*#ଅପରିଚିତ – ୩*- ଇତସ୍ତତଃ
★★★★★★★★★★★★
ହେଇତ ପ୍ଲାଟଫର୍ମର ଆଗ ମୁଣ୍ଡରୁ
ଡ଼ାକବାଜି ଯନ୍ତ୍ରର ସ୍ୱର ଶୁଭିଲାଣି
” କୋଣାର୍କ ଏକ୍ସପ୍ରେସ
ଆଉ କିଛି ସମୟ ମଧ୍ୟରେ
ଦୁଇ ନମ୍ବର ପ୍ଲାଟଫର୍ମ ରେ ପହଁଚିଯିବ ” ;
ମୋତେ ଲାଗୁଥାଏ ସତେ ଯେମିତି
ଘଣ୍ଟା କଣ୍ଟା ମିନିଟ କଣ୍ଟା ମାନେ ପହଂଚି ଯାଇଛନ୍ତି
ଜରାଜୀର୍ଣ୍ଣ ଅବସ୍ଥାରେ
ନିଜ ଆୟୁଷର ନିର୍ଦ୍ଧାରିତ ସୀମାରେ…।
ଅସମର୍ଥ ପାଦ ସେମାନଙ୍କ
ଆଗକୁ ଆଗେଇ ନ’ ପାରି
ଅଟକିଯାଇଛି ଗୋଟିଏ ସ୍ଥାନରେ
ଆଉ ସେମାନେ ନିସ୍ତବ୍ଧ ହୋଇ ଯାଇଛନ୍ତି
ଯେମିତି ଥକ୍କା ମେଣ୍ଟାଇବା ଉଦ୍ଦେଶ୍ୟରେ
।
ମୋର ସବୁ ନେହୁରା ଅପହଞ୍ଚ ଆଜି
ସେମାନେ ସମ୍ପୂର୍ଣ୍ଣ ରୂପେ ଯେମିତି
ଯାଇଛନ୍ତି ବଧିର ପାଲଟି ।
ମାତ୍ର ସ୍ୱଳ୍ପ ସମୟର
ଅପେକ୍ଷାରତ ମୁହୁର୍ତ୍ତଟିଏ ଭିତରେ ବି
ମୁଁ ସାଜୁଥାଏ ଧୈର୍ଯ୍ୟହରା ପକ୍ଷୀଟିଏ ,
ଉଡିବାକୁ ଚେଷ୍ଟା କରି ମଧ୍ୟ ପାରୁନଥାଏ ଉଡ଼ି
ବସିଥାଏ ଉଦବିଗ୍ନ ଡେଣା ମେଲାଇ
ମୋର ପ୍ରିୟତମର ଲେଉଟାଣି ପାଇଁ ।
ଯେମିତି କେଉଁ ଏକ ଅନାଦି କାଳରୁ
ବିଦାୟ ଦେଇଛି ତାକୁ ,
କ୍ଲାନ୍ତଶ୍ରାନ୍ତ ମୋର ଏଇ ଆଖି ଦ୍ୱୟକୁ
ବିଶ୍ରାମ ଦେବି ଆଜି
ଥରୁଟିଏ ମନଭରି ଦେଖିଦେଇ ତାକୁ ।
ବେଳ କୁ ବେଳ
ମୋ ମନ କ୍ରମଶଃ ଆଜି ଅସ୍ଥିର
ଉତ୍କଣ୍ଠା ବି ହେବାକୁ ଲାଗୁଥାଏ ତୀବ୍ରତର
ଏଣେ ତେଣେ କୋଣେ ଅନୁକୋଣେ
ମୁଁ ଅନ୍ଵେଷଣ କରୁଥାଏ
କେବଳ ପ୍ରତିଚ୍ଛବି ତୁମର ।
ଆସିଛି କୋଣାର୍କ ଏକ୍ସପ୍ରେସ୍ ପୁଣି ଚାଲିଯାଇଛି
କିନ୍ତୁ କାହିଁ ?
ମୋ ପ୍ରିୟର ଆସିବାର ଚିହ୍ନବର୍ଣ୍ଣ ??
କି ଫେରିଯିବାର ପଦଚିହ୍ନ ??
ଇତସ୍ତତଃ ଖୋଜି ବୁଲିଲି
ଦାନ୍ତରେ ନଖ କାମୁଡିବାକୁ ଲାଗିଲି
ପୁଣି ମଥାକୁ ମୋର ହାତରେ ଟିକେ ବାଡେଇଲି…
ଆଉ ମୋର ଏଇ ପାଗଳାମି ଉପରେ
ଟିକେ ସ୍ମିତ ହସ ହସିଲି…
କାରଣ,
ମଙ୍ଗଳବାର ପରିବର୍ତ୍ତେ
ସୋମବାର ରେ ମୁଁ ଚାଲିଆସିଲି
ପାଛୋଟି ନେବି ମୋ ପ୍ରିୟକୁ ବୋଲି…… !!
★★◆◆★◆◆★★
#ଦୀପିକା ଦାଶ
890 total views, 1 views today