#ଅନ୍ଧାରର_ବିଳାପ…
****************
ମୋର ସେ ଦୀର୍ଘତମ ଅପେକ୍ଷା ତୁମ ଲାଗି
ପୁରୁଣା ଠିକଣାର ବୁଢ଼ାବଳଙ୍ଗ କୁଳ ଗାଁ ରେ,
ହାୟ…କେତେ ଲମ୍ବା ନ’ଥିଲା ସତରେ…
ଯାହା ପ୍ରକାରାନ୍ତରେ ଯାଚିଦେଲା ମୋତେ
ମୃତ୍ୟୁ ରୂପକ ଆଲିଙ୍ଗନର ଅନନ୍ୟ ପୂର୍ଣ୍ଣତା
ମୁକ୍ତିର ଚିରାଚରିତ ପୁଣ୍ୟତୀର୍ଥର ଧାରେ…
ବେଳ ତ କେବେ ଠାରୁ ଉଛୁର ହେଲାଣି
ସବୁ ଅସ୍ତିତ୍ୱର ସ୍ମୃତି ଚିହ୍ନ ବି ଲିଭି ଆସିଲାଣି
ଏବେ କିଆଁ ଖୋଜୁଛ ଗୋ ମୋତେ ସେଇଠି
ମୁଁ ପରା ଆଉ ରହୁନାହିଁ ପୂର୍ବ ଠିକଣାରେ..!
ଏବେ ତୁମେ ମୋ ପ୍ରେମ ବନ୍ଧନରୁ ମୁକ୍ତ
ହସ ଏଥର…ହସିଦିଅ କୁଳୁକୁଳୁ ମୁକ୍ତ ଝରଣା ପରି
ଖିଲିଖିଲି ସ୍ୱଚ୍ଛନ୍ଦତାର ହସ…
ଯେଉଁ ହସ ଟିକେ ଦେଖିବାକୁ ବରିଛି ମୁଁ ଏଇ ମୁକ୍ତିପଥ ।
କୁହ ତୁମ ଆଖିରେ ଆଜି କାହିଁକି ଜୁଆରର ସ୍ପର୍ଶ..?
ମଖମଲି ଚିବୁକ ତୁମର କିଆଁ ଦିଶୁଅଛି ଆର୍ଦ୍ର ..??
ତୁମ ମୁହଁରେ ଦିଶୁଅଛି ସ୍ପଷ୍ଟ ହତାଶା ଭାବର ବିକଳ କରୁଣତା…
ତୁମ ଗୁମସୁମ ଓଠରେ ଆଜି ମୋତେ ଶୁଭୁଛି ଅକୁହା କଳରବ
ଛଳଛଳ ଆଖିରେ ଏଣେ ତେଣେ ଦୃଷ୍ଟିପାତ ତୁମ
ମୋତେ କିଏ ଫୁସଫୁସ କରି କାନରେ କହୁଛି
ତୁମେ ମୋର ନୂତନ ଠିକଣା ଖୋଜୁଛ..!
ଟିକିଏ କାନେଇବାକୁ ଚେଷ୍ଟା କର… ଶୁଣିପାରିବ…
ପବନରେ ଭାସୁଛି ନୂତନ ଠିକଣା ଟି ମୋର…
——- ମହାମୁକ୍ତିର ପୁଣ୍ୟତୋୟା କୂଳ,,
ତ୍ରିବେଣୀ ମୁକୁନ୍ଦଦେବ ଘାଟ,,
ପାଖ
ସୁଦୃଶ୍ୟ ବିଶାଳ ବରଗଛର ଝଙ୍କା ଡାଳ…//
ସେଠି ବଞ୍ଚୁଥିଲି ପ୍ରେମର ଆଶାରେ ଚିରକାଳର ବିରହ ;
ଏଠି ସବୁ କିଛିର ବିରହ ପରେ ବି
ନାହିଁ ମୋତେ ଆଉ ଦୁଃଖ, ଶୋକ, ଭୋକ କି ଶୋଷ ;
ଏ ନୂତନ ଠିକଣାରେ ବଞ୍ଚୁଅଛି ମୁଁ ଜୀବନଟିଏ
ଏକ ବିଚିତ୍ର ପ୍ରେମର ନାହିଁ ଯହିଁ କିଛି ଅବଶୋଷ…।
“‘ମାୟାଧର”‘ ତୁମ କବିତାର କଥା ଆଜି ମନେପଡ଼େ ମୋର…
” ‘ ଯାଇଛନ୍ତି ସେ ସମୟ,ସେ ବନ୍ଧୁ ବାନ୍ଧବୀ ;
ପ୍ରଣୟର ଅର୍ଥ ଆଜି ଭିନ୍ନ ମୋ ନୟନେ,
ଭିନ୍ନ ଯଜ୍ଞ ନିୟୋଜିତ ଆଜି ଅଶ୍ରୁ-ହବି… ‘ ”
ତଥାପି, ଆଖିରେ ମୋର ଅଭ୍ୟାସବତ ଦୁଇ ଟୋପା ଅଶ୍ରୁ
ଏବେ ପୁଣି କେଜାଣି କାହିଁକି ଜାଣିନାହିଁ..!
