**ତୋଫା ଜହ୍ନ**
•••••••••••••••
।।ଜାନକୀ ମହାନ୍ତ।। ••••••••••••••••••••••
ନୀଳ ଅମ୍ବରର
ତୋଫା ଜହ୍ନ ମୋର
କେମନ୍ତେ ଅଛ ହେ ସାଥି?
ନୀଳ ସରସୀର
କୁମୁଦିନୀ ନୀଳ,
ପ୍ରତୀକ୍ଷା କରେ ମୁଁ ନିତି।।
ଆଶ୍ୱିନ ପ୍ରଭାତେ
ଶିଶିର ବିଧୌତେ
ଶୀତ ପହିଲି ପରଶେ,
ମୁଁ ଯେ ଆହ୍ଲାଦିତା
ପ୍ରୀତି ମଧୁମିତା
ତୁମ ଭାବରେ ହରଷେ ।।
ଜୁଡୁବୁଡୁ ଓଦା
ତୁମ ସ୍ମୃତି ଛନ୍ଦା
ମତୁଆଲା ପ୍ରେମ ନିଶା,
ଜହ୍ନ ରାଇଜରେ
ନୀଳ ତାରାମେଳେ
ହରାଇ ଦିଅ ହେ ଦିଶା।।
ତୁମ ଦେହ ଛୁଇଁ
ମିଠା ବାସ୍ନା ନେଇ
ଆସେ ଯେ ମଳୟ ବହି,
ହୃଦେ ଶିହରଣ
ଶରୀରେ କମ୍ପନ
ମନ ଉଚ୍ଛନ୍ନ ହୁଅଇ।।
ଖୋଜି ନୀଳ ଜହ୍ନ
ହୁଏ ଆନମନା
ମୋର ଅମାନିଆ ମନ,
ଅନ୍ତିମ ନିଃଶ୍ୱାସ
ଯାଏଁ ଯେ ରଖିଣ
ହୃଦେ ପୂଜୁଥିବି ଜହ୍ନ ।।
**********
ଜାନକୀ ମହାନ୍ତ
391 total views, 1 views today