#ଏକାନ୍ତ ଅନୁରୋଧ
****************
ତୁମ ମୁଖମଣ୍ଡଳରେ ଅଙ୍କିତ
ଅପୌରୁଷେୟ ବେଦଙ୍କର
ଜୀବନ୍ତ ଅଭିମନ୍ତ୍ରିତ ମହାଲୌକିକ ଋଚା ଶବ୍ଦ
ନୀଳାଭ ଯୁକ୍ତ ବେନି ନୟନେ ବିରାଜିତ
ସଂକ୍ଷିପ୍ତରେ ବିରାଟ ସ୍ୱୟଂ ଉପନିଷଦ…।
ହେ ପ୍ରିୟ ଶୁନ୍ୟ ଓଁକାର..!!
ଏ ନିଶ୍ଚୟ ସ୍ଵୟଂ ତୁମରି ଅବଲୀଳା
ଯାହାକୁ ସର୍ବମାନ୍ୟରେ ବୋଲାଯାଏ ଶ୍ରୁତି
ମୁଁ ଆର୍ଯ୍ୟ ଶ୍ରୋତ୍ରୀୟ ବ୍ରହ୍ମକଣିକାର ଜୀବାତ୍ମା ଟିଏ
ଏହି ମୋର ଇହକାଳର ପରମ ସୌଭାଗ୍ୟ
ମହାଶୁନ୍ୟରୁ ତରଙ୍ଗାୟିତ ଶବ୍ଦ ସ୍ୱରୂପରେ
ତୁମ୍ଭଙ୍କୁ ମୁଁ ସ୍ଵତଃ ଅବଲୋକନ କରୁଅଛି…।
ଯେଉଁ ମୁଖର ତରଙ୍ଗରେ ବ୍ରହ୍ମାଣ୍ଡୀୟ ମହାଇତିହାସ
ଗାୟତ୍ରୀ ଛନ୍ଦରେ ମୋତେ କରୁଅଛି ରୋମାଞ୍ଚିତ
କ୍ରମଶଃ ଅଗ୍ନି, ବାୟୁ, ବରୁଣଙ୍କର ହେଉଅଛି ସାକ୍ଷାତ
ଭୃଗୁ, ବଶିଷ୍ଟଙ୍କ ଭଳି ମହାପ୍ରାଣଙ୍କ ସହଚର୍ଯ୍ୟରେ
ମୁଁ ଆର୍ଯ୍ୟ… ସେହି ମହାନ ଋଗବେଦଙ୍କୁ ଅଭ୍ୟାସରତ ।
ତୁମେ ଗନ୍ଧର୍ବ ରୂପରେ
ଉଚ୍ଚାରିତ କରୁଅଛ ମହାତୃପ୍ତିର ମନ୍ତ୍ରମୟ ଶବ୍ଦ
ସଂଜୀବନି ପ୍ରାୟ ସେହି ଶବ୍ଦ ଆତ୍ମାକୁ ମୋର କରୁଅଛି ଆହ୍ଲାଦିତ
ଶାଣ୍ଡିଲ୍ୟ,କାଶ୍ୟପଙ୍କ ଓଠରେ ମନୋହର ଅନୁଷ୍ଟୁପ୍ ଛନ୍ଦର ସ୍ପର୍ଶ
ପରମତୃପ୍ତିର ସେହି ଶବ୍ଦବ୍ରହ୍ମ ଛାଏଁ ପାଲଟି ଯାଉଅଛି
ଜୀବଟିଏର ଆତ୍ମା ସମ୍ବନ୍ଧୀୟ ଗୀତ ସାମବେଦ ।
——- ଦଶଦିଗରୁ ଝଙ୍କୃତ ହେଉଅଛି
“ଜୀବନ ହେଉ ସଙ୍ଗୀତ” ।
ତୁମଠାରେ ଉପାସନା ମୋର ଯେଣୁ ଆତ୍ମଆଦିମ ପ୍ରବୃତ୍ତି ,,
ମୁଁ ତୁମ୍ଭଙ୍କୁ ସ୍ମରି ଉପାସନା କରିବାକୁ ଭାବନ୍ତେ
ତୁମେ ତତକ୍ଷଣେ ଆସ୍ତେ କରି ଖୋଲୁଅଛ ଯଜୁର୍ବେଦ
ଅଗଣିତ ମୁନିଋଷିଙ୍କର ଉଚ୍ଚାରଣରେ
କର୍ଣ୍ଣଗୋଚର ହେଉଅଛି ତହିଁ
ତୁମ୍ଭଙ୍କୁ ଅନାୟାସେ ପ୍ରାପ୍ତ କରିବାର
ସାଙ୍କେତିକ ସ୍ନିଗ୍ଧ ରହସ୍ୟ…ଉଷ୍ମୀକ୍ ଛନ୍ଦଯୁକ୍ତ ମହାମନ୍ତ୍ର ।
ପଙ୍କ୍ତି ଛନ୍ଦରେ ଛନ୍ଦାୟିତ କରି ବିଶ୍ଵାମିତ୍ର କହୁଛନ୍ତି
ଶୁଣ ହେ ଆର୍ଯ୍ୟ…
ଅଥର୍ବ ବେଦରେ ମାନବ କଲ୍ୟାଣର ଏହି ସମାଚାର
ବିକାର ମୁକ୍ତ ହୁଅ,…ସୁସ୍ଥ ଜୀବନକୁ ଜୀଅଁ
ଠିକ୍ ଏତିକିବେଳେ ଦଶ ଦିଗେ ଏ ଗଗନ ପବନରେ
ତୁମ କଣ୍ଠରୁ ବିସ୍ତାରିତ ହେଉଅଛି
ଉଚ୍ଚାଙ୍ଗ ଜୀବନ ଜୀଇଁବାର କଳା…
ଭାସିଆସୁଛି ମହାମନ୍ତ୍ରରେ…
——- ” ସଂ ଗଚ୍ଛଧ୍ୱମ୍ ସଂ ବଦଧ୍ବମ୍ ”
ପୁର୍ବଜଙ୍କ ଏହି ପଥ ସନାତନର
ସେ ପଥରେ ଅନୁସରିତ ହୁଅ…
ସେ ପଥକୁ ଅନୁସରଣ କର ।।
ହେ ଶୁନ୍ୟ….ହେ ଆଦିମ ପୁରୁଷ..!
କର୍ମ, ଧର୍ମ, ଏ ଇହକାଳର ନିଶ୍ୱାସ,
ଆଲୋକରୁ ଅନ୍ଧାର, କ୍ଷଣ ନିଦ୍ରାରୁ ଚିର ନିଦ୍ରା
ତୁମେ ସଦା ମୋତେ ଏମିତି ହୁଅ ଦୃଶ୍ୟପାତ
ମୁଁ ତୁମକୁ ପଢି, ବୁଝି ଆତ୍ମସ୍ଥ କରିନେବାକୁ
ଆଜନ୍ମ ଏମିତି ଦେଖୁଥିବି ସ୍ଥିର ଅପଲକ ।
ତୁମକୁ ସଙ୍ଗରେ ନେଇ ପରଜନ୍ମକୁ ଆସୁଥିବି
ଯେସନେ ତୁମେ ମୋର ସମ୍ପୂର୍ଣ୍ଣ ପ୍ରାରବ୍ଧ ।
#ଜ୍ଞାନେନ୍ଦ୍ର ପଣ୍ଡା..✍️