ହସ, ଦୁଃଖ, ପ୍ରାପ୍ତି, ଅପ୍ରାପ୍ତି ଆଜି କେଡ଼େ ଭିତ୍ତିହୀନ ସତେ;;
ଅବଶ୍ୟ, ସେ ଅଶ୍ରୁକୁ ବହୁଥିବାର ତୁମେ ଆଉ ଦେଖିପାରିବ ନାହିଁ
ସେ ପଞ୍ଚଭୂତର ଘଟ ପରା ପୂର୍ବବତ୍ ଆଉ ମୋ ପାଖରେ ନାହିଁ..!
ମୁଣ୍ଡ ପରେ ମୋର ଅନ୍ଧାରୀ ଆକାଶ ;
ଚିକ୍ ମିକ୍ ଜ୍ୟୋସ୍ନା ପିନ୍ଧା ମେଘ ମାଳମାଳ ;
ସେ ମେଘଙ୍କ ହାତରେ ଦିଶୁଛି, ବିରହୀ ଯକ୍ଷ ପଠେଇଥିବା ପ୍ରେମ ବିରହର ଅସଂଖ୍ୟ ଚିଠି…।
ମୋର ଆଜି ମନେପଡୁଛି ,
ତୁମେ ପାଶୋରି ଦେଇଥିବା ପ୍ରଣୟ ଓ ପ୍ରତିଶୃତି ସବୁକୁ
ମନେ ପକାଇ,, ତୁମ ପାଖକୁ ପଠେଇ ପାରିନ’ଥିବା
ଅସଂଖ୍ୟ ଚିଠି ସବୁ
ଏବେ ବି ମୋ ବହି ଥାକରେ ରହିଯାଇଛି..!
ହେ ପ୍ରିୟା… କିନ୍ତୁ କେଜାଣି କାହିଁ
ଆଜି ଆଉ ହୃଦୟରେ ମୋର କିଛି ଅନୁଶୋଚନା ଆସୁନାହିଁ ।
ସତରେ ବାରମ୍ବାର ମରିଥିବା ପ୍ରେମିକ
ନିଆଁରେ ଜଳିଗଲା ପରେ ଯେଉଁ ପାଉଁଶ ଉତୁରେ
ସେ ପାଉଁଶରେ ବି ଅହରହ ଜଳୁଥାଏ କୋହଦାହର ନିଆଁ…
ସତରେ ଆର୍ଯ୍ୟଦାସ୍ ତୁମେ ଠିକ୍ କହିଥିଲ
ସ୍ମୃତି…ତୁମେ ପାଉଁଶ ତଳର ନିଆଁ…//
ତୁମ ମନରେ ଆଜି ହଠାତ ମୋ ଲାଗି ଭାବାନ୍ତର
ସେ ଲାଗି ମୋ ଆଖିରେ ଆଜି କେତେ ଦିନରୁ ନିଶ୍ଚିହ୍ନ ଥିବା
ସ୍ନେହ ବନ୍ଧନର ଶେଷ ଅଶ୍ରୁ… ଯାହା ଶୁଖୁନାହିଁ କି ଲିଭୁନାହିଁ…
ଲିଭାଇବାକୁ ଲୋଡ଼ା ଅଙ୍ଗ ଅବୟବଟେ
ହେଲେ ଘଟ ମୋର କାହିଁ… ଘଟ ମୋର କାହିଁ ।
ହଁ…ଏବେ ଅଦରକାରୀ ସେ ଅଶ୍ରୁକୁ ଜଳରେ ଧୋଇଦେବି…
ଲମ୍ପ ଦେଲି ବରଗଛ ଡାଳରୁ ପୁଣ୍ୟତୋୟା ଗର୍ଭକୁ…
ଲମ୍ଫ ତ ନୁହେଁ ଯେମିତି ପବନରେ ମୋର ଅବତରଣ
ଓଃ ମୁଁ ପରା ମରିସାରିଛି..!!!
ହାୟ… ତଥାପି ସେ ଦୁଇ ବୁନ୍ଦା ଲୁହ କାହିଁ
ଧୋଇ ହେଉନାହିଁ ..?? କାୟାର ଦେହ ବି ଓଦା ହେଉ ନାହିଁ..!!
ଆଖି ସାମ୍ନାରେ କୁଳର ଆର ପାଖରେ
ଅନ୍ୟ ଗୋଟିଏ ଆଶ୍ରିତ ଜୀବାତ୍ମାର ଚାଲିଥାଏ ମୁକ୍ତିବିଧାନ…
ପଣ୍ଡିତଙ୍କ କଣ୍ଠରୁ ବେଶ୍ ତଲ୍ଲୀନ ଶୁଭୁଥାଏ —-
” ‘ ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି ନୈନଂ ଦହତି ପାବକଃ
ନା ଚୈନମ କ୍ଲେଦୟାନ୍ତପୋ ନ ଶୋଷୟତି ମାରୁତଃ ‘ “…
#ଜ୍ଞାନେନ୍ଦ୍ର ପଣ୍ଡା..✍️