#ମା ରାଗିଛି
ସେଦିନ ମନଇଚ୍ଛା ବିଷ ମିଶା ଧୂଆଁ ଛାଡ଼ି
ତାକୁ ତତେଇ ଚାଲିଥିଲା ବେଳେ
ଯାବତୀୟ ତୀବ୍ର ଅସହିଷ୍ଣୁ ଶବ୍ଦରେ
ତାକୁ କଲ୍ ବଲ୍ କରୁଥିଲା ବେଳେ
ତା କୋଳରୁ ଆମାଜନ୍ ଆଉ ଅଷ୍ଟ୍ରେଲିଆର ସବୁଜିମାକୁ
ଜାଳି ପୋଡି ପାଉଁଶ କଲାବେଳେ
ତାର ଅନ୍ୟ ସନ୍ତାନ ମାନଙ୍କ ଉପରେ
ଜୁଲମ୍ କଲା ବେଳେ
ମତେ ଜଣା ନଥିଲା
ମୋର ଅତି ଆପଣାର ମାଆଟି
ମୋ ଉପରେ ରାଗିବାକୁ ଆରମ୍ଭ କରିଛି ବୋଲି…
ମୁଁ ଜାଣିଥିଲି
ମା ଖାଲି ସ୍ନେହ କରିବ,
ମାଗିବା ପୂର୍ବରୁ ମନ ଜାଣି
ପୁରା କରିଦେବ ପ୍ରତିଟି ଆଶା
ପ୍ରତ୍ୟେକଟି ଆବଶ୍ୟକତା
ନିଜେ ପଛେ ପିଇ ଚାଲିଥିବ
ଅସରନ୍ତି ଯାତନାର ଗରଳ
କିନ୍ତୁ ମୋତେ ତୃପ୍ତ କରୁଥିବ
ଅମୃତର ବୁନ୍ଦା ପରେ ବୁନ୍ଦା ଦେଇ
ମୁଁ କଣ ଦେଖିଥିଲି
ମମତାର ଆରପାଖଟିକୁ ?
ଯେଉଁଠି ଅନୁଶାସନ ବି ଅଛି !
ମୁଁ କଣ ଜାଣିଥିଲି,
ସହିବାର ସୀମାଟିଏ ଅଛି !
ମୁଁ କଣ ଭାବିଥିଲି,
ଦୋଷ ଥିଲେ ଦଣ୍ଡ ବି ତ ଅଛି !
ହଁ ମା ଏବେ ଶାସନ ମୁଦ୍ରାରେ
ପୃଥିବୀ ମା,
ପ୍ରକୃତି ମା,
ପରିବେଶ ମା,
ପର୍ଯ୍ୟାବରଣ ମା
ସଭିଏଁ ଏବେ ଦଣ୍ଡାଚାରରେ
ହଁ,
କେତେ ଛଡେଇ ନେଇଛି ମୁଁ
କେଉଁ ସୁନ୍ଦରୀ ଠାରୁ ତା’ ଶିମିଳିପାଳ
କେଉଁ ଗୌରୀ ଠାରୁ ତା’ ଭିତରକନିକା
ପୁଣି କାହାକୁ ଆଣି ଛନ୍ଦି ଦେଇଛି
ନନ୍ଦନକାନନର ଯନ୍ତାରେ ଅବା ପାଣିକୁଣ୍ଡରେ
ଆହୁରି ପୁଣି
ବିଶ୍ଵାସଘାତକତାର ସୀମା ଡେଇଁ
ନିଷ୍ଠୁର ଭାବେ ଗର୍ଭାଶୟରେ
ବିସ୍ଫୋରଣ କରି ମାରି ଦେଇଛି
ଗର୍ଭବତୀ ମା ଆଉ ତା ନିଷ୍ପାପ ଛୁଆଟିକୁ
କେତେଥର
ମାଆର ଛାତିକୁ ଖୋଳି ପକେଇଛି
ନୃସଂଶ ହୋଇ ଖଣି ସନ୍ଧାନରେ ,
ତା ପେଟ ଉପରେ ଠିଆ କରିଦେଇଛି
ବୋଝେ ଓଜନର ନଭଶ୍ଚୁମ୍ବୀ ଅଟ୍ଟାଳିକାର ବୋଝ,
ଅପରିଷ୍କାର, ବିଷାକ୍ତ କରିଚାଲିଛି
ତା ସମଗ୍ର ଦେହଟାକୁ ଅନାୟାସରେ,
ଉଠାଇ ଦେଇ ତା ମଥାରୁ
ସବୁଜିମାର ଟିକିଲି
ଶ୍ରୀହୀନ କରି ଦେଇଛି ତା ଶ୍ରୀମୁଖକୁ….
ବୋଧେ ମା ପାଇଁ ଅସହ୍ୟ ହେଲା
ମୋ ଅତ୍ୟାଚାର….
ଆଉ ସେଇଥିପାଇଁ
ତା ଅଭିଯୋଗରେ,
ଆଜି ମୁଁ ଦଣ୍ଡିତ
ଘର ମୋ ପାଇଁ କାରାଗାର
ମୋ ଆଧୁନିକତା ଆଉ ବିଳାସବ୍ୟସନ….
ମୋ ସୁଉଚ୍ଚ ଅଟ୍ଟାଳିକା ଆଉ ଯାନବାହାନ……
ମୋ ଯାବତୀୟ ଖାମଖିଆଲି ଜୀବନଶୈଳୀ
ସବୁର ଚାରିକାନ୍ଥ ଭିତରେ ମୁଁ ବନ୍ଦୀ କଏଦୀ
ରାଜକ୍ଷମା ତ ନାହିଁ
ମୋ ଅପରାଧର ଜଘନ୍ଯତା ସାମ୍ନାରେ,
କରୋନାର ଫାଶୀଖୁଣ୍ଟରେ ଚଢି
ଲକଡାଉନର ଫାଶଦଉଡିରେ
ଅଣନିଃଶ୍ବାସୀ ହୋଇ
ଚେତିଯାଏ,
ଆଉ ଠେକି ଶିଖିଯାଏ ବରଂ ମୁଁ….
– ଅଂଶୁମାନ ସାହୁ
342 total views, 1 views today