*ରାଣ*
~~~~~
କେବେ ଦିନେ ରାଣ ଦେଇଥିଲା ବୋଲି
ସାଗର ସାଥିରେ ମିଶଇ ନଈ,
ହଜାରେ ବାଙ୍କକୁ ଖାତିର ନ କରି
ଏକେଲୟେ ସତେ ଆସଇ ଧାଇଁ l
ବିସ୍ତୃତ ବିଶାଳ ବିସ୍ତୀର୍ଣ୍ଣ ଗଗନ
ରାଣ ରଖିବାକୁ ଯାଇ,
କାହିଁ କେତେ ଦୂର ଦିଗ୍ ବଳୟ ପାଖେ
ମାଟିକୁ ସେ ଯାଏ ଛୁଇଁ l
ରାକ୍ଷୀ ପୁନେଇଁରେ ରାକ୍ଷୀ ବାନ୍ଧି ଭାଇ
ଖାଏ ଯେ ଭଉଣୀ ରାଣ,
ଯେତେ ଝଡ଼, ଝଞ୍ଜା, ଦୁଃଖ, ଅଭାବରେ
ରଖୁଥାଏ ତାର ମାନ l
ମାଆ ରାଣ ଖାଇ ଯିଏ ବି ଚାଲଇ
କଣ୍ଟକିତ ପଥ ଧାରେ,
କୋମଳ ଲାଗଇ କଣ୍ଟା ସବୁ ସତେ
ବିଜୟୀ ହୋଇ ସେ ଫେରେ l
ପ୍ରେମିକାଟେ ଥରେ ପକାଇଲେ ରାଣ
ପ୍ରେମିକ ଅଥୟ ହୁଏ,
ପ୍ରେମରେ ହୃଦୟ ଜିଣିବା ପାଇଁକି
ସାତ ସିନ୍ଧୁ ଲଂଘି ଯାଏ l
ଦାମ୍ପତ୍ୟ ଜୀବନେ ନିତିଦିନ ପଡେ
ହଜାରେ ପ୍ରକାର ରାଣ,
ସତ ମିଛ ଯେତେ ବିଚାର ପାଇଁ କି
ଏହା ଯେ ଅମୋଘ ବାଣ l
ରାଣ ସାଜି ଅଛି ଜୀବନର ଡୋରି
ପ୍ରତିଜ୍ଞାର ଅନ୍ୟ ନାମ,
ବିଶ୍ବାସ, ସମ୍ପର୍କ ଦୃଢ କରୁଥାଏ
ବାନ୍ଧି ରଖିଥାଏ ପ୍ରେମ l
©ଅଂଶୁମାନ ସାହୁ
ଜଗତସିଂହପୁର