#ମାୟାବିନୀ!
କାହା ଉଷ୍ମ ପରଶରେ
ନିର୍ଜନ ରାତିରେ ନିଦ ଭାଙ୍ଗେ
ମୋର ଘନ ଘନ….
କାହାକୁ ସ୍ମରଇ
ହୃଦେ ମୁଁ ନିରନ୍ତର
କାହାକୁ ପୁଣି ବାଉଳା ରେ କରେ ଆଲିଙ୍ଗନ…
କାହାକୁ ଭୁଲିବାକୁ ଯାଇ
କରେ ଉପଚାର ବହୁପ୍ରକାର
କାହାପାଇଁ ନିରବେ କାଟଇ ଜୀଵନ….
କାହା ଭାବନାରେ ମୃତପ୍ରାଣୀ ସମ
ପଡିରହେ ବିଛଣାରେ
ନ ଆସିବା ଯାଏଁ ତପନ…..
କାହାପାଇଁ ମୋର ବାକ୍ ଚାତୁରୀ
ପ୍ରଶସ୍ତି ଯାଏ ପାଣ୍ଡୁଲିପି ର ସଫେଦ ତୋରଣ କୁ
କରିବାକୁ କିଛି ଉପସ୍ଥାପନ…
କାହାପାଇଁ ପୁଣି
ମୋ ହୃଦୟ କୁ କରାଯାଏ ବ୍ୟବଚ୍ଛେଦ ବହୁବାର
ଆକସ୍ମିକ ପରିସ୍ଥିତି ବିଖଣ୍ଡିତ ଜୀଵନ….
କିଏ ତୁମେ ବିରଳ ପ୍ରାଣୀ
ଅନ୍ୟମନସ୍କତାରେ ହାରିବାକୁ ପଡିପାରେ ଯାହାପାଇଁ
ଈଶ୍ୱର ପ୍ରଦତ୍ତ ମୂଲ୍ୟବାନ ଜୀଵନ……
କାହାପାଇଁ ଆତ୍ମାପକ୍ଷୀ ମୋର
ଗଜଲ ତୋଳଇ ଅଭିସାରିକା ସାଥେ
ସିଝାଇବାକୁ ଅନ୍ଧାରି ନିଆଁରେ ଦେହ କୁଞ୍ଜବନ…..
କାହାପାଇଁ କଳ୍ପନା ର ଚମ୍ପାବନେ
ନାଗଫେଣି ଝାଡେ ପାପୁଲିଏ ଅହଂକାର
ପୁଣି ଉଇଁ ଆସେ ଆଶାର ଦ୍ଵିତୀୟା ଜହ୍ନ…..
କିଏ ତୁମେ ସ୍ଖଳିତ ଅଙ୍ଗୀ ମାୟାବିନୀ ଦୁଃଖ ପ୍ରଦାତ୍ରୀ
ସାମ୍ନାରେ ପ୍ରକଟ ହୁଅ ପ୍ରକଟ
ପରିତ୍ୟାଗ କରି ତୁମ ସବୁ ନିଷ୍ଠୁରପଣ……
*ମନୋଜ କୁମାର ପଣ୍ଡା*
*ପ୍ରତିଷ୍ଠାତା ଏବଂ ମୁଖ୍ୟ ସଚିବ ,ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ*
*ଅଡା, ବାଲେଶ୍ଵର*