#ଭଗ୍ନ ଡେଣା
***********
ସନ୍ଧ୍ୟା ନଇଁ ଆସିଲେ କେହି ଜଣେ
ପ୍ରଚ୍ଛଦ୍ଦପଟରେ କାଳିଛିଆ ରଙ୍ଗ ବୁଣିଦିଏ
ଠିକ ଏତିକିବେଳର ବିଗତ ବେଳାରେ କେବେ
ମୋ ଆଖିର ଅନ୍ଧାର ବିଭୋର ଆକାଶୀୟ ରଙ୍ଗମଞ୍ଚରେ
ଅଗଣିତ ସଜିଲ୍ ତାରା ଟୁପ୍ ଟାପ୍ ଉଉଁଥିଲେ ।
ନିଜସ୍ୱ କଳାରେ ତନ୍ମୟ ତାରାଙ୍କ ଭିତରୁ କେହି
ମେଘ କୋଳରେ ଅଳସ ଭାଙ୍ଗୁଥିଲା, ତ’ ଆଉ କେହି
ଜହ୍ନର ପ୍ରୀତିମୟ ସଙ୍ଗୀତରେ ନାଚୁଥିଲା ।
ସେମାନଙ୍କ ଭିତରେ ଥିଲା ତାରାଟିଏ…
ଯିଏ ଏ ସବୁକୁ ପାଶୋରି ଦେଇ ଟିମ୍ ଟିମ୍ ଆଖିରେ
ରାତି ସାରା ମୋତେ ହିଁ ଦେଖୁଥିଲା…।
ଜୀବନତରୀର ଅଙ୍କାବଙ୍କା ଭ୍ରମିତ ପଥକୁ
ଦିଶିଗଲା ବତୀଘର, ଚିଠିକୁ ମିଳିଗଲା ନୂତନ ଠିକଣା,
ସେ ତାରା ଶିଖିଗଲା ଏଥର ଜଲଦି ଉଇଁବାର କଳା ।
ସତେ କି ଏ ପୂର୍ବ ଜନ୍ମର ବନ୍ଧନ ? ସଂଯୋଗ ?
ଅଥବା ଆତ୍ମିକ ??
ସେଇ ନିର୍ଦ୍ଦିଷ୍ଟ ରାତି ପରଠାରୁ
ସବୁ ଦିନ ସଞ୍ଜ ନଇଁଲେ ତାକୁ ବି ମୁଁଖୋଜୁଛି ବୋଲି
ଅଦୂରରେ ରହି ସେ ଜାଣୁଥିଲା ।
——- “”ସତରେ ଦୂରତ୍ୱ ବୋଲି କିଛି ହିଁ ନ’ଥାଏ
ତାହା କେବଳ ସୁବର୍ଣ୍ଣ ହରିଣୀଟେ ପରି
ମାୟାର ଏକ ମିଛ ଅନୁଭବ..!””
ହଠାତ…ମୋ ଆକାଶର ରାସ୍ତାରେ
କେଉଁଠି କେଜାଣି ହଜିଗଲା ପ୍ରିୟତମ ତାରା !
ଖୋଜିଲି ତାକୁ ଆକାଶର ତାରାଙ୍କ ମେଳଣରେ
ମୋତେ ଖାଲି ଏକ ଶୂନ୍ୟସ୍ଥାନ ଦିଶୁଥିଲା !
ହୃଦୟ ଖାଁ ଖାଁ, ଆଖି ଚୋୖହଦୀକୁ ରଙ୍ଗହୀନ ସଜେଇ
ଆକାଶର ରଙ୍ଗକୁ ପାଣିଚିଆ କରିଦେଇ
ମୋ ମନର ପ୍ରିୟତମ ତାରା ନିରୁଦ୍ଦିଷ୍ଟ ଥିଲା !
ଏତିକିବେଳେ ମୋତେ ଦେଖି
ସବଜାନତା ଜହ୍ନ ହସି ଉଠୁଥିଲା ।
ସିଏ ହସି ହସି କହୁଥିଲା ଗହନ କଥାଟିଏ…
ତାରା ମରେ,, ସମୟର ଦଂଶନକୁ ଅପେକ୍ଷା କରି
କୃଷ୍ଣଗହ୍ୱର ପ୍ରେମରେ !
ପ୍ରିୟତମ ତାରା ମୋ ଭିତରେ ଲେଖି ଦେଇଥିଲା
ଅଦ୍ଭୁତ ଏକ ପାଗଳପଣ ଆଉ ଭରସା ।
କିଏ ଜଣେ ଏତିକିବେଳେ କହୁଥିଲା କାନରେ…
ପ୍ରେମ ହିଁ କୃଷ୍ଣଗହ୍ୱର, ଯେଉଁଥିରେ ଥାଏ
ସର୍ଵଗିଳାପଣ !
ମୋତେ ଏସବୁ କିଛି ଶୁଭୁ ନ’ଥିଲା !
ଖୋଜିବାକୁ ତାକୁ ଲମ୍ଫ ଦେଉଥିଲି
….କୃଷ୍ଣଗହ୍ୱରରେ !,, ସେଇଠି ସବୁ ଶୁନ୍ୟ ଅନ୍ଧାର ଦିଶୁଥିଲା
ଖୋଲା ଆଖିରେ…।।
କର୍ଣ୍ଣପଟଳରେ ଶୁଭୁଥିଲା ନାଦବ୍ରହ୍ମ ସ୍ୱର ମନ୍ତ୍ର…
——— “ଅନାଦିନିଧନଂ ବ୍ରହ୍ମ ଶବ୍ଦତବାୟଦକ୍ଷରମ୍
ବିବର୍ତ୍ତତେ ଅର୍ଥଭାବେନ ପ୍ରକ୍ରିୟା ଜଗତୋୟତଃ ।।”
ଆଖି ବୁଜିଦେଲେ ସମଗ୍ର ଅନ୍ଧକାର
ଠିକ୍ ଦର୍ପଣଟିଏ ପରି ଦିଶୁଥିଲା,,
ଅନ୍ଧାରର ସେଇ ଦର୍ପଣରେ ମୋ ନିଜ ମୁହଁ
ମୋତେ ହିଁ ଅଚିହ୍ନା ଦିଶୁଥିଲା…।
#ଜ୍ଞାନେନ୍ଦ୍ର ପଣ୍ଡା.✍️
273 total views, 1 views today