#ବଉଦର ନାଁ ମେଘା ମିଶ୍ର
*********************
କ୍ୟାମ୍ପଫାୟାରର ହୁତୁହୁତୁ ନିଆଁରେ
କୁହୁଳୁଥାଏ ମୋ ମନ ତଳର ଯନ୍ତ୍ରଣା..,,
ସେ ପାଖର ଝାପ୍ସା ଆଲୁଅ ପଟୁ ଭାସି ଆସୁଥାଏ
ଶୀତର ନିର୍ଦ୍ଦୟ କୋହଲା ପବନ..,,
ମୋର ବର୍ତ୍ତମାନକୁ ଛୁଇଁ ଆତ୍ମା ଥରାଉଥାଏ
ହଳେ ତୀର୍ଯ୍ୟକ ଚାହାଣିର
ଅବୁଝା ଛୁଆଁ..!
ମେଘା ମିଶ୍ର…
ତୁମକୁ ମୁଁ ଆଖି ବନ୍ଦ କରି ଆଙ୍କି ପାରୁଥିଲି,,
କେବେଠାରୁ ତୁମେ ମୋ ପାଇଁ
ଏମିତି ଅବୁଝା ହେଲ ଯେ !
ବାନ୍ଧବୀଙ୍କ ମେଳାରେ ଛାତି ମୋର ଥରାଇ
ମେଘା ମିଶ୍ର ଗାଉଥିଲା…
——“ମୁଁ ଯେ ଜାଣେନା କାହା ବାଟ ରହିଛି ଚାହିଁ…”
ଚିରକାଳ ଲାଳିତ୍ୟମୟୀ ସୁରରେ
ଆଜି କାହିଁକି ପ୍ରଚ୍ଛନ୍ନ ଅଦ୍ଭୁତ କରୁଣତା !!
ମେଘା ମିଶ୍ର…,,
ତୁମ ପାଇଁ ଏହା ଥିଲା ସିନା
ବିଶ୍ୱବିଦ୍ୟାଳୟର ଶେଷ ବନ୍ଧୁମିଳନ ପର୍ବ ,
ହେଲେ,, ମୋ ପାଇଁ କିନ୍ତୁ ଏହା ଥିଲା
କାଳର ଅଭିସନ୍ଧି ଜନିତ ଶେଷଯାତ୍ରା !!
ବିଦେଶାଗତ ରାଜପୁତ୍ରର ସ୍ବାକ୍ଷରକୁ ବହନ କରି
ମୋ ଉଦ୍ଦେଶ୍ୟରେ ଚକ୍ ଚକ୍ ଚମକି ଉଠୁଥିଲା
ଅବ୍ୟର୍ଥ ବନ୍ଧୁକର ନିଶାଣଟେ
ମେଘା ମିଶ୍ରର ବାମହାତ ଅନାମିକା ଆଙ୍ଗୁଳିରେ !
ଖିନ୍ ଭିନ୍ ହୋଇଉଠୁଥିଲା କଲିଜା ମୋର..!!
ଅନ୍ୟ ପଟେ
ଶବଟିଏ ଭଳି ମୋହମୁକ୍ତ, ଦଳେ ସହପାଠୀ…
ବିନା ବାଦ୍ୟସଙ୍ଗୀତରେ ସ୍ୱଚ୍ଛନ୍ଦ ନୃତ୍ୟବିଭୋର
ହାୟ, ଏ ମୋହାଚ୍ଛନ୍ନ ମନର ଅଲଂଘ୍ୟ ଜଞ୍ଜାଳରୁ
ସେମାନଙ୍କ ଭଳି ମୁକ୍ତି କାହିଁ ମୋର..?
ସାଇତା ନିଆଁ ସାଜି
ଛାତି ପକେଟରେ ଜଳୁଥିଲା ମେଘା ମିଶ୍ର..!
ଏବେ ମଧ୍ୟ ପଚାରୁଥିଲା ମୋତେ…
—- କବିତା ଲେଖିଲେ କି ପେଟ ପୁରେ ?
