*ଅନ୍ଧାରର ଲୁହ*
********
ହଠାତ ରାତ୍ରିଅଧରେ ନିଜ ଘରର ଡ୍ରଇଂରୁମରୁ କୋଳାହଳ ଭାସି
ଆସୁଥିବାର ଶୁଣି ଜଷ୍ଟିସ ଚୌଧୁରୀଙ୍କ ନିଦ ଭାଙ୍ଗିଗଲା । ଆଖିକୁ ମନ୍ଥି
ମନ୍ଥି ସିଏ ଡ୍ର’ ରେ ଥିବା ଚଷମାଟିକୁ ପିନ୍ଧି, ଖଟ ତଳେ ଥିବା ସ୍ଲିପରକୁ ଗୋଡ଼ରେ ଗଳାଇ ସେ ବାହାରିଗଲେ ଡ୍ରଇଂ ରୁମ ଆଡ଼କୁ । ତାଙ୍କୁ ଯିବା ଦେଖି ତାଙ୍କ ଧର୍ମପତ୍ନୀ
ବି ତାଙ୍କ ପଛେ ପଛେ ଚାଲିଗଲେ ।

ଡ୍ରଇଂରୁମର ଫୁଲଦାନୀ ଭାଙ୍ଗି
କାଚ ସବୁ ଖିନଭିନ ହୋଇ ପଡିଛି । ଆଉ ଠାଏଂ ଠାଏଂ ରକ୍ତର ଛିଟା ବି
ଲାଗିଛି । ଜଷ୍ଟିସ ଚୌଧୁରୀ ପହଂଚିବା ପୂର୍ବରୁ ତାଙ୍କ ଦୁଇ ପୁଅ ଓ ଦୁଇ ବୋହୁ
ସେଠି ପହଂଚି ସାରିଥିଲେ ।

ଆଶ୍ଚର୍ଯ୍ୟ ହୋଇ ସେ ପଚାରିଲେ ଘଟଣା କଣ..??
ସବୁ ଏଠି ଏତେ ରାତିରେ ରୁଣ୍ଡ କାହିଁକି..! ସେମାନଙ୍କ ଠାରୁ କିଛି ଉତ୍ତର ପାଇବା ପୂର୍ବରୁ ହିଁ ତାଙ୍କ କାନରେ ଘରର ୱାଚମେନର ସ୍ୱର ଶୁଭିଲା…।
—ବାବୁ ଜଲଦି ପୋଲିସକୁ ଫୋନ କରନ୍ତୁ…। ଏଇଟା କୁ ମାମୁଁ ଘରକୁ ପଠାଇଦେବା ।
ଘଟଣା କଣ ଜାଣିବାକୁ ସମସ୍ତେ ତିଳେ ମାତ୍ର ସମୟ ନଷ୍ଟ ନକରି ଦୌଡ଼ି ଗଲେ ବାଲକୋନି କୁ ।
ଜଗୁଆ କଥା ଶୁଣିବାକୁ ।

