#ଜଳୁଛି_ଶିମିଳିପାଳ
****************
ସତରେ କେତେ କୌଶଳ ସେ ଜାଣେ
କ୍ରମବିବର୍ତ୍ତନବାଦର ଉଦ୍ଭଟ ପରିକଳ୍ପନାକୁ
ଆଢୁଆଳ କରି,, ଲୁଚେଇ ପାରେ ସିଏ
ନିଜର ହିଂସ୍ର ଦାନ୍ତ ,,
ମଖମଲି କପଡା଼ ପିନ୍ଧିବାର କୌଶଳକୁ
ଆୟତ୍ତ କରିନେଇ,, ଘୋଡ଼ାଇ ଜାଣେ ସିଏ
ନିଜ ଦେହ ଆଦିମତାର ଚିତ୍ର ।
ଆଭିଜାତ୍ୟର ମୁଖା ପିନ୍ଧି
ସମ୍ଭ୍ରାନ୍ତ ହୋଟେଲରେ ଲୁଚାଇ ବସେ
ନିଜର ପଶୁ ପେଟ !
ସେ ଶାକାହାରୀ, ସୃଷ୍ଟିର ସବୁଜିମା ଗିଳେ
ସେ ମାଂସାହାରୀ, ପଶୁ ପକ୍ଷୀକୁ ଖାଏ
ସେ କେବେ କେବେ ନିଜକୁ ବି ଖାଏ !
ତଥାପି ଭୋକ ମେଣ୍ଟେନାହିଁ ତା’ର
ସେ ଖଣି ଖାଏ, ଖାଦାନ୍ ଖାଏ, କୋଇଲା ଖାଏ,
ପୋକ, ପତଙ୍ଗ, ମାଛ, ଅକ୍ଟୋପସ୍ ଖାଏ
ଘଡ଼ିକୁ ଘଡ଼ି ତା’ ଗଳା ଶୁଖିଯାଏ ବୋଲି
ନଦୀ ଶୁଖେଇ ପିଏ, ପେଟ୍ରୋଲ୍ ଆଉ ପବନ ବି ପିଏ !
ଓଃ କି ଭୋକ ତାକୁ !
ସେ କୁଆଡେ ସୃଷ୍ଟିର ଶ୍ରେଷ୍ଠତମ ଜନ୍ମ
କାହିଁ ତା’ ହୃଦୟରେ ତଥାକଥିତ କରୁଣାର
ଆବେଦନ ?
ଦିନକୁ ଦିନ ବଢ଼ି ଚାଲିଛି ସେ ଭୋକ
ସେ ଭୋକର ଲୋଲୁପ ଦୃଷ୍ଟିରେ ହଜିଯାଉଛି
ଜଙ୍ଗଲର କେଡ଼େ ବିଶାଳ ବୃକ୍ଷ !
ଦେଖୁନ…ସେ ସର୍ବଗ୍ରାସୀ ପେଟରେ
ନିଃଶେଷ ହୋଇଯାଉଛି
ବାଘ, ଭାଲୁ, ହରିଣ ଆଉ ସେମାନଙ୍କର
ରକ୍ତାକ୍ତ ଚମଡ଼ା, ଶିଙ୍ଗ, ଦାନ୍ତ !
କାହିଁ ସେମାନଙ୍କ ଆଖିରେ
ସମବେଦନା ଟିକକ ??
ସତରେ ବିବର୍ତ୍ତନବାଦ ହିଁ ସର୍ବକାଳୀନ
ପ୍ରବଞ୍ଚନାର ମିଛ ଗଳ୍ପ !
କେବଳ ମନୁଷ୍ୟ ହିଁ ପଶୁ !
ଏହାହିଁ ନିଚ୍ଛକ ସତ୍ୟ ।
ଦେଖ…,,
‘”ଜଳିଯାଉଛି ଶିମିଳିପାଳ'” !
ଝଲସି ଉଠୁଛି ଆଖପାଖର ଧୁର୍ତ୍ତ ମଣିଷଙ୍କ ଆଖି
ଅଥଚ ଅସହ୍ୟ ଯନ୍ତ୍ରଣା ଭିତରେ
ପଶୁପକ୍ଷୀଙ୍କ ଆଖିରେ ବର୍ଷୁଛି
ସମବେଦନାର ଠୋପା ଠୋପା ଲୁହ ।
#ଜ୍ଞାନେନ୍ଦ୍ର ପଣ୍ଡା..✍️