନାହିଁ ଧରଣୀ ତଳ।
ବାନ୍ଧବୀ ଭାବେ କାର ଧରିନି କର
ତୁମେତ ଅଧୀଶ୍ଵରୀ ହୃଦ ରାଜ୍ୟର।
ମୋର କଥାକି ତୁମ ପଡଇ ମନେ
ମୋ ଛବି ଭାସେ କିବା ତୁମ ନୟନେ।
ପାହାନ୍ତି ସପନରେ ମୋତେ କି ଦେଖି
ଉଠି ବସୁଛ କ୍ଷଣେ ଶଯ୍ୟା ଉପେକ୍ଷି।
ମନୋଜ କୁମାର ପଣ୍ଡା
165 total views, 1 views today