#ଆଦିଯୋଗୀ
***********
ସେ ଖୋଜୁଥିଲା ବିଭତ୍ସ ଅନ୍ଧାରର ଉତ୍ସ
ଅବିରାମ ଚାଲୁଥିଲା ସେ ଆଗକୁ ଆଗକୁ
ତା’ ମଥାରେ ସବାର୍ ନଈବଢ଼ି ପରି ଘୋ-ଘୋ ପ୍ରଶ୍ନ…
ଶେଷ କାହିଁ ଏ ଅନ୍ତହୀନ ଆଦ୍ୟତମ ଅନ୍ଧକାରର ?
ଚଳମାନ ସୃଷ୍ଟି ଯଦି ସୁପ୍ତ ହୋଇଯାଏ !!
ପିତାମହଙ୍କ ଜୀବନୀ ଶକ୍ତି
ଯୋନିରୁ ଯୋନିକୁ ସଞ୍ଚାରିତ ହେବ କେମିତି ?
କାହିଁ ସେଇ ଆଲୋକ ଚୈତନ୍ୟ… ?
ହଠାତ !! … ହଜିଗଲା ସେ,,
ଅନ୍ତହୀନ ଭୟଙ୍କର ହିମ ଅନ୍ଧାରରେ !
ପଛରେ ରହିଗଲା…ପାତାଳପୁରୀ, ମର୍ତ୍ତ୍ୟ ଜନପଦ,
ଚକଚକିଆ ଦେବଲୋକର ମହାଉତ୍ସବ,
ଅନ୍ଧାରୀ ବ୍ରହ୍ମାଣ୍ଡ ।
ତାକୁ ଆଉ ଭୋକ ନ’ଥିଲା,
ସେ ସମସ୍ତଙ୍କ ପାଇଁ ଆହାର ଖୋଜୁଥିଲା ।
ତାକୁ ନିଘା ନ’ଥିଲା ନିଜ ଦେହର ବସ୍ତ୍ର-ବକ୍କଳଶୁନ୍ୟ ଅସ୍ତିତ୍ୱ
ଅଥଚ ସମସ୍ତଙ୍କ ନିମିତ୍ତ ସେ ବସ୍ତ୍ର ସନ୍ଧାନ କରୁଥିଲା !
ସେ ଜ୍ଞାନ ବାଣ୍ଟିବାକୁ ବାଛିନେଲା…
ଆକାଶର ଅନ୍ଧାରିଆ ଛାତ, ପାଦ ତଳେ ସାତସମୁଦ୍ର
ଆଉ ତେର ନଈର ଅଗଣିତ ବନ୍ଧୁର ପଥ !
ଏ ସବୁକୁ ବରିନେଇ ସେ ଯାଯାବର ସାଜିଗଲା ।
ଜଗତର ଆଦ୍ୟତମ ଚିନ୍ତାରେଖା ତା’ କପାଳରେ
ବେଶ ମାନୁଥିଲା ବୋଲି
ଖୁବ ଆଦରରେ ସେ ପାଲଟି ଯାଉଥିଲା
—— “ଆଦିଯୋଗୀ” ।
ତାକୁ ଦିନେ ମିଳିଗଲା
ସମସ୍ତ ଅସମାହିତ ପ୍ରଶ୍ନର ଉତ୍ତର ।
ବିରାଟ ଆଲିଙ୍ଗନରେ ସେ ଜଡେଇ ଧରିନେଲା
ଭୟଙ୍କର ହିମ ଅନ୍ଧାରକୁ…
ଅଣନିଶ୍ଵାସୀ ଅନ୍ଧକାର ପାଖରେ କିଛି ଆଉ ଜୁ’ ନ’ଥିଲା…
ସାଲିସ କଲା ଅନ୍ଧକାର, ଆଲୋକକୁ ବାଟ ଛାଡ଼ିଦେଲା…
ସୂର୍ଯ୍ୟ ଏଥର ସବୁଦିନେ ଉଇଁଲା ।
କୃତଜ୍ଞ ସର୍ପ କାଳ ଅନ୍ଧାରରୁ ମୁକ୍ତି ପାଇବା ପରେ
ଯୋଗୀର ଗଳା ବନ୍ଧନୀରେ ରହି ଶରଣ ପଶିଲା,,
ଯୋଗୀର ଅଙ୍ଗରେ ବସ୍ତ୍ର ସାଜିବାକୁ
ବ୍ୟାଘ୍ର ଅନୁକମ୍ପା ଭିକ୍ଷା କଲା,,
ବୃକ୍ଷ ଜୀଇଁଉଠିଲା,, ତ…ମଳୟ ସଂଜୀବନିରେ
ଏ ସଚରାଚର ବି ଜୀଇଁଉଠିଲା ।
ସେ ଏବେ ନିଜକୁ ସମ୍ପୂର୍ଣ୍ଣ ଭୁଲି ସାରିଥିଲା
ପରିଧାନରେ ବୃକ୍ଷ ବକ୍କଳ, ବ୍ୟାଘ୍ର ଚମଡ଼ା,
ଗଳାରେ ଆଶ୍ରିତ ଭୁଜଙ୍ଗ, ମୁଣ୍ଡ ଉପରେ ଜଟା,
ଅନ୍ଧାରରେ ଆଲୋକ ବାଣ୍ଟିବାକୁ
ଜଟାରେ ତା’ ଚନ୍ଦ୍ର ଜଳୁଥିଲା
ତା’ ଦେହରେ ବ୍ରହ୍ମାଣ୍ଡ ବିସ୍ତାରିତ ହେଉ ହେଉ
ଆଦିଯୋଗୀ ସ୍ୱୟଂ ହିଁ ବ୍ରହ୍ମାଣ୍ଡ ସାଜୁଥିଲା ।
ଜଗତରେ ଏବେ ନ’ଥିଲା ଅନ୍ଧକାର
ଆଲୋକ ଆସିଲା ବେଳକୁ
ଯୋଗୀ ନିଜେ ଅଦୃଶ୍ୟ ହୋଇ ସାରିଥିଲା ।
×××××××××××××××××
****************
ତାକୁ ଆଜି ଅନେକ ଦିନ ପରେ ଭୋକ ଥିଲା
ସେ ଫେରୁଥିଲା ଭୁରି ଭୋଜନ ବଣ୍ଟା ହେଉଥିବା ମେଳାକୁ
ସେତେବେଳକୁ ସରି ଯାଇଥିଲା ଆୟୋଜନ,,
ରହି ଯାଇଥିଲା ଅନ୍ୟମାନଙ୍କ ଭାଗ୍ୟର ବଳକା ସଦୃଶ ବିଷ
ଯୋଗୀ ସାଦରରେ ଗ୍ରହଣ କରିନେଲା
ହଳାହଳ ।
ଭୋକ ବିକଳରେ ?
ନା…ଏମିତି ଶୁଣାଯାଏ ଯେ ପ୍ରଥମରୁ ହିଁ
ଆଦିଯୋଗୀର ନୀଳକଣ୍ଠ ହେବାକୁ ଇଚ୍ଛା ଥିଲା !
#ଜ୍ଞାନେନ୍ଦ୍ର ପଣ୍ଡା..✍️