#ନୀଳବହ୍ନି – ୫ :
#ସାରା_ରାତି_ବର୍ଷା
*****************
କାଲିଠାରୁ ଶୁଣି ପାରୁଥିଲି
ତୁମେ ଅଭିଯାତ୍ରାରେ ବାହାରିଛ
ଆଶଙ୍କା ମିଥ୍ୟା ନ’ଥିଲା ତେବେ
ତୁମେ ଖୁବ ଜିଦିଆଟେ ପରା
ନିଶ୍ଚୟ ଏଇଠୁ ଚାଲିଯିବ…
ଗଲା ରାତିରେ ଖୁବ ଝଡ଼ବର୍ଷା
ଛିଣ୍ଡି ଯାଇଛି ସବୁ ମୟୁରର ଚୂଳ
ନିଶ୍ଚିହ୍ନ ହୋଇଯାଇଛି ସେ ଝଡ଼ରେ
ତୁମ ବଂଶୀ ଲାଗି ସଂରକ୍ଷିତ
କୁଞ୍ଜବନର ବିଶାଳ ବାଉଁଶ ବୁଦା..।
ପ୍ରିୟତମ, ତୁମେ ଖୁବ କପଟିଆ
ଚାଲିଯିବ ବୋଲି
ସ୍ମୃତି ସବୁ ଲିଭେଇ ଦେଉଛ ..?
ଏଡ଼େ ସହଜ କି କୁହ
ପ୍ରିୟତମକୁ ବିଦାୟ ଦେଇ ଆସିବି..!
ଦୁଃଖର କାଳିମା ମୁହଁରେ ବୋଳି
ଗାଁ ଶେଷ ମଥାନରେ ବସିଥାଏ ସଖୀ…
ଜାଣିନ’ କି…
ପ୍ରିୟତମ ଯଦି ହୁଏ କୃଷ୍ଣ…
ସେ ତ ଏଡ଼ାଇ ହେଉନ’ଥିବା ଆତ୍ମଗୋପନ..!
ଖୋଜିନିଏ କୃଷ୍ଣ ତା’ ସଖୀକୁ
ହୁଏତ, ସଖୀ ଧରାଦେବାକୁ ଲୁଚିଥାଏ…
ଗୋ ରାଧେ…
ବିଦାୟ ଦେବନି ମୋତେ..?
ବିଦାୟର ଏ ମହାର୍ଘ୍ୟ ବେଳାରେ..!
….
..
କିଛିକ୍ଷଣ ନୀରବତା…
ସଖୀ ଆଖିରେ ଛଳଛଳ ଅନୁନୟ
କୃଷ୍ଣ…ପୁଣି କେବେ ଆସିବ କି ନା’ କୁହ..?
କୃଷ୍ଣଙ୍କ ଓଠରେ ଏତିକି ମାତ୍ର ଉତ୍ତର
ସଖୀ..! ଏ ନିୟତି ବଡ଼ କ୍ରୁର
କର୍ତ୍ତବ୍ୟ ଯେ ବଡ଼ କଠୋର ।
ପ୍ରିୟତମ,
କଥାଟିଏ ପଚାରିବି
ଯିବାକୁ ଥିଲା ଯଦି ତେବେ ଆସିଲ କାହିଁକି..!
ରାଧା ଓଠରେ ପୁନର୍ବାର ଅନୁନୟର ପ୍ରଶ୍ନ
ସତ କହିବ ମୁଁ ତୁମକୁ ମନେ ପଡ଼ିବି..?
ଦୁଇଟି ହୃଦୟର ତନ୍ତ୍ରୀରେ
ଘୋ’ କରି ଉଠେ ନଈବଢି ପରି
ବିଦାୟକାଳୀନ ଦୁଃଖର ଭୈରବୀ ରାଗ ।
ରାଧେ…
ତୁମେ ଜାଣିଛ କି ନାହିଁ
ଏ ଦୁନିଆଁରେ ଆମେ ସେଇ ଦୁଇ ଜଣ
ଯାହାଙ୍କୁ ଟିକିଏ ବି
କାନ୍ଦିବାର ଅଧିକାର ନାହିଁ…।
ଦୀର୍ଘଶ୍ଵାସକୁ ବନ୍ଦୀ କରିନେଇ
ଶେଷ କାମନାଟିଏର
ଅନୁରୋଧ କରି ବସେ, ସଖୀ…
ପ୍ରିୟ,
ସମସ୍ତେ ତୁମକୁ ପରା ଦେବତା କହନ୍ତି
କଥାଟିଏ ମୋର ରଖିବ..?
ଦେଇପାରିବ ଆଶୀର୍ବାଦଟିଏ
ଏ ଜଗତେ କେବେ ହେଁ ଆଉ
ରାଧାଟିଏ ଜନ୍ମ ନ’ ହେଉ..!
କିଛି ଭିକ୍ଷାର ପ୍ରାପ୍ତି ନ’ଥାଏ
ଏ ଭିକ୍ଷାର ପ୍ରାପ୍ତି ନାହିଁ..!
ନିଶବ୍ଦ ଫେରୁଥିଲେ ପ୍ରେମପୁରୁଷ
କିଏ ଜାଣେ ସିଏ
କଥାଟିକୁ ରଖିଲେ କି ନାହିଁ..!
କୋଇଲିଟିଏ,
କେଜାଣି କାହାର
ବଂଶୀସୁରକୁ ଚୋରାଇ ନେଇ
ପାଖ ଡାଳରେ ବସି ଗାଉଥିଲା…
ଯେଉଁ ପ୍ରେମବହ୍ନିର ବର୍ଣ୍ଣ ନୀଳ
ତାହା କେବେ ଲିଭେନାହିଁ…ଲିଭେନାହିଁ ।
#ଜ୍ଞାନେନ୍ଦ୍ର ପଣ୍ଡା..✍️
Hello there! Would you thoughts if I share your site with my zynga group? There’s a whole lot of people that I believe would really appreciate your content material. Make sure you allow me to know. Numerous many thanks