#ଆ ଛାତିରେ ଲେଖିବା ଉଲୁଗୁଲାନ୍
***************************
ଜଳିଗଲାଣି କେତେ କେତେ
କାଗଜର ଜଙ୍ଗଲ
ତଥାପି କାହିଁ ଜଳିଲା ନାହିଁ
ବିପ୍ଳବର ମଶାଲ ?
ସ୍ୟାହି ସବୁ ଧୋଇଗଲାଣି କୁମନ୍ତ୍ରଣାରେ
କଞ୍ଚା ପାଣିରେ କେମିତି ଜଳିବ ମଶାଲ ?
ଜାଗରଣର ଯଜ୍ଞକୁଣ୍ଡରୁ ଉଠୁଛି କୁହୁଳା ଧୁଆଁ
ଜଳିବା ପୂର୍ବର କି ପରର ଏ କଥା ମୁଁ ଜାଣେନା !
ଆହୁତିର ଅଭାବରେ କାଳେ ନିର୍ବାପିତ ହୋଇଯିବ
ସେ କୁହୁଳା ଧୁଆଁ ତଳର ନିଆଁ…
ପାଗ ଭିଡ଼ିଦେଇ ମୁଣ୍ଡରେ,
ଲଙ୍ଗଳା ପାଦରେ ଚାରିକାନ୍ଥର ସରହଦ୍ ରୁ
ମୁକ୍ତାକାଶ ତଳକୁ ଚାଲି ଆ…
ହୁତୁ ହୁତୁ ଜଳିଉଠୁ ଜନ ଜାଗରଣର ଯଜ୍ଞକୁଣ୍ଡ
ଆ’…ସେ ଯଜ୍ଞକୁଣ୍ଡରେ ଏବେ ଜୀବନାହୁତି ଦେବା
ଗଢିବାକୁ ଅଛି ପରା ଏ ସମାଜରେ ଅବହେଳିତ
କେତେ କେତେ ଭଙ୍ଗାଚାଳିଆ ।
ପୁଣିଥରେ ଚକ୍ରାନ୍ତର ଗନ୍ଧ ନାକରେ ବାଜିଲାଣି
ଦିଶୁଅଛି ଧୁର୍ତ୍ତ ଉଡ୍-ଉଡବ୍ରିଜ୍-ଡାୟାର୍ ର ସମର ସଜ୍ଜା
ଆ…ସେମାନଙ୍କ ଛଳନା ଆଉ ଅତ୍ୟାଚାରକୁ
ପ୍ରତିହତ କରି ସମୟ ଆଖିର ଲୁହ ପୋଛିବା !
ସବୁ ଦୁଃଖ ଅନୁଶୋଚନାକୁ ଭୁଲି
ପୁଣିଥରେ ଛବିଳର ମୃତଦେହ
ଭାଇ ସୁରେନ୍ଦ୍ର ସାଏ କାନ୍ଧରେ ଶ୍ମଶାନକୁ ବୋହିନେବା,,
ମାଧୋ ସିଂ ର ଶବାଧାରରେ ବନ୍ଧୁତ୍ୱର ଅଶ୍ରୁତର୍ପଣ କରିବା,,
ଏ ମାଟି, ଏ ପାଣି ପବନରେ ପରିପୃଷ୍ଠ ଆମେ…
ଦେହେ ଆମର ଶତ ସିଂହର ବଳ,ଶୌର୍ଯ୍ୟ
ଭୟ କାହାକୁ କାହିଁକି କରିବା ??
ଆମେ ହକ୍ ପାଇଁ ଲଢ଼ିବା…ଲଢ଼ିବା…ଆଉ ଲଢ଼ିବା ,
ଶୈତାନ୍ ସେକ୍ସପିୟରର ମୁଣ୍ଡ ଗଡେଇ ଦେଇ
ବୀର ପୁତ୍ର ଗୋବିନ୍ଦ, କମଳ, କୁଞ୍ଜଳଙ୍କ
ହତ୍ୟାର ପ୍ରତିଶୋଧ ନେବା !!