ଛାଏଁ ଜୀଉଁଥିଲା ମୋ ଭିତରେ ଅତୀତ,,
କଲେଜ ପାଖ ବହି ଦୋକାନରେ
କାଗଜ, କଲମ ଓ ସ୍ୟାହି କିଣାର ହିସାବରେ
ପରିବର୍ଦ୍ଧିତ ହେଉଥିଲା ବୟସ,,
କମି ଯାଉଥିଲା ସମୟ ଆଉ ପକେଟର ଦମ୍ଭ !
ଅଜଣା ଏକ ପୁଲକରେ ଆଖିକୁ ଦିଶୁନ’ଥିଲା
ମଥାରେ ଘନକୃଷ୍ଣ ରଙ୍ଗର ହିପ୍ପୀ କରା ଚୁଳ
କେବେ ପୁଣି ସାଜିଲା ଦୀର୍ଘ, ଅଲରା
ଆଉ ପାଣ୍ଡୁର ବର୍ଣ୍ଣ ।
—- “ମେଘା ମିଶ୍ର”, —“କବିତାରେ ଆତ୍ମା ପୁରେ” !,,
ଅବସାନ ଘଟୁଥିଲା ପୁରୁଣା ଦିନ ସବୁର
ଅଦୃଶ୍ୟ ହେଉଥିଲେ ତାରା ସବୁ,
ଫର୍ଚ୍ଚା ହେଉଥିଲା ସମୟ,
ଅନ୍ଧାରରୁ ବର୍ତ୍ତିବାକୁ ଜଳୁଥିଲା ଆକାଶର ଶେଷ ତାରା,
କ୍ୟାମ୍ପଫାୟାରର ଲିଭି ଆସୁଥିବା ନିଆଁ ବଳୟରେ
ମୋତେ ମୁକ୍ତି ଦେବାର ଚେଷ୍ଟା କରି ଜଳୁଥିଲା
ମୋ ପକେଟର ଶେଷ ଚିଠି..!
ମେଘା ମିଶ୍ର…,,
ଏବେ ଫି’ ବର୍ଷ ନାମକୁ ମାତ୍ର ବିଦାୟ ଶୀତ ଆସେ,,
ତୁମେ ଖୁବ ମନେପଡ଼…ବିଡ଼ମ୍ବନା କି ନୁହେଁ ଜାଣିନାହିଁ,
ଏବେ ବି ମୁଁ କବିତା ଲେଖେ,,
ମୁଁ ଦୁସ୍ଥ, ହିସାବ ରଖି ପାରିନାହିଁ ଆଜି ଯାଏଁ
ସାତ ସମୁଦ୍ର ତେର ନଈର ଠିକଣା ଭିତରେ
ତୁମେ କେଉଁଠି ଅଛ !
ତୁମର ସେଇ ବିଦ୍ରୁପ ଆଜି
ମୋ ଲାଗି ପାଲଟିଛି ସତସତିକା ବେତାଳର ପ୍ରଶ୍ନ !
—- “କବିତା ଲେଖିଲେ କି ପେଟ ପୁରେ” ?
କି ବର୍ଷା, ବସନ୍ତ, ବୈଶାଖ
କେବେ ଯଦି ଆସ ଦେଖିବ ଆଖିରେ ମୋର
ସବୁବେଳେ ଚିତ୍ରିତ ସୁଖ ଦୁଃଖର ଲୁହ ବଉଦ !
ସେ ବଉଦର ନାମ ଜାଣିଛ ?
ଶୁଣ ସେ ବଉଦର ନାଁ… “ମେଘା ମିଶ୍ର” ।
#ଜ୍ଞାନେନ୍ଦ୍ର ପଣ୍ଡା..✍️
ପ୍ରତ୍ୟେକ ଲେଖା ଆପଣଙ୍କର ଏକବାରେ ଭାବ ବିହ୍ବଳ କରିଦିଏ । ଅତ୍ୟନ୍ତ ପ୍ରାଣସ୍ପର୍ଶୀ ରଚନା ।