#ନୀଳବହ୍ନି – ୨ :
#ଆତ୍ମିକ_କୁଞ୍ଜବନ
**************
ବାରମ୍ବାର ହୁଏ ମୁଁ ଚେତନାସ୍ଥ
ମହାନ ସେ ମାଟିକୁ ଛୁଇଁବା ନିମିତ୍ତ…
ଯେଉଁ ମାଟିର ବୃକ୍ଷଲତା ଫଳପୁଷ୍ପରେ
ତାହାଙ୍କ ସ୍ପର୍ଶରେଣୁ ସଦା ବିଦ୍ୟମାନ
ସେହି ନୀଳପୁରୁଷଙ୍କ ଏ ଯେ କୁଞ୍ଜବନ…
ଦେଖ କେମିତି
ମୁଁ ପୁଣି, ଚେତନାସ୍ଥ ଧାଇଁ ଆସିଛି,
ହେ କୁଞ୍ଜବନ..!
ତୁମେ ଯେମିତି ମୋର
ଜନ୍ମଜନ୍ମାନ୍ତରର ଦୁର୍ବାର ଆକର୍ଷଣ ।
ଜାଣିଛ…,
ଏକ ଦୁଃଖଦ ସତ୍ୟ
କାମନା ଯଦି ପୂର୍ଣ୍ଣ ନ’ ହୁଏ
ଈଶ୍ୱରଙ୍କୁ ବଦଳାଏ ଏବେକାର ମଣିଷ..!
ହାୟ… ଏ ଅଧୁନାତମ ଆର୍ଯ୍ୟାବର୍ତ୍ତ,
ଯେଉଁଠି ପ୍ରେମ କେବଳ
ସ୍ୱାର୍ଥଗତ ଓ ନିମିତ୍ତମାତ୍ର ,
ଯେଉଁଠି ଦଳଦଳ ଛଦ୍ମବେଶୀ
ଅଭିନୟ କରନ୍ତି ମିଥ୍ୟା ପ୍ରେମର ଚରିତ୍ର..!
ଅଥଚ,
ତୁମେ କିନ୍ତୁ ଏକ ବ୍ୟତିକ୍ରମ..!
କାଳ କାଳାନ୍ତର କିମ୍ୱା ବିରହ ପରେ
କ୍ରମବର୍ଦ୍ଧିତ ହୁଏ ତୁମରି ପ୍ରେମ..!
ହୃଦୟରେ ଆଜି ମୋର ବିଷାଦ
ଶଙ୍କାଗ୍ରସ୍ତ ମନରେ ମୋର
ଆଜି ବାରମ୍ବାର ଉଠୁଛି ଗୋଟିଏ ପ୍ରଶ୍ନ…
ହେ ପ୍ରିୟ କୁଞ୍ଜବନ..!
କହିପାରିବ,
ଦିନେ ତା’ହେଲେ ସମସ୍ତେ
ଏମିତି ପାଶୋରି ଦେବେ କି
ସେହି ନୀଳପ୍ରେମିକଙ୍କ ପରମ ପ୍ରେମ..?
କୁହୁ…କୁହୁଉ…କୁହୁଉଉ…
ଭାସିଆସେ ବଂଶୀର ସମ୍ମୋହନ ସ୍ୱର
ନିରୁତ୍ତର ରହେ ପୁଣି କୁଞ୍ଜବନ
ବଂଶୀରେ ପୁଣି ହୁଏ ସେ ମଗ୍ନବିଭୋର…।
ମୁଁ,
ପୁଣି ଅସହାୟ ଛିଡା ହୁଏ..!
ତେବେ କିଏ ଦେବ ଯଥୋଚିତ ଉତ୍ତର
ମୋ ପ୍ରଶ୍ନର..?
ମୋ ଶଙ୍କାର..? ମୋ ବିଷାଦର..?
ଦୂରରୁ କ୍ରମାଗତ ପାଖେଇ ଆସୁଥାଏ
ସୁଲଳିତ କଣ୍ଠଟିଏର ରୁଣୁଝୁଣୁ ସ୍ୱର… (କ୍ରମଶଃ)
#ଜ୍ଞାନେନ୍ଦ୍ର ପଣ୍ଡା..✍️