February 04, 2023
11 11 11 AM
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା)
ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼
ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ
ଦରଦି_ଦରଦ – ସୁମିତ୍ରା ନାୟକ 
ସ୍ମୃତି – ସୁମିତ୍ରା ନାୟକ 
ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ 
କୁହୁକ କୁହାଟ  – ସୁମିତ୍ରା ନାୟକ 
Latest Post
ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା) ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼ ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ ଦରଦି_ଦରଦ – ସୁମିତ୍ରା ନାୟକ  ସ୍ମୃତି – ସୁମିତ୍ରା ନାୟକ  ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ  କୁହୁକ କୁହାଟ  – ସୁମିତ୍ରା ନାୟକ 

*ପ୍ରତୀକ୍ଷା — ଡ଼. ଅଶୋକ କୁମାର ଷଡ଼ଙ୍ଗୀ*

ପ୍ରତୀକ୍ଷା

ଡ଼. ଅଶୋକ କୁମାର ଷଡ଼ଙ୍ଗୀ, ପ୍ରାଧ୍ୟାପକ

ସମ୍ମୁଖରେ ଗୋପାଳପୁରସ୍ଥ ଉର୍ମିଅଧୀରା ରୂପସୀ ବଙ୍ଗୋପସାଗର। ଦିଗନ୍ତପ୍ରସାରୀ ଘନନୀଳ ଜଳ ଅପରାହ୍ନର ସୁନେଲୀ ବାଲୁକା ଶଯ୍ୟାରେ କ୍ରୀଡାରତା। ସେପଟେ କାଜୁ ଆଉ ଝାଉଁ ବଣ।ଏପଟେ ନୋଳିଆ ବସ୍ତି। ବଡ଼ ବଡ଼ ମାଛ ଧାରା ଡ଼ଙ୍ଗା ଆଉ ଜାଲରେ ଭର୍ତ୍ତି। ପର୍ଯ୍ୟଟକଙ୍କ କୋଳାହଳରେ ଶବ୍ଦମୟ ହୋଇ ଉଠୁଛି ସାମୁଦ୍ରିକ ପରିବେଶ। ପୁଣି ଆଜି ରବିବାର; ଛୁଟିଦିନ। ଜନ ସମୁଦ୍ର ଆଉ ଜଳ ସମୁଦ୍ରର ଅପୂର୍ବ ସମନ୍ୱୟ ବେଶ୍ ଚିତାକର୍ଷକ ଆଉ ଉପଭୋଗ୍ୟ।

ବେଳା ଭୂଇଁରେ ଛନ୍ଦାୟିତ ନବ ବିବାହିତ ଦମ୍ପତି, ପ୍ରେମିକ ଯୁଗଳ ଅଥବା ମୋ’ ଭଳି ଅନେକ ନିଃସଙ୍ଗରେ ପଦଚାରଣ କରୁଥିବା ସୌନ୍ଦର୍ଯ୍ୟ – ପିପାସୁ ମଣିଷ, ସମସ୍ତେ ଚାହୁଁଛନ୍ତି କ୍ଷଣିକ ପାଇଁ ନୈସର୍ଗିକ ପ୍ରକୃତି କୋଳରେ ହଜିଯିବାକୁ। କତେଜଣ ନିଶ୍ଚୂପ ମୁଦ୍ରାରେ ଚାହୁଁଛନ୍ତି ଆକାଶ ଓ ସମୁଦ୍ରର ସଙ୍ଗମସ୍ଥଳକୁ। କିଏ ଲୋଟି ପଡୁଛି ଲହରୀଭରା ସମୁଦ୍ର ଜଳରେ, ପୁଣି କିଏ ବାଲୁକା ପିଠିରୁ ଶାମୁକା ଖୋଜିବାରେ ବ୍ୟସ୍ତ।

