#ଅପରିଚିତ-୨ – ସ୍ବୀକାରୋକ୍ତି
◆◆◆◆◆◆◆◆◆◆◆◆◆
ଅପବାଦର ବିସ୍ତାରିତ କାୟାକୁ
ତିଳେ ଭ୍ରୁକ୍ଷେପ ନ’ କରି
ଖାସ ସେଇ କୁହୁକିନୀ ରାତ୍ରିର
ଏକମାତ୍ର ସ୍ବୀକାରୋକ୍ତି ପାଇଁ
କିଛି ମୁହୂର୍ତ୍ତ ଭିତରେ
ତୁମେ ଆଉ ମୁଁ ରୁ
ପାଲଟିଗଲେ ଆମେ…..।

ଆଜି ବି ମନେ ଅଛି ମୋର
କେମିତି ଭୁଲିଥାନ୍ତି
ତୁମ କମ୍ପିତ ଓଠରେ ଫିସ୍ ଫିସ୍ ସ୍ୱର
ଆଉ ତୁମ ସେ ସ୍ୱର ସାରା
ପ୍ରଣୟ ଶବ୍ଦର ଛଳଛଳ ଅନୁନୟ
ସେ ଭାବପ୍ରବଣତା ନିରୋଳା ସମୟର
ସ୍ୱତଃ ମୋହାଚ୍ଛନ୍ନ ହେଉଥିଲ ତୁମେ
ପୁଣି ହୋଇ ଯାଇଥିଲ ନିୟନ୍ତ୍ରଣ ହରା
ତୁମ ମନେ ଜାଗ୍ରତ ହେଉଥିଲା ପୁଣି
ଏକ ଅହେତୁକ ଭୟର ଆଶଙ୍କା
ସେ ଆଶଙ୍କା ଥିଲା ମୋତେ ହରାଇବାର
ମୁଁ ହିଁ ମୁଁ ଥିଲି ଯେଣୁ
ଏକମାତ୍ର ଲକ୍ଷ୍ୟ ତୁମ ପ୍ରାର୍ଥନାର ।

ତୁମ ସେ ପବିତ୍ର ଶାଶ୍ୱତ ପ୍ରେମର ପରାକାଷ୍ଠା
ଆପଣାଛାଏଁ ଖୋଲି ଦେଉଥିଲା
ମୋ ମିଛ ଅଭିନୟର ଗୁମର ଭିତରେ
ବନ୍ଦୀ ଥିବା ମୋ ଭିତରର ସବୁ ସତ୍ୟ ।

କେବଳ ତୁମେ ନୁହେଁ
କେବେଠାରୁ ମୁଁ ବି
ନିଜ ଅଜାଣତରେ
ଅପରିଚିତରୁ ବେଶ୍ ପରିଚିତ ସାଥିଟିଏ
ବୋଲି ତୁମକୁ ମାନି ନେଇଥିଲି କେଜାଣି
ଅଜାଣତରେ ମୋ ହୃଦୟକୁ କେବେ
ତୁମକୁ ସମର୍ପି ସାରିଥିଲି ଜାଣିନାହିଁ ।

ବାରମ୍ବାର ବାରମ୍ବାର
ମୋ ଓଠରୁ ସ୍ବୀକାରୋକ୍ତିଟିକୁ ଶୁଣି
ତୁମ ତାଳୁରୁ ତଳିପା ଯାଏଁ
ଖେଳିଗଲା ଶିହରଣ
ପଲ୍ଲବୀତ ହସ
ତୁମ ଓଠରେ ଖେଳୁଥିଲା
ମୋତେ ତୁମେ କୋଳେଇ ନେଇ
ସ୍ପର୍ଶ କଲ କୃଷ୍ଣଙ୍କ ଚରଣ ।
~★~★~★~★~★~★~
ଦୀପିକା ଦାଶ

 456 total views,  1 views today

Leave a Reply

Your email address will not be published. Required fields are marked *