ସ୍ବେଟର : ଏଥର_ଶୀତ_କାହିଁ !
*************************
ଡିସେମ୍ବରର ଶୀତ ଆସିବା ପୂର୍ବରୁ
ନିଜେ ପିନ୍ଧିଥିବା ଛିଣ୍ଡା ଚାଦର ତଳେ
ମୋ ପାଇଁ ସାଇତି ରଖିଥିବା
ସ୍ନେହ ମମତାର ପଶମିସୂତା ସବୁକୁ ଗୁନ୍ଥିଗୁନ୍ଥି
ମା’ ମୋର ଖୁବ ଆଦରରେ, ମୋ ପାଇଁ ବୁଣିଦିଏ
ଇନ୍ଦ୍ରଧନୁ ବର୍ଣ୍ଣର ସ୍ବେଟର୍ ।
ସ୍ନେହରେ ମୋତେ ତାହା ପିନ୍ଧେଇ ଦେଇ
ଆଖିରେ ମୋର ନିରେଖି କଣ ଦେଖେ କେଜାଣି
ନିଜ ଆଖିରୁ ଟପ୍ ଟପ୍ ଲୁହ ଝରାଏ
ଅସିଆ କାଳର ତା ଛିଣ୍ଡା ଚାଦର ତଳୁ
ଶେଷଥର ପାଇଁ ମା’ ଥରି ଉଠେ, ପୁଣି ଦମ୍ଭ ଧରେ ,
ସ୍ବେଟର୍ ଟିକୁ ପିନ୍ଧି ,, ଯେବେ ମୁଁ ଫିକ୍ କରି ହସିଦିଏ
କରୁଣ ଚାହାଣୀରେ ମା’ ମୋର ବିଭୋର ହସେ ;
ଆଖିରୁ ବହି ଆସୁଥିବା ଲୁହକୁ ପୋଛେ
ତା’ ଦେହକୁ ଥରେଇ ଦେଉଥିବା
ଶୀତକୁ ସିଏ ଭୁଲିଯାଏ ।
ନରମ ହୃଦୟର ବାଲ୍ୟ ଶରୀରଟି ମୋର
ଉଷୁମ ସ୍ନେହ ବୋଳା ସେଇ କବଚଟିକୁ ପିନ୍ଧିଦେଇ
କ୍ରୁର ହୃଦୟର ଭୀଷଣକାୟ ଶୀତକୁ
ଅନାୟାସେ ପରାସ୍ତ କରେ…।
ସରିଯାଏ ଶୀତ…
ଡେଣା କଅଁଳି ଉଠେ ସମ୍ବାଳୁଆ ଦେହରେ
ସମ୍ବାଳୁଆ ପ୍ରଜାପତି ସାଜେ, ଫୁଲକୁ ଖୋଜେ
ମୁଁ ବି ଠିକ୍ ସେମିତି ବାହାରି ଆସେ
ମା’ର ହାତବୁଣା ସ୍ବେଟର୍ ରୁ…,
ଯୌବନରେ ପାଦ ପକାଏ,
ମୋହର ରଙ୍ଗରେ ସୌଖିନ ମନ ମୋର
ସୁବର୍ଣ୍ଣମୃଗକୁ ଖୋଜେ..!
ଫେରିଆସେ ଶୀତ… ଯୌବନରେ ଅଗ୍ନି ଜଳାଏ ,
ଏଥରକୁ ପ୍ରେମିକା ବାଛିଦିଏ
କେତେ କିସମର ଶୀତ ପରିଚ୍ଛଦ
କେବେ କାନାଡ଼ା ମ୍ୟାକମିଲାନ୍, କେବେ କାରହାର୍ଟ୍,
ପୁଣି ବର୍ବେ୍ରୀ ତ ପୁଣି କେବେ
କଲମ୍ବିଆ ଷ୍ଟିନ୍ସ୍ ମାଉଣ୍ଟେନ୍ ର ଫ୍ଲିସ୍ ଜ୍ୟାକେଟ୍
ପୁଣି କେବେ ପ୍ରେମିକାର ଶକ୍ତ ଆଲିଙ୍ଗନ ଓ ଓଠ ଛୁଆଁରେ
ଦେହରେ ମୋର ଭରିଯାଏ ଆଗ୍ନେୟଗିରିର ଉତ୍ତାପ ।
ଯୌବନ ସରୁନ’ଥାଏ କଟିନ’ଥାଏ ଶୀତ…
ବିରହ ମାଡ଼ିଆସେ..!!