ଏଇ ଅଶାନ୍ତ, କୋଳାହଳମୟ ପରିବେଶରୁ ମୁକ୍ତ ହୋଇ ଝାଉଁବଣର ଶାନ୍ତ, ନିରବ ପରିବେଶରେ କିଛି ସମୟ ବିତାଇବାକୁ ଇଚ୍ଛାହେଲା କାରଣ ବିଜନତାକୁ ମୁଁ ଭଲପାଏ। ଭଞ୍ଜବିହାରରେ ପାଦଦେଲା ଦିନଠାରୁ ଏଇ ସମୁଦ୍ର ସହିତ ମୋର କେମିତି ଗୋଟାଏ ମଧୁର ସମ୍ପର୍କ ଗଢ଼ି ଉଠିଛି। ବଙ୍ଗୋପସାଗରର ଗୁରୁଗମ୍ଭୀର ଶବ୍ଦରେ ପ୍ରଗଳଭ, ବିଭୋର ହୋଇ ଉଠେ ମୁଁ। କେଉଁ ଏକ ଅପ୍ରକାଶ୍ୟ ମଧୁର ସମ୍ମୋହନରେ ଚାଲି ଆସେ ତା’ କୋଳକୁ ନିଜ ଅଲକ୍ଷ୍ୟରେ।

ଆଗକୁ ପାଦ ବଢ଼ାଇଲି। ପଛରେ ରହିଗଲା ” ହଲିଡେଇନ୍”, ସାମ୍ନାରେ ଲାଇଟ୍ ହାଉସ୍ ଆଉ ” ପାମ୍ ବିଚ୍”। ତା’ତଳେ କେତେଟା ଭଙ୍ଗୀଳ ବାଲୁକା ସ୍ଥୂପ। ତା’ ପରେ କାଜୁ ବଣ। ମଝି ଜାଗାଟା ସାମାନ୍ୟ ସମତଳ। ଅନତି ଦୂରରେ ସମୁଦ୍ର ନାଚୁଛି ବିଚଳିତ ଭାବେ।

ଦୂରରୁ ଲକ୍ଷ୍ୟକଲି ଏକାକୀ ତରୁଣୀଟିଏ ବାଲୁକା ଶଯ୍ୟାରେ ନିରବରେ ବସିଛି। ତା’ ଚାରିପଟେ ନିଃସଙ୍ଗ ପୃଥିବୀ ସମଗ୍ର ସମୁଦ୍ରକୁ ଆବୋରି ବସିଛି। ଦୃଷ୍ଟି ତାର ଲମ୍ବି ଯାଇଛି ସୁଦୂର ପ୍ରାସାରୀ ସମୁଦ୍ର ଆଡ଼କୁ ପୁଣି କିଛି ସମୟ ପରେ ବାଲି ଦେହରେ ବିଚଳିତ ଭାବେ କେଉଁ ଏକ ଅଜଣା ଚିତ୍ରାଙ୍କନରେ ମଗ୍ନ ରହୁଛି ନିରବରେ। ଦୁଇ ତିନି ଥର ତା’ ସାମନାରେ ଯିବା ଆସିବା କଲି, ତଥାପି ତରୁଣୀଟି ସମ୍ପୂର୍ଣ୍ଣ ବିଚଳିତ ଓ ନିର୍ବିକାର। ତାର ଏତାଦୃଶ ଆଚରଣରେ ସମ୍ମୋହିତ ହୋଇ ପଡ଼ିଲି ମୁଁ।

କିଛି ଦୂରରେ ଛିଡ଼ାହୋଇ ଲକ୍ଷକଲି ତା’ ଆଡକୁ। ଯୌବନର ଅପୂର୍ବ କାଉଁରୀ ପରଶ ଲାଗିଛି ତା’ ଦେହରେ। ଦୁଧ-ଅଳତା ରଙ୍ଗର କୋମଳ ଅଙ୍ଗରେ ସବୁଜ ରଙ୍ଗର ଶାଢ଼ୀକୁ ଆକାଶୀ ରଙ୍ଗର ବ୍ଲାଉଜ ଖୁବ୍ ମ୍ୟାଚ୍ କରୁଥିଲା ଅଥଚ ତା’ ଗୋରା ମୁହଁଟା କେମିତି କେମିତି ନିଷ୍ପ୍ରଭ ଦିଶୁଥିଲା।

ତା’ର ନିରବ ଦୃଷ୍ଟି ପୌଷର ଆକାଶ ପରି ଉଦାସ, ଶୀତଳ ପ୍ରସାରିତ ଏକ କରୁଣମୟ ଅଭିବ୍ୟକ୍ତି। ମନେ ହେଉଥିଲା ସତରେ ତା’ ମନର ସବୁ ଆନନ୍ଦ କି’ଏ ଯେମିତି ବହୁ ଦିନରୁ ପୋଛିଦେଇଛି।

