#ବିରହିଣୀ_ରାଇ
◆◆◆◆◆◆◆◆◆
ଅଧୈର୍ଯ୍ୟପଣର ଭୀଷଣ ଲହଡିରେ ଭାଙ୍ଗୁଛି
ପ୍ରଲମ୍ବିତ ଧୈର୍ଯ୍ୟର ବନ୍ଧ ବାଡ଼
ସବୁଜ ବନାନୀର ଉତ୍ତରୀୟରେ
ପତ୍ରଝଡ଼ାର ଛିଟ ଦାଗ,
ସୁଗନ୍ଧ ପୁଷ୍ପ ରୁ ହଜି ଗଲାଣି ତା’ ସୁବାଷ
ଆକାଶେ ଖିଲିଖିଲି ହସୁଥିବା ତାରା ପୁଞ୍ଜଙ୍କ
ମୁଖମଣ୍ଡଳ ପଡିଗଲାଣି ମଳିନ ।

କେତେ ଆଉ
ନୀରବ ଯନ୍ତ୍ରଣାର ଗହଣରେ କାଳ କାଟିବି ?
କେତେ ଆଉ
ତୁମର ସେହି ଫେରନ୍ତା ପଦ୍ମଯୁଗଳକୁ ଚାହିଁରହିବି ?

ମୋ ସ୍ଵପ୍ନମାନଙ୍କ ମୃତଦେହରେ
ଅବିରତ ଅଶ୍ରୁ ସିଞ୍ଚନ କରି
ଶୁଷ୍କ ଏବେ ମୋର ଦୁଇ ଆଖି
ଆଶା, ଆକାଂକ୍ଷାର ସମାଧିରେ ।

ଆଉ ଯଦି ଭୁଲ ବଶତଃ ଅବୁଝା ହୋଇ
କେବେ ହୃଦୟ ମୋର କାନ୍ଦିଦିଏ ,
ତେବେ ଆଖିରୁ ଲୁହ ନ’ ଗଡ଼ି
ବହିପଡ଼େ ଧୈର୍ଯ୍ୟସିନ୍ଧୁରୁ
ଟୋପାଟୋପା ଜଳବିନ୍ଦୁ ।

ଦର୍ଶନ ଦିଅ ଥରେ
ମୋର ବାକିଥିବା ଆୟୁଷର
ନିଅଣ୍ଟିଆ ସମୟ ଭିତରେ ।

ତୁମ ପ୍ରେମର ନିଷ୍ପ୍ରଭ ଜ୍ୟୋତିରେ
ଜ୍ୟୋତିର୍ମୟ କରିଦିଅ ଥରେ
ଅମାପ ଅନ୍ଧକାରକୁ ଦୂରେଇ
ମୋର ଅବଶିଷ୍ଟ ଜୀବନରେ ।

ଉଦବିଗ୍ନ ହୃଦୟ ମୋର
ସତେ ଯେମିତି ଖଣ୍ଡବିଖଣ୍ଡିତ ହୋଇ
ବିଚ୍ଛୁରିତ ହୁଏ ଦିଗବିଦିଗରେ
ମୁଁ ଜୀଏଁ ଏଇ ଆଶାରେ
କାଳେ ମୋ ଅପେକ୍ଷାର ପରିସମାପ୍ତି ଘଟିବ
କେଉଁ ଏକ ମହାର୍ଘ୍ୟ ମୁହୂର୍ତ୍ତରେ ।

ହେ ପ୍ରିୟ !!
ଅନାଦି କାଳରୁ ଭୁଜ ବିସ୍ତାରି
ତୁମ୍ଭ ଅପେକ୍ଷାରେ ମୁଁ ଦଣ୍ଡାୟମାନ
ଥରୁଟିଏ ବାସ୍ ଥରୁଟିଏ
ଆଲିଙ୍ଗନ କରିନିଅ
ତୁମ ବିରହିଣୀ ରାଇକୁ ଥରେ
ତା’ ପିଣ୍ଡରୁ ଶେଷ ନିଶ୍ୱାସ ଛାଡିଲା ଯାଏଁ ।
●●●●●●●●
# ଦୀପିକା ଦାଶ

 163 total views,  3 views today

Leave a Reply

Your email address will not be published. Required fields are marked *