#ଅଭିଶପ୍ତ_ରାଜପୁତ୍ର
କାଲି ଅସରାଏ ମେଘ ହୋଇ ଛାଡିଯିବା ପରେ
ବିରହ ମଣ୍ଡୁକ ମାନେ ପଞ୍ଜରା ତଳେ
ଝିଙ୍ଗାସନ୍ତି ମୋତେ ଦାନ୍ତ ନିକୁଟାଇ…….
ତୁମ ଛାତିର କୋଣାର୍କ ରେ
କିଆଁ କରିଥିଲି ଧରମା ହେବାର ଅପଚେଷ୍ଟା
ହୃଦୟସାଗରେ ପୁଣି ପ୍ରୀତିର ଡ଼ଙ୍ଗା ବାହିବାକୁ….
ହେଲେ ମୁଁ କଣ ଜାଣିଥିଲି ଏତେ କଥା
ଏ ‘ବର୍ଷା’ ବର୍ଷା ନଥିଲା ଥିଲା ଯାହା ପ୍ରତାରଣା
ଯିଏ ଭସାଇ ନେବାକୁ ଜାଗ୍ରତ ସବୁ ସ୍ମୃତିର ପକ୍ୱ ଫସଲ….
ମୋର ତ ଝରାଶେଫାଳି ପରି ଆୟୁଷ
ଜୀଵନ ପରିଧିରେ ବ୍ୟସାର୍ଦ୍ଧ କେତେ ଜାଣିବାକୁ
କରୁଅଛି ବୃଥା ପ୍ରୟାସ……
ମୋତେ ଠିକ ଜଣା ଅଛି
ସ୍ବପ୍ନ ର ଗୋଧୂଳି ଅବସର ନେବା ପରେ
ଆତ୍ମାପୁଷ୍ପ ଗଳି ପଡିବ ଦେହ ବୃନ୍ତରୁ….
ପ୍ରୀତି ଚାଷ ପାଇଁ ଭାରି ଅମଙ୍ଗ ମୁଁ
ବିଲବାଡ଼ି ସବୁ ନୁଖୁରା
ଧୂଳିସାତ ମୋର ଆକାଂକ୍ଷିତ ସ୍ବପ୍ନ ମହଲ….
ଏବେଳେ ତୁମେ କିଆଁ ଧାଉଁ ଅଛ
ଛଦ୍ମବେଶୀ ଭାବନାରେ
ଅତିଷ୍ଠ ଏକାନ୍ତ ତାଡ଼ନାରେ ….
ପିଇବାକୁ ଅବା ପିଆଇବାକୁ ପ୍ରତାରଣା ର ଜହର
ଝୁଲିବାକୁ ଅବା ଝୁଲାଇବାକୁ ବୁଢା ବରଗଛ ଉହଳରେ
ଟାଣିଦେଇ କାନ୍ତିହୀନ ଯବନିକା…….।
ତୁମେ କିଆଁ ବୁଝିବା କୁ ନାରାଜ
ମୁଁ ଏକ ଅଭିଶପ୍ତ ରାଜପୁତ୍ର
ବନ୍ଦୀ ଏବେ ଭିଟାମାଟି ଆଭିଜାତ୍ୟର ସେହି ଅମୁହାଁ ଘରେ……।
ତୁମେ ଗୋଟିଏ ଜାଣିରଖ, ତୁମେ ଯଦି ମୋତେ ବରିବ
ନିମିଷକେ ପାଲଟି ଯିବ ପଦ୍ମଗନ୍ଧା ରୁ ପୂତିଗନ୍ଧା
ତୁମେ ଭାବିନିଅ ମୋତେ ମୁଁ ଥିଲି ତୁମପାଇଁ
ଆଦିମ ଅନ୍ଧାରର ନାରକୀୟ ଦୁଃସ୍ବପ୍ନଟେ…..।।
*ମନୋଜ କୁମାର ପଣ୍ଡା*
*ପ୍ରତିଷ୍ଠାତା ଓ ମୁଖ୍ୟ ସଚିବ , ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ*
*ଅଡା, ବାଲେଶ୍ଵର*