ପାର୍ଶ୍ୱସ୍ଥ ଚିତ୍ରଟା ମଧ୍ୟ ସ୍ପଷ୍ଟ ଦିଶୁଛି। କୋମଳ, ଛନଛନିଆ ଶିଶୁଟିଏ ଶୋଇଛି ଏକ ଭାସମାନ ନଉକାରେ। ସମୁଦ୍ର ତରଙ୍ଗରେ ନୌକାଟି ଭାସି ଭାସି ଯାଉଛି ଦୂରକୁ ….ବହୁ ଦୂର ଦିଗ୍ ବଳୟ ଆଡ଼କୁ। ହଠାତ୍ ମୋ’ ପାଟିରୁ ବାହାରି ପଡ଼ିଲା – ଚିତ୍ରଟା ସୁନ୍ଦର୍ ଅଥଚ ଅସ୍ପଷ୍ଟ। ଏଥର ତରୁଣୀଟି ମୁହଁ ବୁଲାଇ ଏକ ବେଦନାଭରା ନରମ ଦୃଷ୍ଟିପାତ କଲା ମୋ’ ଉପରେ। ପୁଣି ମୁଁହ ତଳକୁ କରି କହିଲା – ସୁନ୍ଦର, ଯାହା ସତ୍ୟ; ଅସ୍ପଷ୍ଟ , ଯେଉଁଟା ଅନ୍ଧକାର।

ଅସୀମ ଅନୁରାଗର ତୀବ୍ର ଆକର୍ଷଣରେ ଆକର୍ଷିତ ହୋଇ ଉଠିଲି ମୁଁ। ଯା’ହେଉ ତରୁଣୀଟି ସହିତ ଦିପଦ କଥାବାର୍ତ୍ତା ହେବାର ଖୋରାକ ପାଇଯାଇଛି ଭାବି ମନେ ମନେ ଖୁସୀ ହେଲି। ଆଉ ଟିକିଏ ପାଖକୁ ଯାଇ ମୁଗ୍ଧ କଣ୍ଠରେ ପଚାରିଲି – ଆପଣଙ୍କ କଥାର ସାରମର୍ମଟା ବୁଝିପାରିଲି ନାହିଁ।

ଏଥର ତରୁଣୀଟିର ନିରବ ଓଠରେ ଚେନାଏ ହସର ଢେଉ ଖେଳିଗଲା। ଫଗୁଣର ରଙ୍ଗୀନ କୃଷ୍ଣଚୂଡ଼ା ଭଳି ତା’ ହସଟା ପ୍ରଣାବନ୍ତ ମନେ ହେଉଥିଲା। ତା’ ଚଉଡା ଭ୍ରୂ ତଳର ଦୁଇଟି ଘନନୀଳ ଢଳ ଢଳ ଚକ୍ଷୁ ଚଉଡା କପାଳର କ୍ଷୁଦ୍ର କୁଙ୍କୁମ ବିନ୍ଦୁ ସହିତ ଦୋଲାୟିତ କାକାକୃଷ୍ଣ କେଶରାଶି ଅପୂର୍ବ ସୌନ୍ଦର୍ଯ୍ୟ ସୃଷ୍ଟି କରୁଥିଲା। ଯାହାକୁ ଦେଖିଲେ ମୋ’ ଭଳି ଜଣେ ଯୁବକ ଆକୃଷ୍ଟ ହୋଇ ପଡିବା କିଛି ଅସ୍ବଭାବିକ ନୁହେଁ। ପୁଣି ଚାହିଁଲା ସେ ମୋ’ ଆଡ଼କୁ। ଆତ୍ମବିସ୍ମୃତ ହୋଇ ପଡ଼ିଲି ମୁଁ। କିଛି ସମୟର ନିରବତା ପରେ ପ୍ରଥମେ ମୁଁହ ଖୋଲିଲା ସେ –
– ଆପଣ ଭାଞ୍ଜବିହାରରେ ପଢନ୍ତି?
– ହଁ, କିଛି ଦିନ ତଳେ ଏଠି ନା’ ଲେଖାଇଛି।
– ମୋ’ ଦୀପକ ଭାଇକୁ ଚିହ୍ନିଛନ୍ତି? ମାନେ ଦୀପକ ମିଶ୍ର, ଶେଷ ବର୍ଷ ଇତିହାସ ଛାତ୍ର। ଭIରି ଖେଳ ପ୍ରିୟ ସେ। ସବୁ ବର୍ଷ ଖେଳକୁଦ ପ୍ରତିଯୋଗିତାରେ ଚମ୍ପିୟାନ ହୁଅନ୍ତି। ଗୀତ ଯେମିତି ବୋଲନ୍ତି ପିଆନୋ ଓ ଭାଓଲିନ ତା’ଠୁ ଅଧିକ ବଜାଇ ପାରନ୍ତି। ତେଣୁ ଭଞ୍ଜ ବିହାରରେ ତାଙ୍କର ଯଥେଷ୍ଟ ସୁନାମ ଅଛି। ସବୁ କଥା ଏକା ନିଃଶ୍ୱାସରେ କହିଗଲା ତରୁଣୀଟି। କହିଲି – ମୁଁ ଏଠି ନୂଆଁ। ପୁଣି ଏତେ ଗୁଡ଼ାଏ ଛାତ୍ରଙ୍କୁ ଚିହ୍ନିବା ସମ୍ଭବ ନୁହେଁ। ଯଦିଓ ବହୁ ଛାତ୍ରଙ୍କ ସଂସ୍ପର୍ଶରେ ଆସିଲିଣି ତଥାପି ଦୀପକ ବାବୁଙ୍କ ସହ ପରିଚିତ ହୋଇ ପାରିନି। ତଥାପି ଚେଷ୍ଟା କରିବି ତାଙ୍କ ବିଷୟରେ ଆପଣଙ୍କୁ ଜଣାଇବା ପାଇଁ।

