।।ମନ ମଉସୁମୀ ଝୁରେ।।
ଆଜି ଏଇ ଭରା ଆଷାଢ଼ ରାତିରେ
ପହିଲି ରଜରେ ଝରଇ ଧାରା
ସ୍ମୃତି ନେଇ ଆସେ ଆଦ୍ୟ ମଉସୁମୀ
ବିଞ୍ଚିଦିଏ କେତେ ଶୀତଳ ପୀୟୂଷ ଧାରା।
ଶାମୁକା ଗର୍ଭରେ ପ୍ରତୀକ୍ଷିତ ମୁକ୍ତା
ଚମକି ଉଠଇ ସ୍ପର୍ଶ ପାଇ ଜଳ ବିନ୍ଦୁ
ବିକଳ-ଚାତକ ସଜଳ ଆଖିରେ
ତୃଷ୍ଣାର ମହା ସିନ୍ଧୁ।
ଛମ ଛମ ନାଚଇ ବରଷାରାଣୀ
ରିମ ଝିମ ସଙ୍ଗୀତର ଅପୂର୍ବ ରାଗିଣୀ
ଅଦୂରର ତାଳବଣ ଛୁଏଁ ଯେବେ ଲାଜେ
ମଉଳା ଫୁଲର ନିରିମାଖୀ ମନ ଅଭିମାନେ କେତେ ଭିଜେ।
ନିଦୁଆ ଆଖିରେ ବିଛୁରିତ ହୁଏ ସ୍ୱପ୍ନର ଇନ୍ଦ୍ରଧନୁ
ରଙ୍ଗହରା ସେଇ ବୈଶାଖର ଜ୍ୱାଳା
ଝରା ପତ୍ରର ତନୁ।
ଏ ମେଘ ଆଣିଛି ବିରହର ସ୍ତୋତ୍ର
ବର୍ଷାର ମେଖଳା ଛୁଇଁ
ମନ ଗହନରେ ଲାଗିଯାଏ ନିଆଁ
ମିଠା ଝଲକଟେ ପାଇଁ।
ମୋ ଓଠୁ ପୀୟୂଷ ସରି ସରି ଆସେ
ତୁମ ବାଟ ଚାହିଁ ଚାହିଁ
ଗୋଧୂଳି ଆକାଶ ଶ୍ରାବଣ ସନ୍ଧ୍ୟାରେ
ଝୁରେ ନିତି ତୁମ ପାଇଁ।
ଏ ବରଷା ହେଉ ସମ୍ଭାବନାର
ପ୍ରେମମୟ-ପୂଣ୍ୟଭୂମି
ଏ ବରଷା ଆଣୁ ଭରା-ବିଶ୍ୱାସର
ରିମ ଝିମି ମଉସୁମୀ।
**********
ଶ୍ରୀମତୀ ସୁଜାତା ଷଡଙ୍ଗୀ
ଭଞ୍ଜନଗର
ଗଞ୍ଜାମ।