ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି
ଡ଼. ଅଶୋକ କୁମାର ଷଡଙ୍ଗୀ, ପ୍ରାଧ୍ୟାପକ, ଭଞ୍ଜନଗର
ଆଣ୍ଠୁଏ ପାଣିକି ଗଲିଲୋ ସଜନୀ
ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି
ଯୋ’ ଡ଼ାଳ ଧରିଲି, ପତ୍ରକୁ ଛୁଇଁଲି
ରକ୍ତ ଶୋଷି ଶୋଷି ଖାଉଛି
କେଉଁ ସୁନେଲି ସ୍ୱପ୍ନରେ ମୋହବିଷ୍ଠ ମନ
ଏବେ କ୍ଳାନ୍ତ ଅବସନ୍ନ
କେଉଁ ମୋହର ପଙ୍କରେ ଚିରକାଳ
ନିମଜ୍ଜିତ ସମୟର ପଦ୍ମ
ଯେତେବେଳେ ଛୁଇଁଯାଏ ଅତି ସରାଗରେ
ନୀଳ ପଦ୍ମର ସ୍ୱପ୍ନିଳ କେଶର
କ୍ଷୁଧିତ କୁମ୍ଭୀର ଓଷ୍ଠେ ସଂଚରିଯାଏ
ମହା ଭୋକର ଚରୁ-ଅନ୍ନ
ଛୁଇଁବା ଆଗରୁ ଭାଙ୍ଗିଯାଏ ହାଡ଼
ହାତରୁ ଖସିପଡ଼େ ପଦୁଅଁର ନାଡ଼
ରହସ୍ୟମୟ ସରସୀ ଜଳରେ
ପଦ୍ମ କିନ୍ତୁ ଝୁଲୁଥାଏ ହାତ ପାହାନ୍ତାରେ
ଛାତିଏ ପାଣିକି ଗଲିଲୋ ମିତଣୀ
ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି
ରକ୍ତକ୍ଷରା ପାଖୁଡ଼ାଟେ ଛୁଇଁଦେଲି ବୋଲି
ଡୁବି ଯାଉଛି ମୋ’ଯୌବନ ପଦୁଅଁ
ବୟସର ସାତତାଳ ପଙ୍କେ
କେଉଁ ମହା କାଳର କିମିଆରେ
ବଶୀଭୂତ ପଦ୍ମ,
କେଉଁ ଗୋପିତ ନୀଳ ସମ୍ମୋହନରେ
ଲୀଳାୟୀତ ମନ
ଲମ୍ପଟ ଭ୍ରମର ପରି ବାରମ୍ବାର
ଛୁଇଁବାକୁ ହୁଏ ଉଚ୍ଚାଟନ
ପଦ୍ମ ପାଖୁଡ଼ାରେ ଲୁଚିଛି ଦେଖ
ସେ କେଉଁ ମାୟାବିନୀ ରାକ୍ଷସୀ
ମଧୁରେ ତା’ ଭରିଦିଏ ବିଷର କୁହେଳୀ
ରଙ୍ଗରେ ବିଞ୍ଚିଛି କେଉଁ ମନ୍ତ୍ରାକ୍ଷରୀ ଜଳ
ତକ୍ଷକର ରୂପନିଏ କୋମଳ ମୃଣାଳ
ସେ ନିଷିଦ୍ଧ ପଦ୍ମ ମୋହରେ ମତୁଆଲା
ମୁଁ ଏକ ପାଗଳ ଭଅଁର
ମୃତ୍ୟୁର ଚିତ୍ରଶାଳାରେ
ଶେଷ ଚିତ୍ରକର।।
299 total views, 1 views today