।।ନିଃସଙ୍ଗ ନକ୍ଷେତ୍ର।।
——————
ନଈ ଏଠି ବେଗମତୀ ପୃଥ୍ଵୀର ମୁକୁଳା ଛାତିରେ
ସୂର୍ଯ୍ୟ ଏଠି ଉର୍ଦ୍ଧମୁଖା, ପାହାଡ଼ ଶିଖରୁ
ରାତିର ଘନ ଅନ୍ଧକାର ଅପସାରି ଯାଇ
ସ୍ୱଚ୍ଛ ସୁନେଲି କିରଣ
ବାଢିଦିଏ ପ୍ରତିଦିନ
ଆମପାଇଁ ନୂଆ ଉପହରଟିଏ
ଶାନ୍ତି ଓ ମୈତ୍ରୀର ।
ବାର ମାସ ଷଡ଼-ଋତୁ ମଦମତ୍ତ ଏଠି
ମଳୟର ବାସ୍ନା ଫୁଲେ ଫୁଲେ ନିତି ଚହଟି ଉଠୁଛି
ପ୍ରକୃତି ମାଆର ନରମ କୋଳରେ I
କିଏ ସେଇ ଅଦୃଶ୍ୟ ଶତ୍ରୁ
ଆକସ୍ମାତ ଭରିଦିଏ ଶଂକା ଓ ସ୍ତବ୍ଧତା!!
ଧ୍ୱଂସ କରିବାର ଏକ ନିରବ ଚିତ୍କାରେ
ଅସ୍ତବ୍ୟସ୍ତ କରେ ଜୀବନ ଜୀବିକା
ବଞ୍ଚିବା ପାଇଁ ସଂଗ୍ରାମ କରୁଛି ମଣିଷ
ଖାଲି ମରଣର ବିଭିଷିକା କୋଳେ ।
ପକ୍ଷବାନ ସ୍ୱପ୍ନ ପରି ମୁଁ ଏକାକୀ ଉଡୁଛି
ବ୍ୟର୍ଥତାର ଡେଣା ଝାଡ଼ି ଝାଡ଼ି
ଯନ୍ତ୍ରଣାର କି ଗୀତ ଗାଉଛି ବନ୍ଦି ଜୀବନରେ!
ଆଜି ଏଇ ଗୃହବନ୍ଦି
ବହମାନ ସମୟର ପ୍ରଖର ସ୍ରୋତରେ
ପଥରକଟା କ୍ଷତ ମୋ’ ପିଠିରେ
କାଳଚକ୍ରର କରାଳ କମ୍ପନ
ହିଆରେ ମୋ’ ଲହଡି ଭାଙ୍ଗୁଛି I
ପ୍ରତିକ୍ଷଣେ ମୃତ୍ୟୁର ଘଣ୍ଟ ସ୍ଵନ ଶୁଭେ,
ଶୁଭେ ଆଜି ମରଣର ଭେରୀ
ପାପ ପୂଣ୍ୟ କର୍ମ ଫଳର, ଲେଉଟାଣି ବେଳ
କାଳେ କାଳେ ଧ୍ୱଂସ ମୁଖା ପ୍ରକୃତିର ବିଭତ୍ସ ରୂପରେ
ଏକ ନୂଆ ସମ୍ଭାବନର
ସୂର୍ଯ୍ୟ କାଳେ ଉଇଁ ଆସୁଅଛି
ସୁନେଲି କିରଣ ବିଛୁରଣ କରି
ଅବିଳମ୍ବେ ପାପ ମୁକ୍ତ ହେବ
ଆମ ଏ ଧରଣୀ
ପୁଣି ଥରେ ରାମରାଜ୍ୟ
ଫେରିବାର ବେଳେ।
———————-
ସୁଜାତା ଷଡଙ୍ଗୀ
ଭଞ୍ଜନଗର
ଗଂଜାମ।