ଚୌଧୁରୀ ବାବୁ ଯାଇ ଦେଖନ୍ତି ତ.., ଗୋଟିଏ ଲୋକକୁ ଜଗୁଆ ହଳିଆ ବାଡ଼ିରେ ପିଟି ପିଟି ଲହୁଲୁହାଣ କରିଦେଇ, ତା ଦୁଇ ଗୋଡ଼କୁ
ଏକ ଶକ୍ତ ରସିରେ ବାନ୍ଧିବାରେ ଲାଗିଛି । ଲୋକଟିର ମୁଣ୍ଡ ଫାଟି ରକ୍ତ ବହି ପଡୁଥାଏ । ହାତର କଟି ଫୁଲି ଯାଇଥାଏ ।
ଦେଖିବାକୁ ଗଲେ ସେଇଟା ଲୋକ ନ’ଥିଲା ବରଂ ଜୀର୍ଣ୍ଣ ଶୀର୍ଣ୍ଣ କଙ୍କାଳ ଟିଏ ଭଳି ଦିଶୁଥିଲା । ଚର୍ମ ଧୁଡୁଧୁଡୁ, ମୁଣ୍ଡ ନୁଖୁରା । ତା ପେଟ ପିଠିକୁ ଲାଗି ଯାଉଥାଏ ।
ଚୌଧୁରୀ ବାବୁ ଜଗୁଆକୁ ବାରଣ କରି କହିଲେ…’ରହି ଯାଆ ଜଗୁଆ ତାକୁ ବାନ୍ଧେ ନାହିଁ ‘। ଏହା କହି ସେ ଜଗୁଆ ହାତରୁ ଦୌଡିଟିକୁ ଟାଣି ଆଣିଲେ ।
ଜଗୁଆ କହିଲା ଆପଣ ଜାଣିନାହାନ୍ତି ବାବୁ ଏଇଟା ଗୋଟିଏ ଚୋର । ଘରର ସବୁ ଚୋରି କରି ଖସି ପଳାଉଥିବା ବେଳେ ମୋ ଚିଲ ଆଖିରେ ଧରାପଡିଯାଇଛି ।ଏଟାକୁ ଜମାରୁ ଦୟା ଧର୍ମ ଦେଖାଇବା ନାହିଁ ବାବୁ ।
ଜଷ୍ଟିସ ଚୌଧୁରୀ ଥିଲେ ନ୍ୟାୟର ପ୍ରତିମୂର୍ତ୍ତି ଟିଏ । ସେ ଲୋକଟିକୁ ଭୂମି ଉପରୁ ଉଠାଇନେଇ ସୋଫାରେ ବସାଇଲେ । ପାଣି ଗ୍ଲାସଟିଏ ଆଣିବାକୁ ତାଙ୍କ ବୋହୂକୁ
କହିଲେ । ଏହାପରେ ତା’କୁ ପାଣି ଗ୍ଲାସଟି ବଢ଼େଇଛନ୍ତି କି ନାହିଁ ଲୋକଟି ଚୌଧୁରୀଙ୍କ
ହାତରୁ ଗ୍ଲାସଟି ଏକପ୍ରକାର ଛଡ଼ାଇନେଇ ଗୋଟିଏ ଢ଼ୋକରେ ସବୁତକ ପାଣି ପିଇଗଲା । ସତେ ଯେମିତି ତାକୁ ଗୋଟିଏ ଜନ୍ମର ଶୋଷ ଲାଗିଥିଲା ।
ତା’ ପରେ ଲୋକଟି ଜଷ୍ଟିସ ଙ୍କ ଗୋଡ଼ତଳେ ପଡ଼ି କାନ୍ଦିବାକୁ ଲାଗିଲା । ଜଷ୍ଟିସ ଚୌଧୁରୀ ତା’କୁ ଆଶ୍ୱାସନା ଦେଇ ତା ନାଁ, ଗାଁ ଓ ଠିକଣା ଆଦି ପଚାରିଲେ ।
ଚୋରି କରିବାର କାରଣ ଜିଜ୍ଞାସା କଲେ । ଅତି କ୍ଷୀଣ ସ୍ୱରରେ ଧକେଇ କାନ୍ଦୁ କାନ୍ଦୁ
ଲୋକଟି ଉତ୍ତର ଦେଲା… “ଆଜ୍ଞା ମୁଁ କହ୍ନେଇପୁର ଗାଁ ର ମାଧବ” । ମୁଁ ଚୋର ନୁହେଁ ଆଜ୍ଞା । ମୁଁ ଚୋର ନୁହେଁ ।
