##ଅସରନ୍ତି ପ୍ରଶ୍ନ##
ଶ୍ରୀମତୀ ସୁଜାତା ଷଡଙ୍ଗୀ, ଭଞ୍ଜନଗର
ଦ୍ରୁତ ଗତିରେ ଧାବମାନ ସମୟ
ଫେରିବାର ପଥର ବାଟୋଇଟିଏ ମୁଁ
ମୂଲ୍ୟହୀନ ଅଫେରା ଅତୀତ,
ଲୁହ-ନଈ ଢ଼େଉ ଭାଙ୍ଗେ ଆଖି କୋଣେ ଯାହା
ପଳାତକ ସମୟକୁ ଆଉ କିଏ ରୋକିପାରେ!
ସବୁଜ ଗଛରେ ଫୁଲ ଫଳ
ଭରି ହେଲା ପରି ବାଛଲ୍ୟ ମମତାରେ ଭରିଯାଏ
ପେନ୍ଥା ପେନ୍ଥା ସ୍ନେହବୋଳା ସବୁଜ ପ୍ରତ୍ୟୟ
ଅତୀତ ଧୁଆଁଳିଆ ସିଲହଟ ପରି ଦିଶେ
ସୀମାହୀନ ଆକାଶକୁ ଚାହିଁ
ମନେ ମନେ ଗଣୁଥିଲି ତାରକାଦି ଗ୍ରହ
ପଚାରିଲି ଚୁପିଚୁପି ପ୍ରଶ୍ନଟିଏ ଦରୋଟି କଣ୍ଠରେ,
ଆଚମ୍ବିତ ମନେ,
ଜହ୍ନ କିନ୍ତୁ ନିରବରେ ଖେଳୁଥିଲା ଦୋଳି
ଶୂନ୍ୟ ଆକାଶରେ, ତାରା ସବୁ
ନୀରବରେ ହସୁଥିଲେ
ପ୍ରଶ୍ନ ମୋର ପ୍ରତିଧ୍ୱନୀ ହେଉଥିଲା ଯାହା
ନିଶବ୍ଦ ଶବ୍ଦରେ ମନ କୁହରରେ।
ବହମାନ ସମୟରେ ବହିଗଲା
ବାଛଲ୍ୟ ବୟସ ଛବି ହୋଇ
ରହିଗଲା ସବୁ ସ୍ୱପ୍ନ ସବୁ ମାଦକତା
ଆଜି ଏଇ ବିଜନବେଳାରେ ଉଙ୍କିମାରେ
ସେଇ ପିଲା ଦିନ କଥା ନିରିହ ମନର
ମନେ ପଡେ ପୁଣି ଥରେ
ସେଇ ଅକୁହା ଭାଷାର ଅସରନନ୍ତି ପ୍ରଶ୍ନ।
*****