#ନୀଳବହ୍ନି – ୪
#ବନ୍ଦୀ_ଦୀର୍ଘଶ୍ଵାସ
****************
ସେଦିନ ଥମକିଥାଏ ସମୟ ସେଇଠି
ଷୋଳସହସ୍ର ଗୋପୀଙ୍କ ଚକ୍ଷୁରେ
ଥଳକୂଳ ଭୁଲି ଲହଡ଼ି ମାରୁଥାଏ ଯମୁନା..!

ଆଉ ବିମଳା..?

ଥରଥର କମ୍ପିତ ତା’ ଓଠରେ
ବୋଧହୁଏ, ତୃତୀୟ ଥର ସେଇ ଏକା ପ୍ରଶ୍ନ
ଏ ନନ୍ଦ ଗାଁ ଛାଡ଼ି ଚାଲିଯିବୁ କାହ୍ନା..?
ପୁଣି ଅନୁରୋଧର ଶେଷ ଚେଷ୍ଟା
ଆମକୁ ଛାଡ଼ି ତୁ’ କୁଆଡେ ଯାଆନା…ରେ ।

ଦାଣ୍ଡରେ ପଶ୍ଚିମ ଦିଗ ମୁହାଁ ସଜ୍ଜିତ ରଥ
ଶୁଭୁଥାଏ ମର୍ମନ୍ତୁଦ ଘୋଡ଼ା ଟାପୁ ଶବ୍ଦ
ବିମଳା ଛାତି ହୁଏ ବିଦୀର୍ଣ୍ଣ କ୍ଷତାକ୍ତ…

ବିମଳା..!
ତୋ ହୃଦୟରେ ସର୍ବଦା ରହିବି…

ଏ ନିଶ୍ଚୟ ପୁଣି ଏକ ଆଶ୍ବାସିତ ଭ୍ରମ…
ହାୟ ନୀଳପୁରୁଷ..!
ତୁମ ଜନ୍ମଠାରୁ ଏ ଜଗତକୁ
କିଆଁ ଭ୍ରମରେ ରଖିଛ..?

ଜାଣିଛୁ କାହ୍ନା…
ମୋ ହୃଦୟର ସଂଗୋପିତ ପରିଭାଷା..?
ତୋ ବିବାହରେ ହୋଇଥାନ୍ତି ନୃତ୍ୟରତା
ଏଇତ ଥିଲା ମୋର ଏକମାତ୍ର କାମନା,
ତୋ ହସ୍ତର ଚିତାରେ ଜଳିଥାନ୍ତି ଦିନେ
ଏଇ ଥିଲା ମୋର ଶେଷ ବାସନା…!

କହିପାରିବୁ…
ଗାଈଆଳ ପିଲା ମନରେ
ପୁଣି କେମିତି ଭରା ଏତେ ଛଳନା..?
ଓଃ…ତୁ ପରା ରାଜାର ପୁଅ ରାଜା
ତୋ ଚରିତ୍ରରେ ନ ରହିବ କେମିତି ଛଳନା..!

ଯେଉଁ କୋହର ଯନ୍ତ୍ରଣା
ଅଟକି ଯାଏ ଗଳା ପାଖରେ
ଏବେ ସେହି ଯନ୍ତ୍ରଣା ଓ କୋହ ଘାରୁଥାଏ
ନୀଳପୁରୁଷର ଛାତିରେ…

କଥାର ମୋଡ଼ ଏଇଠୁ ବଦଳେ…
ଅଥଚ ବଦଳେନି ସମୟର କ୍ରୁରତା…

ଯାଉଛି ବିମଳା…ମୋତେ ବିଦାୟ ଦେ…
ହଁ…
ଉପହାର କିଛି ଦିଅନ୍ତୁନି ଗଲାବେଳେ..!

..
କାହ୍ନା…ନେବୁ କି… ଆଖି ଅଶ୍ରୁ
ଏଇତ ଗରିବର ଶ୍ରେଷ୍ଠତମ ଉପହାର
ସେତିକି ହିଁ ତା’ର ଲାଭ ସେତିକି ହିଁ ତା’ର ମୂଳ ।

ହେଲେ କାହ୍ନା…ତୁ ତ’ ରାଜା…
ଏ ଅଶ୍ରୁରେ କରିବୁ କଣ..?
ଆନମନା କାହ୍ନା କହେ ଦୀର୍ଘଶ୍ଵାସ ଚାପିଦେଇ
ଯାଃ… ତୁ ଗୋପୀନି ମିଛେଇ
ଗଲାବେଳେ ଉପହାର ବି ଦେଲୁନାହିଁ..!

ବିମଳା କହେ…
ତୋ ନୀଳବହ୍ନିରେ,
ବିମଳା ଦିନେ ଉଜୁଡ଼ି ଯିବାପରେ
ଆଉ ପାଖରେ ବାକି କଣ ଅଛି କହ..?

ନୀଳପୁରୁଷକୁ ଆଢୁଆଳ କରି
ବିମଳା ଘୁରି ପଡ଼େ… ଫେରି ଆସୁଥାଏ…
ଗୁଣୁଗୁଣୁ, ଅଶ୍ରୁ ସଜ୍ଜଳ ଆଖିରେ କହୁଥାଏ
ଯା କାହ୍ନା … ରହିବୁ ଯା ଖୁସିରେ… ।
#ଜ୍ଞାନେନ୍ଦ୍ର ପଣ୍ଡା

 264 total views,  1 views today

Leave a Reply

Your email address will not be published. Required fields are marked *