**ଅଭିସାରୀକା**
************
ତୁମ ପ୍ରୀତିର ବର୍ଷାରେ ନିତି ମଉଳା ମନ ମୋ’
ଅଭିମାନେ ଭିଜେ ତୁମ ସ୍ମୃତି ନେଇ
କାକର-ସିକ୍ତ ଅଳସ ସନ୍ଧ୍ୟାରେ
ତୋଳି ଧରେ ବାସ ଭରା ଫୁଲର ସ୍ତବକ
ଉଦାସିଆ ଭିଜା ଗୋଧୂଳିରେ ଭିଜି ଭିଜି
ସାଜେ ନିତି ଅଭିସାରୀକା
ପ୍ରେମର ଅମୀୟ-ବାରିରେ ଧୋଉଥାଏ ନିତି
ସ୍ମୃତିମଖା ପାଦର ଅଳତା
ନିଦୁଆ ଆଖିରେ ଜମାଟବାନ୍ଧେ କତେ ସ୍ୱପ୍ନ
ତୁମକୁ ନେଇ ଗଢେ ଅନେକ
ପ୍ରେମଭରା ଫୁଲର ନଭଶ୍ଚୁମ୍ବୀ ସୌଧ
ବହମାନ ସମୟ ସ୍ରୋତରେ
କେତେ ସ୍ମୃତି କେତେ କ୍ଷତ
କେତେ ରାତି ବିତାଇଛି ତୁମ ବିନା
ଏକା ଏକା ସମୟ ନଈର ବିଜନ ତୁଠରେ
ହୃଦୟ ଭିତରେ କିନ୍ତୁ ବାଜୁଥାଏ
କୋହଭରା ବେହେଲାର ତାନ
ଘୋଟି ଆସେ ଝଡ଼ ପର ନୀରବତା
ଛାଇଯାଏ ନିଶବ୍ଦର ଅମା ଅନ୍ଧକାର
ମନେ ହୁଏ ତୁମେ ସତେ ଏକ
ପଦ୍ମଫୁଲ-ମୋହିତ-ଭଅଁର
ପରିତୃପ୍ତିର ଦୀର୍ଘ ନିଃଶ୍ୱାସଟିଏ
ଲମ୍ବି ଯାଏ କାହିଁ କେତେ ଦୂର
ଘନ ଅନ୍ଧାକାରେ ଦୃଶ୍ୟମାନ ହୁଏ
ଆଶ୍ୱାସନାର ଲମ୍ବା ହାତ ଟିଏ
ବିଶ୍ୱାସର ଗଭୀରତାରୁ ସାଉଁଟେ
ମୋ’ ବଳକା ଆୟୁଷ।
*******
ଶ୍ରୀମତୀ ସୁଜାତା ଷଡଙ୍ଗୀ, ଭଞ୍ଜନଗର।
322 total views, 2 views today