ଛାପ ସମ୍ପ୍ରତିର
ସ୍ୱାର୍ଥର ସାରଥୀ ସବୁ ମହାରଥୀ
ହୋଇଛନ୍ତି ଲୋଭେ ଛନ୍ଦି
କାମନା ବାସନା ଧନ ଆଶେ ସିନା
ଆତ୍ମା ବି ହୋଇଛି ବନ୍ଦୀ ।।
ଆତ୍ମଜ୍ଞାନୀ ନର ଗଢୁଛି ସଂସାର
ଚେତନାରେ ଭୁଲ କରେ
ଚେଇଁ ଚେଇଁ ସିଏ ଶୋଇବାକୁ ଚାହେଁ
ନୈତିକତା ସଦା ହାରେ ।।
ଚୋରି ଡକାୟତି ଘୃଣ୍ୟ ପ୍ରତିଶୃତି
ଏଇ ତ ଦୁନିଆ ରୀତି
ଲୁପ୍ତ ପରିଚୟ କ୍ଳିଷ୍ଟ ଅଭିନୟ
ଦର୍ଶନେ ହେଉଛି ଭୀତି ।।
ଦୁର୍ନୀତିର ନୀତି ସବୁ ପ୍ପ୍ରିୟାପ୍ରୀତି
ହୀନ ଉପଦେଶ ବାର୍ତ୍ତା
ଅର୍ଥର ଲାଳସା ମିଥ୍ୟା ଅଙ୍କ କଷା
ଦିଶାହୀନ ବିଶ୍ୱକର୍ତ୍ତା ।।
ପ୍ରୀତିର ସମ୍ପର୍କ ପ୍ରତାରଣା ନର୍କ
ଛଳନାର ପଶାପାଳି
ଅବୁଝା ଏଇଠି ସବୁ ମାପ କାଠି
ନିରର୍ଥକ ଚାଟଶାଳୀ ।।
ସମ୍ପ୍ରତି ସମାଜ ହୋଇ ସଜବାଜ
ଦେଖାଏ ତା’ ଭିନ୍ନ ରୂପ
ମିଥ୍ୟା ଅଟ୍ଟହାସ୍ୟ ଅଛିଣ୍ଡା ରହସ୍ୟ
ଅଦ୍ଵିତୀୟ ତା’ର ଛାପ ।।
©️®️ସଞ୍ଜିତା ପ୍ରଧାନ ( ଶିକ୍ଷୟିତ୍ରୀ )
ଜୟରାମ ସରକାରୀ ଉଚ୍ଚ ବିଦ୍ୟାଳୟ , ଲେଫ୍ରିପଡ଼ା ,
ସୁନ୍ଦରଗଡ଼