*ନିଶିପଦ୍ମା*
ଡ଼. ଅଶୋକ କୁମାର ଷଡଙ୍ଗୀ, ପ୍ରାଧ୍ୟାପକ, ଭଞ୍ଜନଗର
କେଉଁ ସ୍ୱପ୍ନରେ ଭରିଦେବି ପ୍ରେମର ପାଖୁଡ଼ା
ପରାଗରେ ବିଞ୍ଚି ଦେବି ସ୍ମୃତିର ସୁଗନ୍ଧ
କେଉଁ ଶବ୍ଦରେ ଗୁନ୍ଥି ଦେବି
ଅନୁରାଗର ଗଜରାମାଳା
କହ ନିଶିପଦ୍ମା
କେଉଁ ଦୁଃଖରେ ତୁ ସଦା ମୁହ୍ୟମାନ
ଅନୁରାଗ ନା ବିରାଗ
ଆନନ୍ଦ ନା ଅବସାଦ
କେଉଁ ଶବ୍ଦ କରେ ତତେ ନିତ୍ୟ ଉଚ୍ଚକିତ;
ସବୁ ଶବ୍ଦର ଉର୍ଦ୍ଧ୍ଵରେ ତୁ
ନିଶବ୍ଦ-ନଦୀଟିଏ ଏବେ,
ସବୁ ପ୍ରେମରେ ଉପରେ
ନିରୁତା ମୋକ୍ଷଶାଳା ଟିଏ
ଫର୍ଦ୍ଦ ଫର୍ଦ୍ଦ ସ୍ମୃତିର ମୁକ୍ତିମାଳା ଟିଏ
ନା ପ୍ରେମ ନା ବିରହ
ନା ଆତ୍ମୀୟତା ନା ପ୍ରବଞ୍ଚନା
ଜିଙ୍ଘାସା ପ୍ରବଣ ସମାଜଠୁ ବହୁ ଦୂରେ
କଳ୍ପିତ କଳ୍ପଲୋକର ସ୍ଥିତିପ୍ରଜ୍ଞ ସମ୍ଭାବନା ଟିଏ
ଛାଳନାର ମାୟାଜାଲରୁ ଏବେ ତୁ ମୁକ୍ତ
ମହାଶୂନ୍ୟରେ ଉଡୁଥିବା ସ୍ୱାଧୀନ ବିହଙ୍ଗ
ମୁଗ୍ଧ ଅନୁଭବର ଦୃପ୍ତ ଦୀପଶିଖା ଟିଏ
ନା ଦୁଃଖ ନା ସନ୍ତାପ୍ତ
ନା ଦୁଶ୍ଚିନ୍ତା ନା ଅନୁଶୋଚନା
ବିଚଳିତ କରିପାରେ ତୋ’ ମନକୁ ନିଶିପଦ୍ମା!
କେଉଁ ଅମୃତମୟ ସ୍ପର୍ଶରେ ତ
ଧୋଇ ଯାଇଛି ତୋର ସକଳ ପାତକ
ନିୟତିର ଗୋପନ ନୈସ୍କରେ
ରକ୍ତାକ୍ତ ସ୍ୱପ୍ନ ବିପର୍ଯ୍ୟସ୍ତ
ତୋ’ ଆଶାର ଭଗ୍ନ ପ୍ରାଚୀର ଉପରେ
ସବାର୍ ହୋଇଛି ଇର୍ଷାର ସୈତାନ
ସମୟର ବଢ଼ନ୍ତା ସ୍ରୋତରେ ଭାସି ବୁଲୁଛି
ଯନ୍ତ୍ରଣାଦଗ୍ଧ ଅତୀତର
ଯେତେସବୁ ଛନ୍ଦମୟ ଅଦୃଶ୍ୟ କବିତା
ନପାରିଲାପଣର ଆହତ ବ୍ୟାକୁଳତା
ଅଞ୍ଜନା ଠାରୁ ଛବିରାଣୀ
ନିର୍ଭୟା ଠାରୁ ଅଭୟା ପର୍ଯ୍ୟନ୍ତ
ପ୍ରତିଶ୍ରୁତିର ଦୋରୁଅରେ ଭିଜା
ବତୁରା-ସ୍ୱପ୍ନର ମାଟି ପିଣ୍ଡୁଳାଟାଏ ତୁ
ଭିତରେ ତୋ’ ସୁପ୍ତ ଶତ ସ୍ପୁଲିଙ୍ଗର ଝଲକ
ଚକ୍ଷୁରେ ଉଦ୍-ଗତ ଅଗ୍ନିଶିଖା
ତୋ’ ଅପଲକ ଦୃଷ୍ଟିର ସ୍ଥିରଲକ୍ଷ ତୀର
ଶରବିଦ୍ଧ କରିବ ଏବେ
ପଥଭ୍ରଷ୍ଠ ଭୂଲୋକର ଯେତେ ମହିଷାସୁର
ତୁ ତ କେଉଁ କାଳୁ ସମର୍ପଣର
ସୁକ୍ଷ୍ମ ଚେତନାରେ ବନ୍ଦୀ
ନିରବଚ୍ଛିନ୍ନ ଆତ୍ମଶ୍ଲାଘା ଟିଏ
ସମ୍ଭାବିତ ସୁଖ ସବାରିରେ ବସି
ଛୁଇଁ ଯାଇଛୁ ଅସୀମ ଆକାଶ
ଚରମ ପ୍ରଶାନ୍ତିର ଅଧର ବିନ୍ଦୁ ହୋଇ
ମିଶି ଯାଉଛି ନକ୍ଷତ୍ର ସିନ୍ଧୁରେ ଚି଼ରକାଳ
ସାମୁହିକ ତମସାର ସ୍ରୋତ ଠେଲି
ମହାକାଳର ଅନନ୍ତ କୋଳରେ
ଶୁଭ ଶଙ୍ଖର ନିର୍ବାଧ ନିନାଦରେ
ଛୁଇଁ ଯାଇଛୁ ମହମହ ଅମୃତ ପରସ
ଶାଶ୍ୱତ ସମର୍ପଣର ଏକ ଦିବ୍ୟ ଅନୁଭବ।