ଦୁଇଟି ଭୋକିଲା ପେଟର ବାପା ଟିଏ ମୁଁ ।
ଭୋକରେ ଆଉଟୁ ପାଉଟୁ
ହୋଇ ବିକଳରେ କାନ୍ଦୁଥିବା ମୋ ଦୁଇ ଛୁଆର ରୋଜଗାର ହୀନ ଅଭାଗା ବାପାଟିଏ ମୁଁ ।
କରୋନା କାଳରେ ଲାକଡାଉନୁ ଆମ ପେଟପାଟଣା ଛଡାଇ ନେଇଛି । ଦିନ ମଜୁରୀ କରି ଚଳୁଥିବା
ଖଟିଖିଆ ଲୋକ ଆମେ । ଏବେ କୋଉଠି ହେଲେ କାମ ଟିକେ ମିଳୁନାହିଁ । ଦୁଇଦିନ ହେଲା ମୋ ଘରେ ଚୁଲି ଜଳିନାହିଁ । କାଲି ମୋ ଛୁଆଙ୍କ ପାଟିରେ ଚୂଡ଼ାଗୁଣ୍ଡ ଟିକେ ଦେଇଥିଲି । ଆଉ ଆଜି ସେମାନଙ୍କ ପେଟରେ ଓଦା ଗାମୁଛାପକେଇଦେଇ ଚାଲି ଆସିଥିଲି କାମ ଟିକେ ଖୋଜିବା ପାଇଁ ।
କିନ୍ତୁ ଏଇ କରୋନା ଭୟରେ ମୋତେ କେହି ପାଖରେ ପୁରେଇଲେ ନାହିଁ । ଏଇ ଦେଖନ୍ତୁ ବାବୁ ମୁଁ ଆପଣଙ୍କ ଘରୁ କଣ ଚୋରି କରିଛି । ଜଷ୍ଟିସ ଚୌଧୁରୀ ମାଧବର ବ୍ୟାଗରେ ଦେଖିଲେ କାଲି ରାତିରେ ତାଙ୍କ
କିଚେନରେ ବଳିଥିବା କିଛି ବଳକା ଖାଦ୍ୟ । ମାଧବର ଦୁଃଖ କଥା ଶୁଣି ସିଏ କାନ୍ଦି ପକେଇଲେ । ସେ କହିଲେ ଜଗୁଆ ଗଲୁ ଫାଷ୍ଟଏଡ଼ ବାକ୍ସ ନେଇଆସିବୁ । ପୁଣି କହିଲେ ଆଚ୍ଛା ମାଧବ ତୁ ମୋ ଘରେ ରାନ୍ଧୁଣିଆ ହୋଇ କାମ କରିବୁ…?
ମାଧବ ବଡ଼ ଖୁସିରେ କାନ୍ଦି କାନ୍ଦି ହଁ କରିଦେଲା । ବାବୁଙ୍କ ଗୋଡ଼ତଳେ ମାଧବ ଲମ୍ବ ହୋଇ ପଡିଗଲା ।
ଚୌଧୁରୀ ବାବୁ ତା ଦେହର କ୍ଷତକୁ ପ୍ରାଥମିକ ଚିକିତ୍ସା କରିଦେଲେ । କିଛି ଦିନ ଚଳିବା ପାଇଁ ଖାଦ୍ୟ ଓ ସଉଦା ଦେଇ ମାଧବକୁ କହିଲେ, କାଲି ଠାରୁ ତୁ ମୋ ଘର କାମରେ ଲାଗିଯିବୁ । ଆଉ ଏ ସବୁ ନେଇ ଶୀଘ୍ର ତୋ ଛୁଆ ମାନଙ୍କ ପାଖକୁ ଯାଆ ।
ସେମାନଙ୍କ ତୁଣ୍ଡରେ ଆହାର ଦେବୁ ପରା । ବାପାର ଫେରିବା ରାସ୍ତାକୁ ଛୁଆ ମାନେ ଅନେଇ ବସିଥିବେ ଯେ…।

*ଦୀପିକା ଦାଶ*

 821 total views,  1 views today

Leave a Reply

Your email address will not be published. Required fields are marked *