#ଦେବୀ…
*********
ଆଗକୁ ଝୁଙ୍କିପଡିଛି ମୁଁ ଯୋଡ଼ହସ୍ତ ଘେନି
ଛୁଇଁବାର ଆଶାରେ, ସ୍ବର୍ଣ୍ଣିମ କମନୀୟ
ତୁମର ସେହି ଦୁଇପାଦ ।
ମୋତେ ଆତ୍ମସାତ କରିନିଅ,
ସୃଷ୍ଟିରେ ମୋତେ ବିଲୟର ଦର୍ଶନ କରାଅ ।
କୁହ ନିଜ ଦେହରେ କାହିଁକି ଆଙ୍କିଛ
ଅସତ୍ୟ କୃତ୍ରିମତାର ଲୋଭନୀୟ ଛବି ?
ହେତୁଠାରୁ ଖୋଜିନାହିଁ ସୂର୍ଯ୍ୟ କେବେ
ଆଲୋକର ରେଣୁଟିଏ,
ତୁମେ ତ’ ସୃଷ୍ଟିର ଶ୍ରେଷ୍ଠତମ ଆବହମାନ
ସୌନ୍ଦର୍ଯ୍ୟ;
କୁହ ସୁବର୍ଣ୍ଣ ଶରୀରରେ ମିଛ ପ୍ରସାଧନର
କୃତ୍ରିମ ଆବରଣକୁ କାହିଁକି ଖୋଜୁଛ ?
ତୁମେ ମୋର ଅନୁଭବର ଅତୀନ୍ଦିୟ ସୁଖ,
ବ୍ରହ୍ମାଣ୍ଡର ମହାସତ୍ତା, ଈଶ୍ୱରୀୟ ରହସ୍ୟ,
ମୋ ମନର କାମନାରେ ତୁମେ ପୂଜ୍ୟା ସର୍ବଥା
ଭୋଗ୍ୟା କାହିଁକି ଭାବୁଛ ??
ମୁଁ ତୁମକୁ ଛୁଏଁ ସାଧନାର ଆସକ୍ତିରେ…
ମୋ ଚେତନାର ଏକାନ୍ତପଣରେ ତୁମେ ହିଁ ଅର୍ଦ୍ଧେକ
କେବେକେବେ ତୁମେ ହିଁ ତ’ ସମ୍ପୂର୍ଣ୍ଣ
ମୋ ଭିତର ରିପୁର ତୁମେ ମୋକ୍ଷ, ତୁମେ ଉଦ୍ଧାରକ ।
ତୁମେ ମୋର ଯୁଗାବ୍ଦର କାମନା
କଦାପି କାମିନୀ ନୁହେଁ ।
” ଫେରିଆସ ଆଦ୍ୟା ହେ ସେଇ ଉଭ୍ରାନ୍ତ ପଥରୁ
ପୋଛି ଦିଅ ବାହ୍ୟ ଶରୀରରେ ଅଙ୍କିତ
କାମନାର କୃତ୍ରିମ ବିଷାକ୍ତ ରଙ୍ଗ ।”
ଫୁଟିଉଠୁ ତୁମ ଦେହର ସାଧନା ମନ୍ଦିରେ
ସ୍ନେହ ପ୍ରେମର ଆଦିମ ଆଦିଶକ୍ତି ଛବି
ତବ ଆଜ୍ଞା ଶିରୋଧାର୍ଯ୍ୟ ଛଳରେ
ଫିକା ଦିଶୁଥିବା ଚିତ୍ରିତ ଛବିକୁ ପୁନଃ
ସ୍ପଷ୍ଟ ମାର୍ଗରେ ଆଙ୍କିଦେବି ।
ମୋର ସେଇଥିରେ ହିଁ ଆଜନ୍ମ ଆସକ୍ତି
ମୁଁ ତୁମକୁ ପ୍ରେମଯୋଗରେ ଜଡେଇ ଧରିବି
କାଳକୁ ବିସ୍ମରି ଉପାସନା ପୂର୍ବକ ତୁମକୁ ପୁଜିବି
ମଜ୍ଜିବି ହଜିଯିବି…
ତୁମେ ହିଁ ମୋର ନିର୍ଦ୍ଧାରିତ ସମୟ
ମୁଁ ତୁମର ନିମିତ୍ତ ମାତ୍ର ସାଧକଟିଏ
ତୁମେ ଅକ୍ଷୟ, ତୁମେ ହିଁ ସୃଷ୍ଟି ।
ପୁଣ୍ୟତୋୟା…
ଚହଟି ଉଠ ତୁମେ
ମୋ ପ୍ରେମିକ ଓ ପୂଜାରୀ ପଣରେ,
ତୁମେ ହିଁ ତ’ ଏକାଧାରରେ ମୋ ମନର ମୋହିନୀ,
ସୁଖ ଦୁଃଖର ଚଲାପଥରେ ମାନବୀ,
ଇହ ପରକାଳ ସାଧନାର ବିସ୍ମୟା… ଦେବୀ…।
#ଜ୍ଞାନେନ୍ଦ୍ର ପଣ୍ଡା..✍️
376 total views, 1 views today