**ଶ୍ରାବଣ ସଞ୍ଜରେ**
ଶେଷ ବୈଶାଖର ତତଲା ଛୁଆଁରେ
ଲଘୁଚାପ ଆସେ ଅଲୋଡ଼ା ଅତିଥି ହୋଇ
ଆଷାଢ଼ ତିଥିରେ ଝରା ମଉସୁମୀ
ବସିଛିକି ସତେ ମୁଁହ ଫୁଲାଇ!
ଘୋଡେଇ ହୋଇ ସେ ନୀଳ ଓଢଣୀ
ସାଵଜେଇଲାଣି ଧରଣୀରାଣୀ
ଲାଲ ପାଟ ପିନ୍ଧି ସାଧବବୋହୁ
ଗାଁ ଗୋହିରୀରେ କୁଆଡେ ଯାଉ
ଅଳସ ଚାଲି ତୋ ଲାଜୁଆ ଆଖିରେ
ମନକୁ ମୋହୁ
ଇନ୍ଦ୍ରଧନୁ ରଙ୍ଗେ ମୟୂର କେଦାରେ ନାଚେ
ଭିଜା ମାଟିର ମିଠା ବାସ୍ନା କେତେ ଚହଟି ଉଠେ
ମେଘର ମଥାରୁ ଆଞ୍ଜୁଳାଏ ବର୍ଷା ଛିଟା
ମନଗହନର ସାଇତା ସ୍ମୃତିରେ
ଭରିଦିଏ କେତେ ସପନର ମିଠା କଥା
ଗୋପନେ ମନରେ ଖେଳେ ଧୀରେ
ଯତନେ ସାଇତା ଯେତେ ସପନ
ଉଦାସୀ ମନରୁ ସ୍ମୃତିର ପାଖୁଡା
ଫୁଲଠୁ ବଳି ସେ ନରମ
ନିତି ଭିଜୁଥାଏ ପହିଲି ବର୍ଷାରେ
କହିବାକୁ ଥରେ ଅନେକ ଅକୁହା ପ୍ରୀତି
ଆଷାଡ଼ ଆଖିରୁ ଲୁହ ପୋଛିବାକୁ
ମେଘ-ପାଲିଙ୍କିରେ ଶ୍ରାବଣ ଆସୁଛି
ସୁଖ ସବୁ ଯେତେ ଫୁଲଠୁ ନେଇଛି
ଦୁଃଖ ଆଣିଦେବ କଣ୍ଟାର ଯନ୍ତ୍ରଣା
ଶ୍ରାବଣ ବାରତା ଦେଇଛି
ଜୀବନ ଚଲାପଥେ ଏକାଏକା ଚାଲି
ମାପୁ ଥାଏ ନିତି ଶ୍ରାବଣ ସଞ୍ଜରେ
ପାପ-ପୂଣ୍ୟ ଯେତେ ମନ ତରାଜୁରେ।
————-
ଶ୍ରୀମତୀ ସୁଜାତା ଷଡଙ୍ଗୀ
ଭଞ୍ଜନଗର।
300 total views, 1 views today