।।ଦୁଇ ପାଦ ମାଟି।।
———————–
ମୁଁ ଏକ ମାୟାର କଳ୍ପତରୁ
ତୁମେ ଅସହାୟ ଅବୋଧ ଚଢେଇ
ଘୁରି ବୁଲୁ ଥାଅ ଲକ୍ଷହୀନ ହୋଇ
ପକ୍ଷ ଛେଦ କରି ତୁମ
ଦାମ୍ଭିକତାର ଅହଙ୍କାରରେ
ଦୀର୍ଘ ନିଃଶ୍ୱାସ ଛାଡୁ ଥିବି
ଠିଆ ହୋଇ ଥିବି ମୁଁ
ଅବିଚଳିତ ଭାବେ
ମୋହ ମାୟାରେ ଛନ୍ଦି ହୋଇ
ତୁମେ କାକୁସ୍ଥ ପକ୍ଷୀ ଟିଏ ପରି
ଘୁରି ବୁଲୁଥିବ ମୋ ଚାରିପାଖେ
ଥକିବାର ଚିହ୍ନ ନଥିବ
ମୋ ଓଠରେ ଆଙ୍କୁଥିବ
ଗଭୀର ଚୁମ୍ବନ
ମୋ ଛାତିରୁ ଶୀତଳତା
ଶୋଷି ଚାଲିଥିବ ପୀୟୂଷ ପ୍ରାୟେ
ନିଜ ଅହମିକାକୁ ଚୁର୍ ମାର୍ କରି!!
ମୋ ଅନ୍ତ ଭିତର ଜ୍ଵଳାଗ୍ନିର
ତେଜରେ ତୁମେ ବାର୍ ବାର୍
ଲମ୍ଫପ୍ରଦାନ କରି ଜଳି ପୋଡି
ଛାର୍ ଖାର୍ ହେଉଥିବ
ମୁଁ କିନ୍ତୁ ସ୍ଥାଣୁ ପରି
ଅବିଚଳିତ ଢ଼ଙ୍ଗେ ତୁମକୁ
ପରଖୁ ଥିବି
ସ୍ନେହ,ପ୍ରେମ,କପଟ ଓ ଛଳନାର
ମହ ମହ ଗନ୍ଧ ଉକୁଟି ଉଠୁଥିବ ଦେହରୁ
ତୁମେ ନିର୍ବାଣର ସନ୍ଧାନେ
ନିରିହ ବାଟୋଇ ଟିଏ ପରି
ବାର୍ ବାର୍ ଝାସ ଦେଉଥିବ
କେଉଁ ଏକ ଅଜଣା ସୁଖର ମୋହରେ
ହଜାଇ ଦେଇ ସର୍ବସ୍ୱ
କେବଳ ଚିତ୍କାର କରୁଥିବ
ଦୁଇ ପାଦ ମାଟି ପାଇଁ।
—————————-
ଶ୍ରୀମତୀ ସୁଜାତା ଷଡଙ୍ଗୀ
ଭଞ୍ଜନଗର
ଗଞ୍ଜାମ