#ଅନ୍ଧାରୀ_ଆକାଶର_ତ୍ରୁଟି
********************
ସେମାନଙ୍କୁ ବେଶ୍ ଜଣାଥାଏ ଛଦ୍ମବେଶରେ ଧୋକାଦେଇ
ସର୍ବସ୍ୱ ଆତ୍ମସାତ କରିନେବାର ଚିରାଚରିତ କୌଶଳ
ଅନ୍ଧାର ଆସିଗଲେ ସେଇ ଅସଂଖ୍ୟ ଚୋର ମାନେ
ଖୁବ ସୁନ୍ଦର ବେଶଭୁଷାରେ ସଜ୍ଜିତ ହୋଇ
ଆକାଶରେ ସାଜିପାରନ୍ତି…
ନିରୋଳା ଭଲପାଇବାର ରୂପେଲି ଜହ୍ମ,
ନିସର୍ତ୍ତ ଆତ୍ମୀୟତାର ଟିମ୍ ଟିମ୍ ତାରା ଗଣ,
ସେମାନେ ପୁଣି ମିଛରେ କେବେ କେବେ
ମୋତେ ଆତ୍ମବିଭୋର କରିଦେବାକୁ ସାଜୁଥାଆନ୍ତି
ବହଳେ ସ୍ୱପ୍ନମୟୀ ଆକାଶଗଙ୍ଗାର ମଦହୋସୀ ଭରା
——- “ନିରୁତା ଆଲିଙ୍ଗନ” ।

କେବେ ପୁଣି ସେମାନେ ସାଜୁଥାଆନ୍ତି
ବେହିସାବ ପ୍ରତିଶ୍ରୁତି ଭରା ଉଷ୍ମ ଆବେଗର
ଅନ୍ଧାରୁଆ ମୋହାଚ୍ଛନ୍ନ ଆକାଶ,
ବଛା ବଛା ସ୍ମୃତି ସବୁକୁ ନେଇ
ମୋ ଚାରିପାଖ ଅନ୍ଧାରରେ ବଞ୍ଚିବାର
ଗୋଟିଏ କୁହୁକ ।

ମୁଁ ମାୟାରେ କବଳିତ, ଏ ସବୁର ମିଛ ଭରସାରେ
ରାତିର ଅନ୍ଧାରକୁ ସବୁବେଳେ ସତ ଭାବି ଜୀଏଁ..!

ଅଥଚ, ଆଲୁଅ ଆସିଲାବେଳକୁ,
ମୋ ଛୋଟିଆ ସାମ୍ରାଜ୍ୟର ଲୁଣ୍ଠନ ସରିଥାଏ
ତରତରରେ ଲୁଣ୍ଠିତ ମାଲର ଭାଗବଣ୍ଟା ସାରି ଦେଇ
ଚୋର ସବୁ ଶୋଇପଡିବାର ବାହାନା କରନ୍ତି ,
ଆକାଶରେ ମୁଁ ଦେଖିଥିବା ସ୍ୱପ୍ନ ନ’ ଥାଏ,
ଜହ୍ନ ଜାଗାରେ ଆଉ କିଏ ଜଣେ
ରାଗରେ ପାଚି ଲାଲ ଟହଟହ ଦିଶୁଥାଏ,
ରାତିମାନଙ୍କର ସେ ତାରା ତ୍ରସ୍ତ ହରିଣୀଟିଏ ଭଳି
ନିଜ ଉପସ୍ଥିତିର ପର୍ଦ୍ଦାଫାଶ ହେବା ଆଶଙ୍କାରେ
ଆକାଶର ଅନାବିଷ୍କୃତ ଗୁମ୍ଫାରେ
ନିଶ୍ୱାସ ମାରିବାକୁ ବି ଯେମିତି ଭୁଲିଯାଇଥାଏ,
ଆଖିରେ ମୋର ଆକାଶଗଙ୍ଗା ହ୍ରଦ ସାଜି
ଦିନ ତମାମ ଶ୍ରାବଣର ଭ୍ରମ ସୃଷ୍ଟି କରେ,
ଦୁଇ କୂଳ ଖାଉଥାଏ ..!
ଗତ ରାତିର ବହୁରୂପୀ ଆକାଶ
ଅନ୍ଧାରୀ ରଙ୍ଗକୁ ନିଜ ଦେହରୁ ଲିଭେଇ ଦେଇ
ମିଛ ମାୟାର ନୀଳରଙ୍ଗ ବୋଳି ହେଉଥାଏ ।

ଅନ୍ଧାର ବେଳାର ଜୁଳୁଜୁଳିଆ ପୋକ ଭଳି
ମୋ ଚାରିପାଖରେ ଦିକ୍ ଦିକ୍ ଚମକୁଥିବା ରାତିର ସ୍ମୃତି ମାନେ
ମୋ ସ୍ୱପ୍ନ ମାନଙ୍କର ଶବବାହକରେ ବଦଳି ଯାଉଥାନ୍ତି ।
“ଅବିଶ୍ୱାସରେ ସକାଳକୁ ମୁଁ ଲହୁଲୁହାଣ ହୁଏ
ସେହି ଶବବାହକ ମାନଙ୍କ କାନ୍ଧରେ
ମୃତପ୍ରାୟ-ମଣିଷଙ୍କ ମଶାଣୀକୁ ଯାତ୍ରା କରେ !”

କବିତାରେ ମୁଁ ଏବେ
ଅନ୍ଧାରୀ ଆକାଶକୁ ଏମିତି ଲେଖେ…

“ସେ ଗୋଟିଏ ଭ୍ରମାତ୍ମକ(ଇଲ୍ୟୁଜନାରୀ) ମାୟା ..!” ,,
“ଅନ୍ଧାରରେ ଦାନା ଦେଇ ଆଲୁଅରେ ଜାଲ ଟାଣେ” ,,
“ରାବଣ ଭଳି ଦଶଟି ମୁଣ୍ଡରେ ସଜେଇ ହୁଏ” ,,
“କାହାରିକୁ ଆତ୍ମସାତ କରିବାକୁ ଛଦ୍ମବେଶ ଧରେ” ,,
“ମିଛରେ ମିଠା ମିଠା ସ୍ୱପ୍ନ ସଜାଏ” ,,
—— ସେ କେବଳ ହିଁ ମିଛ କହେ .!
#ଜ୍ଞାନେନ୍ଦ୍ର ପଣ୍ଡା..✍️

 350 total views,  1 views today

Leave a Reply

Your email address will not be published. Required fields are marked *