ବିଗତ ଦିନ ଗୁଡ଼ିକ ସ୍ମୃତି ସାଜେ, କନ୍ଦାଏ ! ପୁଣି ଜଳାଏ !
ଶୀତ ସବୁଦିନକୁ ଅଟକିଯାଏ… ଅନ୍ତରାତ୍ମା ଥରାଉଥାଏ ।
ସମୟର ବ୍ୟବସ୍ଥିତ ଘୁର୍ଣ୍ଣନରେ
ଶୀତବସ୍ତ୍ର ଧରି ପୁଣିଥରେ ଡିସେମ୍ୱର ଆସେ…
ଅନେକ ଆଶା ନେଇ ମୁଁ ବିପଣି ସବୁକୁ ଧସେଇ ପଶେ
— ‘ ଅଛି କି ମା’ ହାତବୁଣା ସ୍ବେଟର୍ ?? ‘
ସବୁ ଦୋକାନରେ ପଚାରି ପଚାରି ଖୋଜେ…
ହେଲେ ଖୋଜିପାଏନା !!..ସତରେ ମୁଁ ନିଃସଙ୍ଗ ହେଉଥାଏ..!!
ଏକା ଏକା ଅବଶ ମୁଁ
ସ୍ବେଟର୍ କିଣେ, ଜ୍ୟାକେଟ ବି କିଣେ
ଜାଣି ନ’ପାରି ଅଲକ୍ଷ୍ୟରେ ଏ ସବୁ ସାଥିରେ
ଶୀତକୁ ବି କିଣି ଆଣୁଥାଏ..!!
ଶୀତ ବଢ଼େ, ବଢୁଥାଏ, ଆଉ ମଣିଷମରା ସାଜୁଥାଏ…
ଆଖି ଲୁହରେ ଭିଜିଯାଏ ମୋର ଆତ୍ମା…
ଶୀତ ମୋତେ ନିଃସଙ୍ଗ କରିଦିଏ
ଏଇ ଚାକଚକ୍ୟ ସହରରେ
ଅପରିଚିତ ସଜାଇଦିଏ…।। ×××××
….. …… ……
…….. …
ମୋତେ ଦିଶୁଥାଏ ଅଦୂରରେ, ପିଲାବେଳର ଅଗଣାରେ
ମା’ ମୋତେ ହାତଠାରି ଡାକୁଥାଏ…
ଯେମିତି ସିଏ ମୋତେ କହୁଥାଏ…
‘ “ଧନରେ ଆ ଶିଖିବୁ ପୁଣିଥରେ
ଶୀତକୁ ହରେଇବାର କଳା…” ‘
ଏବେ ଏବେ ସହରରୁ ଛିଟକି ପଡୁଥାଏ
ମୋ ଭିତରେ କେବେଠାରୁ ଲୁଚି ରହିଥିବା ସେ ଛୋଟପିଲା ..!
