ଛଦ୍ମବେଶୀ ସାଥୀ
◆◆◆◆◆◆◆◆◆
ଛଦ୍ମବେଶୀ ସାଥୀ ମୋର,
କେବେ ଷୋଳଟି ଫଗୁଣର
ଜହ୍ନ ରାତି ଆଣି
ମନରେ ମୋର ପୁଲକ ଭରିଦିଅ
ତ ପୁଣି କେବେ
ମେଘମେଦୁର ମନ ଆକାଶରେ
ବର୍ଷା ସାଜି ,
ଅଶ୍ରୁ ରୂପେ ଝରିଯାଇଛ ଆଖିରୁ ମୋର ।
କେବେ ମିଠା ମିଠା ସ୍ୱପ୍ନ ବୁଣିଦିଅ
ଆଶାର କିଆରୀରେ
କେବେ ପୁଣି ଦୁଃସ୍ୱପ୍ନ ହୋଇ
ଗଜୁରି ଉଠିଛ ସ୍ମୃତି ନଈର ତୀରେ ।
କେବେ ପୁନେଇର ଜହ୍ମ ସାଜି ଆଣିଦିଅ ଶହେ ଷୋହଳଟି ପ୍ରୀତି ରାତି
କେବେ ପୁଣି ଅମାବାସ୍ୟାର
ଅମାପ ଅନ୍ଧାର ବିଞ୍ଚିଦେଇ
ଅନ୍ଧକାର କରିଦେଇଛ ମୋର ଦିବାନିଶି ।
କେବେ ଦରଦୀ ବନ୍ଧୁଟିଏ ସାଜି
ଜଖମରେ ମୋର ଲଗାଇଛ ମଲମ
ତ ପୁଣି କେବେ ନିର୍ଦ୍ଦୟପଣର
ସବୁ ସୀମା ଟପି
ଭରିଦିଅ କ୍ଷତ ସ୍ଥାନରେ ଲବଣ ।
ଏମିତି ଅଦ୍ଭୁତ ସାଥୀଟିଏ ସିଏ
ଯାହାର ଭାବନା ଭିତରେ ମୁଁ
କେବେ ଦି ଟୋପା ଲୁହ ଗଡ଼ାଏ ଖୁସିରେ
ପୁଣି କେବେ ହସି ଦେଉଥାଏ ଦୁଃଖରେ।
★★★★★★
#ଦୀପିକା ଦାଶ
385 total views, 1 views today