ବନ୍ଧୁର ଚଲାପଥ ର ଖାଲ ଢ଼ିପରେ
ଶତ୍ରୁର ଦେହକୁ ମୋଡ଼ି ମକଚି ମିଶେଇ ଦେଇ
ଦାୟାଦଙ୍କର ଚଲାପଥ କୁ ମୁଲାୟମ
କରିଦେବା ।
ନଚେତ,
ଏ ଗଣତନ୍ତ୍ରର ବଜାରରେ
ଦଶନ୍ଧି ଧରି ସେମିତି ବିକ୍ରି ହେଉଥିବ
ଫାନସଫୁଞ୍ଜି ଭଳି ମା’ ମାନଙ୍କର ଛୁଆ,,
ନଦୀ ପଠାରୁ ଦେହ ଧୋଇ ଫେରୁ ନ’ଥିବ
ବୁଢ଼ା ବାପର ଅଲିଅଳି ଝିଅ,,
ଭିଡ଼ ଭିତରୁ କ୍ରମଶଃ ହଜି ଯାଉଥିବ
ଛବିରାଣୀ, ବେବିନା, ଇତିଶ୍ରୀ ମାନଙ୍କ ହସିଲା ମୁହଁ,,
ଅନ୍ତିମ ସଂସ୍କାର କରିବାକୁ ମା’ ଟିଏ କାନ୍ଦିକାନ୍ଦି ମାଗୁଥିବ
ଷଢ଼ବର୍ଷୀୟା ଧର୍ଷିତା ପରୀର ଅବଶିଷ୍ଟ ହାଡ଼ !,,
ଦଲାଲ ଲୁଟି ଖାଉଥିବେ ଚାଷୀର ହାଡ଼ଭଙ୍ଗା ମୂଲ,,
କଳା ଅଂଗ୍ରେଜର ମଦପାଣି ପିଇ, ଦାଦନରେ ଖଟି
ମରି ଯାଉଥିବ ଗାଁ ଗଣ୍ଡାର ଭବିଷ୍ୟତ,,
ବୃଦ୍ଧ ମା,ବାପର ଆଖି ଲୁହରେ ଲିଭି ଯାଉଥିବ
ଅସ୍ଥି କଙ୍କାଳସାର ଦେହ, ମନର ଦରଜ ।
ଆ’ କାନ୍ଧରେ କାନ୍ଧ ମିଶେଇବା
ପଛେ ଜୀବନ ଯାଉ, ରକ୍ତମୁଖାର ରକ୍ତ ଶୋଷିନେବା !
ଅନ୍ୟାୟର ଜବାବ ମାଗିବା, ସବୁ ଚକ୍ରବ୍ୟୁହର
ପର୍ଦ୍ଦାଫାଶ କରିଦେବା ,
ଶାସନକଳର ଧୁର୍ତ୍ତ ଶୃଗାଳପଲଙ୍କ ମୁଣ୍ଡରେ
ଠେଙ୍ଗାରେ ପାହାର ଦେବା…,
ଥକ୍କି ପଡ଼ିଲେ ମା’ ମାଟିର କାନି ଘୋଡ଼ିହୋଇ
ଆମେ ଗଭୀର ନିଦ୍ରାରେ ଶୋଇପଡି଼ବା ।
ଦିନେ ନିଶ୍ଚୟ ଆମେ,
ବିଜୟର ଟୀକା ପିନ୍ଧିବା…ଆମେ ହିଁ ଜିତିବା,,
ଦିନେ ଭବିଷ୍ୟତର ବଂଶଧରଙ୍କ ଆଖିରେ
କଳିଙ୍ଗର ପୂର୍ବ ଗାରିମାମୟ ପ୍ରଭାତ ଦେଖିବା ।
ଚାଲିଆ…
ଡରି ନ’ଯାଇ ସଂଘର୍ଷ କରିବା
ପୂର୍ବର ଗୌରବ ଫେରାଇ ଆଣିବା ।
ଆ’…ଛାତିରେ ଲେଖିବା ଉଲୁଗୁଲାନ୍…।
#ଜ୍ଞାନେନ୍ଦ୍ର ପଣ୍ଡା..✍️