#ଏଠି_ଫେରିବାର_ବାଟ_ନାହିଁ
***********************
ଅନେକ ଦିନରୁ ମୋ ଭିତରେ
ସାତତାଳ ପଙ୍କ ତଳ ରହସ୍ୟର
ଅସମ୍ଭବ ଜିଜ୍ଞାସା,
କେଜାଣି କେଉଁଠି ଅଛି
ତୁମ ହୃଦୟ ଚିହ୍ନିତ ନକ୍ସା ..!
କାହିଁ…..
— ସେଇ ପ୍ରହେଳିକାର ଠିକଣା ?
— କୁଆଡେ ଲୁଚିଛି ସେ ରାସ୍ତା !
ଆଃ… ଏଇତ ପ୍ରକୃଷ୍ଠ ସମୟ
ତୁମେ ଏବେ ଗଭୀର ତନ୍ଦ୍ରାରେ
ମୋ ମନର ପ୍ରଲମ୍ବିତ ଉତ୍କଣ୍ଠାକୁ
ଛୁଇଁବାର ସୁବର୍ଣ୍ଣ ସୁଯୋଗ ଇଏ…।
ବେଶ୍ ସନ୍ତର୍ପଣରେ
ପାଦଚିପି ପ୍ରବେଶ କରୁଛି ମୁଁ
ଏବେ
ତୁମରି ଭିତରକୁ ।
ଓଠ ମୋର ଚୁପ, ଭିତରେ ମୋର
ଗମ୍ଭୀର କୋଳାହଳମୟ ଏକମାତ୍ର ପ୍ରଶ୍ନ
କେଉଁଠି ଅଛି ସେ ଠିକଣା.. ??
ହାୟ…ଏଠି ଅଗନା ଅଗନି ବନସ୍ତ
ଦିନର ଉଜ୍ଜ୍ୱଳ ଆଲୋକରେ ବି
ଅନ୍ଧାରର ଐନ୍ଦ୍ରଜାଲିକ ମାୟା ! ,
ସବୁ ଗଛ ଡାଳମାନଙ୍କରେ ଓହଳିଛି
ପ୍ରେମିକଙ୍କ ପେନ୍ଥା ପେନ୍ଥା ନରମୁଣ୍ଡ
ସେମାନଙ୍କ ଓଠର ଆକୁଳ ନିବେଦନ
ଛାଏଁ ପାଲଟିଯାଉଛି ‘ଦେବୀମନ୍ତ୍ର’ ,
ହସ ଭଳି ପ୍ରତୀତ ହେଉଛି
ସେମାନଙ୍କ ଆଖିର ଲୁହମୟୀ ଝରଣା ,,
ଏଠି ସବୁଠାରେ ନିର୍ଦ୍ଦୟ କୋହଲା ପବନ
ଆଉ ରାସ୍ତା ସାରା ଅମାପ ଛଳନା ।
ମଝି ରାସ୍ତାରେ ବହୁଛି
ଭଙ୍ଗାରୁଜା ଆତ୍ମାଙ୍କର ନଈଟିଏ
ମୋ ଭିତରେ ରହସ୍ୟ ଭେଦିବାର ଅଦମ୍ୟ ଇଚ୍ଛା
ମୋ ପ୍ରଲୁବ୍ଧ ମନର ପିଠିରେ ଡେଣା ଖଞ୍ଜିଦେଇ
ମୋତେ ସେ ପାଖକୁ ଉଡେଇ ନିଏ ।
ଯେଉଁଠି ସ୍ୱପ୍ନ ସବୁ ରଙ୍ଗ ବୋଳି
ଦୁଇଟି ଆଖିରେ ସପ୍ତସାଗର ଆଙ୍କି ହୁଏ
ମେଘ ସବୁ ଓହ୍ଲାଇ ଆସି ଘନ-କୁନ୍ତଳ ସାଜେ
ଗୋଲାପ କଢି ଓଠ ସାଜି ମହମହ ବାସେ
ଯେଉଁଠି ଗଣ୍ଡ ଦେଶରେ ଭଉଁରୀ ଖେଳିଲେ
ଅନାୟାସରେ ଆୟୁଷ ହଜେ…
ଅୟୁତ ସୌନ୍ଦର୍ଯ୍ୟ ଯେଉଁଠି ଏକାକାର ହୋଇ
ମୋ ଆଖିରେ ଦିଶେ,, ପୁଣି ମରୀଚିକା ପାଲଟେ !
ଅବଲୀଳାକ୍ରମେ ମୁଁ ପହଞ୍ଚିଯାଏ
ଚିର ଆକାଂକ୍ଷିତ ସେଇ ଗୁମ୍ଫାରେ
ସୃଷ୍ଟି ପ୍ରାରମ୍ଭରୁ ଲେଖାଥିବା
ତୁମ ହୃଦୟର ଠିକଣା ପାଖରେ ।
କିନ୍ତୁ ହାୟ !
ମୋର ଚେଷ୍ଟା ଆବିଷ୍କାର କରେ
କେବଳ ଏକ ବିସ୍ମୟ…
—— ” ଅବୁଝା ସିନ୍ଧୁ ଘାଟିର ଲିପି ” !
ହୃଦୟର ସାଙ୍କେତିକ ଠିକଣା !
ଅର୍ବୁଦ କାଳରୁ
——“ଇଲ୍” ପାଇଁ ଅବୁଝା
——“ଇଲା” ମନର ରହସ୍ୟ କଥା…|
ମୁଁ ଫେରିଆସେ ଓଲଟା ପାଦ ଧରି
ବାଟ ଓଗାଳି ବସିଥାଏ
——- ‘ଭଙ୍ଗାରୁଜା ଆତ୍ମାଙ୍କର ନଈ’ !
ଅବଶ ମନରେ ଭୁଲିଯାଏ
——- “ଇଲ୍”
ପିଠିରେ ଡେଣା କଅଁଳେଇବାର କୌଶଳ !,,
ନିରୁପାୟ ଲମ୍ଫ ଦିଏ ମୁଁ
ଭଙ୍ଗାରୁଜା ଆତ୍ମାଙ୍କ ନଈରେ…
..
.
ଏଠି ଫେରିବାର ବାଟ ନାହିଁ..!
#ଜ୍ଞାନେନ୍ଦ୍ର ପଣ୍ଡା..✍️