#ଅଧିକାରର_ଉଚ୍ଚାଟ

କେ କହୁଛି ପାରିଦେବ ସ୍ବପ୍ନର ଶେଜ
କେ କହୁଛି ଆଣିଦେବ ମୁକ୍ତାର ମେଜ
ପୁଣି କେ କହୁଛି ଆଣିଦେବ ଇନ୍ଦ୍ରଲୋକ ପାରିଜାତ
ହେଲେ କ’ଣ କେ ଆଣିଦେଇ ପାରିବ ଟିକିଏ ହସ?

ଆଜି ବି ଭିକ୍ଷା ଥାଳ ଧରି ବୁଲେ ଲଙ୍ଗଳା ଶରୀର
କାକୁସ୍ତର ଲୁହ ଝରିପଡେ ହୋଇ କ୍ଷୁଧାରେ ଆତୁର
ଅଧିକାର କି ଅଭିମାନ କରିଛି ସେ ଅଳିକର ପାଶ ?
ଅନ୍ନରେ କେ ବସେଇଛି ନିଜସ୍ୱ ଗର୍ବର ଫାଶ ?

ସେ ଯଷ୍ଠିର କି ଦୋଷ ଦେଇ ଆଶ୍ରାର ସାହାସ,
ବୟସର ଅପରାହ୍ନ କି ଶେଷ କରାଏ ଆକାଂକ୍ଷାର ଆଶ ?
ତଥାପି କେଉଁ ଅଧିକାରର ଛାଟ ପିଟୁ ହୋଇ ଉନ୍ମତ୍ତ ,
ସେ କି ନିଲାମ କରିଥିଲା ତୁମ ସ୍ବପ୍ନର ଉଆସ?

କୁମାରୀର ମନ ସଜ ଫୁଲ,ନେଇ ଉଡେ ବିହଙ୍ଗର ପକ୍ଷ,
ତଥାପି ଭୟର ଜଞ୍ଜିରରେ ବନ୍ଧା ପକାଏ ନିଜ ଅଧିକାର ବକ୍ଷ,
କା ନୟନର ପିତୁଳାପରେ ପୁଣି ପଡେ ଲୋଲୁପ ଆକ୍ରୋଷ
ଏ କ’ଣ ଅନାବାଦି ଜମି ଯେ କରିଚାଲ ନିଜସ୍ୱ ମଡାଣ?

ଧର୍ମର ଦ୍ବାହିରେ ଚାଲେ ମୁକୁଟର ପ୍ରଚାର ପ୍ରସାର,
ବିଶ୍ବାସର ମୃଗତୃଷ୍ଣା ପଛେ ଧାଇଁ ଚାଲିଥାଏ ନିର୍ବୋଧ ମାତ୍ର
ସେ ଅବିଶ୍ବାସର ଦାଣ୍ଡେ ବାଢିଦେଇ ଆସେ ସ୍ବ ଲହୁ ଅର୍ଜିତ
କେଉଁ ଅଧିକାରର ଓଢଣି ପାରି ଦିଅ କା ଆଶାର ଉପର?

ମୂର୍ଣମୟୀ ପ୍ରତିମା ପାଶେ ଖାଲି ଚାଲେ ଭକ୍ତିର ମିଛ ସମର୍ପଣ,
ଆରୋପର ଚାବୁକ୍ ପ୍ରହାର ପଡେ ମୁକୁଳା ପିଠିର ଉପର,
ସେ ପର ଦୁହିତାକି ହୋଇଗଲା କୁଳ ପାଇଁ ଅଭିଶାପର ପାତ୍ର?
କେଉଁ ଅଧିକାରର ଉପନିବେଶ ଟାଣ ତା ଶରୀରର ଉପର?

ଅନିତିର ଅନ୍ଧକାର ଭିତରେ ଲୁଚିଯାଏ ସଚ୍ଚୋଟତାର ଦୀପ,
ସେ ଆଲୁଅ ପାରେନା କରି ଦୁର୍ନୀତିର ନିଶିଥକୁ ଅପରାଜିତ,
ଅନ୍ୟାୟର ଅନ୍ଧକୂପେ ଆତ୍ମାହୁତି ଦେବା ପାଇଁ ବାଧ୍ୟ ନିର୍ଦୋଷ
ଅଧିକାରର ପୃଷ୍ଠାରୁ କ’ଣ ଲିଭିଯାଇଛି ତା ପାଇଁ ଦୁଇ ଗାର ?

ଏ ଅଧିକାରର ଉପନିବେଶେ ଜନ୍ମ ମୃତ୍ୟୁ ଉପହାସର ପାତ୍ର
କେ କହିଲା ଏ ବିଧିର ବିଧାନ, ଏଥିରେ ନାହିଁ କାହାର କତୃତ୍ବ
କେବେ ଅନ୍ତଃ ଚିରିପାରେନା,ତ କେବେ କାୟା ଧରିପାରେନା
ଲିଙ୍ଗର ପ୍ରମାଣପତ୍ର ବି ଆବଶ୍ୟକ ଏଠି ନେବା ପାଇଁ ପ୍ରବେଶ ।

କ’ଣ କେ ଶୁଣିପାରୁଛି ସେ ଅଜଣା ରାଇଜର ବୁକୁଫଟା ଆର୍ତ୍ତ,
ସୁଖ ପ୍ରାସାଦରେ ବଞ୍ଚିବା କ’ଣ ତାର ନୁହେଁ ନାର୍ଯ୍ୟ ଅଧିକାର ?
ବିଧାଣୀ କି ଆଶିଷର ବର୍ଷା କରିଛି ସ୍ବାର୍ଥୀ କୁବେରଙ୍କ ଉପର?
ପର୍ଣ୍ଣ କୁଟିରର ଜୀର୍ଣ୍ଣ ପରିଚୟେ ବଞ୍ଚିବା ଖାଲି ହୋଇଛି ସାର ।

ମୋର… ମୋର… ମୋର… ଆଉ… ମୋର ହିଁ ସର୍ବସ୍ଵ
ଏ ଉଚ୍ଚାଟର ରବ ମୋର ଗିରିକୁ କରିଚାଲଇ ସ୍ତମ୍ଭିଭୁତ
ତରଙ୍ଗର ଉତ୍ଥଳରେ ମୋ ହୃଦୟ ହୋଇଯାଏ ବିଦିର୍ଣ୍ଣ
ଏ ଏକଚାଟିଆ ଅଧିକାର ତୁମ ହାତେ କେ ଦେଇଛି କୁହ?

ଅଶ୍ରୁର ଚାଦର ବି ଥକି ଗଲାଣି ଦେଇ ବେଦନାକୁ ଶୀତଳ
ଅସ୍ପଷ୍ଟ ଶବ୍ଦ ଖାଲି ହୁଏ ପ୍ରତିଧ୍ବନିତ…
ଦିଅ ମୋକ୍ଷ …
ଦିଅ ମୋକ୍ଷ ।

ଜ୍ୟୋତିର୍ମୟୀ ସାହୁ

 86 total views,  1 views today

One thought on “*ଅଧିକାରର_ଉଚ୍ଚାଟ– ଜ୍ୟୋତିର୍ମୟୀ ସାହୁ*”

Leave a Reply

Your email address will not be published. Required fields are marked *