#ପ୍ରାୟଶ୍ଚିତ

ରାତିଟା ଶୂନଶାନ୍ ଥିଲା, ନିସ୍ତବ୍ଧ ଥିଲା..
ହେଲେ ମୁଁ ଏକା ନଥିଲି,
ମୋ ସହଥିଲେ ମୋ ପାପମାନେ
ମତେ ଡରେଇଲେ, ହଁ ମତେ ଘେରିଗଲେ
ତଥାପି ମୁଁ ଚିତ୍କାର କଲିନି,କାଳେ କିଏ ଶୁଣିଦବ !!

ଅନୁନୟ ହେଲି ,ବିନତି କଲି, କାନ୍ଦିଲି
କହିଲି ମତେ ଛାଡିଦିଅ…।
ଜାଣିଥିଲି,ସେମାନେ ମତେ ଛାଡ଼ିବେନି ।
ଏତେ ସହଜରେ କିଏ ବା କାହିଁ ଶୁଣନ୍ତା ..!!
କେବଳ,ସକାଳ ହେବାକୁ ଅନେଇଥିଲି….।

ସେତକ ବି ହେଲା, କାଳିମା ହଟିଲା
ଆଉ ମୁଁ ଧାଇଁଲି ଆଲୁଅର ଆଶାରେ ।
ହଁ, ସେ ମହୋଦଧି ତୀରେ…।
ହାତମୁଠା କଲି, ବୁଡ଼ଟାଏ ଦେଲି,
କହିଲି ସବୁ ଧୋଇନିଅ, ମତେ ମୁକ୍ତିଦିଅ ।

ପରେ ତିନିବୁଡ଼, ତାପରେ ସାତବୁଡ଼…
ଏମିତି ଚାଲିଥିଲା ଦିନଯାକ ।
ଦୟାପାଇ ସେ ଜୁଆର ଆଉ ଭଟ୍ଟାମାନେ
କ୍ଷଣିଏ ଅଟକିଲେ, ହସିଦେଇ କହିଲେ
ଅନୁତାପ ନିଆଁରେ ଭଲରେ ଜଳିଯାଅ ।

ରଡ଼ନିଆଁ ପାଲଟିଯାଅ,ସେବେ ପୁଣି ଆସିବ ।
ଏ ପ୍ରାୟଶ୍ଚିତ କ’ଣ ଏତେ ସହଜ….!!!
ସ୍ମିତହାସ୍ୟ ସହ ଫେରିଲେ ତାଙ୍କ ରାସ୍ତାରେ,
ମୁଁ ଆଉ ମୋ ଅସହାୟତାକୁ ଛାଡିଦେଇ
ହଁ,ସେଇ ପ୍ରଶସ୍ଥ ବେଳାଭୂମିରେ ।
ଆଶା ଓ ଆଶଙ୍କା ସାଥିରେ ।

ବିଜୟଲକ୍ଷ୍ମୀ ସାମନ୍ତରାୟ
ନୟାଗଡ଼, ଓଡିଶା

 738 total views,  2 views today

Leave a Reply

Your email address will not be published. Required fields are marked *