#ଅଦୃଶ୍ୟ_ପ୍ରେମିକା
ମୁଁ ଜାଣିଛି
ତୁମେ ଆସ ନିତି
ଆବୋରି ନେବାକୁ ମୋର ତମାମ ଲୁହ
ନପୁଂସକ ସମୟରେ…..…..
ତୁମେ ଆସିଥିଲ ସେଦିନ
ଡହ ଡହ ଖରାରେ
ଆଞ୍ଜୁଳାଏ ଛାଇ ଦେବାକୁ ମୋର ନୁଖୁରା ମୁଣ୍ଡକୁ
ସ୍ବପ୍ନ ବିଭୋର ମେଘ ମାନଙ୍କ ସାଥିରେ……
ତୁମେ ଯେବେ ଆସ
ପିଞ୍ଜରାବଦ୍ଧ ପ୍ରାଣ ସନ୍ତପ୍ତା ପକ୍ଷୀବି ଶିଖିଯାଏ
ମୁକୁଳିବାର ମନ୍ତ୍ର
ଉଡିଯାଏ ଦୂର ଦିଗବଳୟକୁ ମହା ଆନନ୍ଦରେ……
ତୁମେ ଯେବେ ଆସ
ମଦନ ଉତ୍ତାପେ ମରିଥିବା କଦମ୍ବ ବି
ଯାଏ ବନରେ ନାଚି
ପ୍ରୀତିର ଗଜଲ ଗାଏ ତୁମ ପ୍ରେମରେ…….
ଏଇତ ଶୁଭିଲାଣି ବିଜୁଳି ଚମକ
ନବ ମୟୂରୀ ବି ନାଚିଲାଣି ଷଡ଼ଜ ଛନ୍ଦେ
ତୁମେ ଆସିବ ନିଶ୍ଚିତ ଭିଜାଇବାକୁ ମୋତେ
ପ୍ରୀତି ପିଆଲା ରେ ନିଜ ସମ୍ମୋହନୀ ଶକ୍ତିରେ…..
ମରୀଚିକା ସମ ଦୂରେ କିମ୍ପା ଅଛ
ତୁମ ବିନା ଚଲାପଥ ମୋର
ହେଲାଣି ମରୁବାଲି ସମ
ଝାଉଁଳା ଗୋଲାପ ଧରି ଝୁରେ ବ୍ୟାକୁଳ ଚିତ୍ତରେ …….।।
ହେ ଅଦୃଶ୍ୟ ପ୍ରେମିକା ମୋହର
ଝାଳ ଜରଜର ହେବଣି ଝିନବାସ ତୁମ
ଦାରୁଣ ନିଦାଘ ତେଜ ଲାଗି
ତୁମ ଲାଗି ଚିନ୍ତା ବଢେ ଅଧାପୋଡା ମନରେ…..
ତୁମ ବିହୁନେ କଲିଜାରେ ମୋର
ଫିମ୍ପି ଲାଗିଲାଣି , ତୁମେ କଣ ଅନୁଭବି ପାରୁନ
ଅଦୃଶ୍ୟ ରୁ ଦୃଶ୍ୟମାନ ହୁଅ ଆଡ ରୁଷା ହେଜି
ପଦ୍ମଗନ୍ଧା ସମ ପ୍ରବେଶ ମନ ଉପବନରେ……..
*ମନୋଜ କୁମାର ପଣ୍ଡା*
*ପ୍ରତିଷ୍ଠାତା , ସମ୍ପାଦକ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ*