*ପିତୃଋଣ*
•••••••••••••
ବାବା !!
ତୁମେ ମୋ ପାଇଁ
ମୋ ସୁପର ହିରୋ
ଆକାଶଠାରୁ ଅଧିକ ଉଚ୍ଚତର
ସୂର୍ଯ୍ୟଠାରୁ ଅଧିକ ତେଜୋତ୍ତର
ଧୈର୍ଯ୍ୟ, ନ୍ୟାୟ, ତ୍ୟାଗର ଗନ୍ତାଘର ।
ପ୍ରତି ମୁହୂର୍ତ୍ତରେ
ଜୀବନ ସହ ସଂଘର୍ଷ କରି କରି
ସମସ୍ତ ଭୋଗ ବିଳାସକୁ
ଗୋଡ଼ରେ ଆଡ଼େଇ ଦେଇ
ଅଗ୍ରସର ହୋଇଅଛ କର୍ମକ୍ଷେତ୍ରକୁ
କେବଳ ନିଜ ସନ୍ତାନ ସନ୍ତତିଙ୍କୁ
ନିଜ ଗୋଡ଼ରେ ଛିଡ଼ା କରିବାକୁ ।
ନିଗାଡ଼ି ଦେଇ
ତମ ଦେହର ତମାମ ରକ୍ତକୁ
ଆମ ଶରୀରର
ପ୍ରତ୍ୟେକଟି ଶିରା ପ୍ରଶିରାରେ
କରି ଦେଇଛ ପ୍ରବାହିତ ।
ଘୋରି ହୋଇ ଜୀବନ ଘୋରଣାରେ
ତୁମ ରକ୍ତ, ମାଂସ, ହାଡ଼କୁ
ଚୁନା ଚୁନା କରି
ସମାଜରେ କରିଛ
ଆମକୁ ପ୍ରତିଷ୍ଠିତ ।
ଅସଂଖ୍ୟ ଦୁଃଖ ଦୁର୍ଦ୍ଦଶା ଥାଇ
ନିଜ ଅନ୍ତରରେ ସମସ୍ତ ଲୁହର ବିଷ ପିଇଯାଇ
ଆମ ନିକଟେ ସାଜିଯାଇଛ
ଏକ ଭଲ ଅଭିନେତା ।
କେବଳ ଆମ ମାନଙ୍କ ଓଠରେ
ହସ ଟିକକ ପାଇଁ ।
ନିଜ ପେଟରୁ କାଟି
ଆମ ପାଟିରେ ଦେଇଛ ଦାନା
ନିଜ ବସ୍ତ୍ରରୁ କାଟି
ଆମ ପାଇଁ ଯୋଗାଡିଛ କନା ।
ସ୍ମୃତିର ପୃଷ୍ଠାକୁ ଓଲଟାଇଲେ
ମନେ ପଡ଼ିଯାଏ ବାବା
ଅର୍ଦ୍ଧରାତ୍ରିରେ ଅଧ୍ୟୟନରତା
ଝିଅ ପାଇଁ
ତୁମର ସେଇ ଅର୍ଦ୍ଧ ନିମ୍ମିଳିତ ଆଖିରେ
ଚେଇଁ ରହିବା
ତା’ ମନରୁ ଭୁତର ଡରକୁ ଦୂର କରି
ତାକୁ ସାହସ ଦେବା..
ଏକ ଭୟଶୂନ୍ୟ ବାତାବରଣର
ପାଚେରୀଟିଏ ପରିବେଷ୍ଟିତ କରି
ଆଶ୍ବାସନା ଦେବା ।
ବ୍ୟସ୍ତବହୁଳ ଜୀବନ ରଥର
ସାରଥୀ ସାଜି
କର୍ମକ୍ଷେତ୍ରରୁ ଘର ଲେଉଟାଣି ବେଳେ
ତୁମେ ଭୁଲିଯାଅ
ନିଜ ପାଇଁ ଔଷଧ ଆଣିବା
କିନ୍ତୁ କେବେ ବି ଭୁଲିନ’ଥାଅ
ତୁମ ଗେହ୍ଲୀ ଝିଅ ପାଇଁ
ତା’ ପ୍ରିୟର ଲଲିପପ୍ କିଣିବା ।
ଏ ଜୀବନ, ଯଶ, ସମ୍ମାନ
ସବୁ କିଛି ତ ତୁମରି ଦାନ
ଜନ୍ମ ଜନ୍ମାନ୍ତରରେ ବି
ସୁଝି ପାରିବିନି ଏ ପିତୃଋଣ ।
ହେ ବାବା!!
ତବ ପାଦ ତଳେ କୋଟି କୋଟି ପ୍ରଣାମ…।
★★★★★
©ଦୀପିକା ଦାଶ
785 total views, 1 views today