ମୁଁ ଫେରୁଥାଏ ସହରରୁ ଶୀତକୁ ପଛ କରିଦେଇ
ସାମ୍ନାରେ ମୋର ଦିଶୁଥାଏ… ଧୂଳିଖେଳର ଅଗଣା
ଖେଳି ବୁଲୁଥାଏ ଯେଉଁଠି ମୋ ମା’ର ଅମଳିନ ସ୍ମୃତିବାସ୍ନା
ଯେଉଁ ଅଗଣାରେ ଆଜି ବି ହସିହସି ଲୋଟି ପଡୁଥାଏ ଶୁଭ୍ର,ପୀତ, ଗୋଲାପୀ ବର୍ଣ୍ଣର ସାଇରୀୟେକା
ଏବେ ବି ଯେଉଁଠି ଅଜସ୍ର ଆତ୍ମୀୟତାର ଛୁଆଁରେ
ମୋ ପାଦତଳ ଘାସ, ଗେଣ୍ଡୁ ଓ ମନ୍ଦାର
ସମସ୍ତେ ମିଶି ମୋତେ କହୁଥାନ୍ତି…
” ଆ… ଚାଲିଆ…
ସାଙ୍ଗ ହୋଇ ଅଗଣାରେ ଲୋଟିଯିବା
ପିଲାବେଳର ଖରାକୁ ଖେଳିବା…”
ଠିକ୍ ଏତିକିବେଳେ ଆପଣା ଛାଏଁ ଖୋଲି ଯାଉଥାଏ ,,
ଘରଭିତର କୋଣରେ ଥିବା ମା’ ର ହାତବାକ୍ସ
ତା’ ଭିତରୁ ଦିଶି ଯାଉଥାଏ ମୋ ପିଲାବେଳ
ବେଶ୍ ଆଦରରେ ସଜେଇ ରଖା ଯାଇଥିବା
ମା’ ହାତବୁଣା ଇନ୍ଦ୍ରଧନୁ ରଙ୍ଗର ସ୍ବେଟର ।
ମୁଁ ଏକାନ୍ତରେ ବିଭୋର ହସି ଉଠୁଥାଏ
ମା’ ବି ଯେମିତି ହସି ଉଠୁଥାଏ ଆଜି ମୋ ସାଙ୍ଗରେ…
ସ୍ମୃତିର ସ୍ବେଟରକୁ ଉଠାଇନେଇ
ସେଥିରୁ ମୁଁ ଲମ୍ବା ଆଘ୍ରାଣ ନିଏ,
ମୋ ପିଲାବେଳକୁ ପୁଣିଥରେ ମୁଁ ପିନ୍ଧିବାକୁ ଚେଷ୍ଟାକରେ…
ସ୍ମୃତିର ସେ ସ୍ବେଟର୍…
ଏବେ ଆଉ ପିନ୍ଧି ହୁଏ ନାହିଁ…ବର୍ତ୍ତମାନ ବାଧାଦିଏ !
ମୋ ଆଖିରେ ଲୁହ,, ତଥାପି ମୁଁ ହସି ଉଠୁଥାଏ
ବର୍ତ୍ତମାନର ଏଇ ମୁହୂର୍ତ୍ତ ମୋତେ ବୁଝେଇ ଦେଉଥାଏ
କାହିଁକି ମା’ ମୋର ପିଲାବେଳେ ଏମିତି
ଆଖିରେ ଲୁହରଖି ଛିଣ୍ଡା ଚାଦର ତଳୁ ହସୁଥିଲା
ମୁଁ ତା’ ହାତବୁଣା ସ୍ବେଟର୍ ପିନ୍ଧିଲେ..!
ହଁ…ଏଥର ମୁଁ ଖୁବ ହସୁଛି
ଡିସେମ୍ବରର ବାଘୁଆ ମଣିଷମରା ଶୀତରେ
ଆଉ ଯଦି କେହି ପଚାରୁଛି
— “ସତରେ କଣ ତୋତେ ଶୀତ ନାହିଁ..??”
ମୁଁ ଆଶ୍ଚର୍ଯ୍ୟ ଚକିତ ହୋଇ ଭାବୁଛି
— “ଏଥର ଡିସେମ୍ବରରେ ଶୀତ କାହିଁ ..!!”
#ଜ୍ଞାନେନ୍ଦ୍ର ପଣ୍ଡା..✍️
400 total views, 1 views today