– ସତରେ ସେ ଭାରି ଖାମଖିଆଲି ମଣିଷ। ଭାବିଲେ ନିଜକୁ ଦୁଃଖ ଲାଗୁଛି। ପୂର୍ବରୁ ସବୁବେଳେ ଏଠି ଦେଖାସାକ୍ଷାତ ହୁଏ। ପୁଣି ଆମ ଘରକୁ ସେ ପ୍ରାୟ ବହୁ ସମୟ ଆସନ୍ତି। ଏବେ କିନ୍ତୁ ଛଅ ମାସ ହେଲା ନିରୁଦ୍ଦିଷ୍ଟ। ଅନ୍ତତଃ ସପ୍ତାହକୁ ଥରେ ଦେଖା କଲେ କଣ କ୍ଷତି ହୋଇ ଯାଉଛି ଯେ। ଅଭିମାନରେ ଫାଟି ପଡୁଥିଲା ତରୁଣୀ। ତା’ ଚମ୍ପକ-ଗୋରା ମୁଖମଣ୍ଡଳ ହଠାତ୍ ରକ୍ତଶୂନ୍ୟ ହୋଇଗଲା ଭଳି ମନେ ହେଲା ମୋର। ମୁଁ ପୁଣି ପଚାରିଲି –
– ଦୀପକ ବାବୁ କଣ ସତରେ ଆପଣଙ୍କ ଭାଇ?
କିଛି କହିଲା ନାହିଁ ସେ, ସ୍ୱ ଅଙ୍କିତ ଚିତ୍ରପଟ୍ଟକୁ ହାତରେ ଲିଭାଇ ପୁଣି ଚାହିଁଲା ସମୁଦ୍ର ଗର୍ଭକୁ। ହସ ଝଲମଲ ତା’ର ସେଇ ସ୍ନିଧ ଚକ୍ଷୁଯୁଗଳ ସହସା ସକାଳର ଶିଉଳୀ ପରି ହଠାତ୍ ଶୀତଳ ଆଉ କରୁଣ ହୋଇ ଉଠିଲା।
ଅଦ୍ଭୁତ ଖିଆଳର ଝିଅଟି। କିଛି କହିବାକୁ ଚେଷ୍ଟା କରୁଛି ଅଥଚ ପୁଣି ନିରବି ଯାଉଛି। କେଉଁ ଏକ ଅଜଣା ଚିତ୍ର ଆଙ୍କୁଛି ବାଲିରେ ପୁଣି ମନକୁ ମନ ଲିଭାଇ ସଫା କରିଦେଉଛି। କ’ଣ ହୋଇଛି ତାର!

ବାହାରୁ ଦେଖିଲେ କେତେ ପରିପୂର୍ଣ୍ଣ ଲାଗେ ତରୁଣୀଟି। ଅଥଚ ଭିତରେ ତାର କୁଢ଼ କୁଢ଼ ଶୂନ୍ୟତାର ପାହାଡ। କେତେ ନିଃସ୍ୱ ଜଣାପଡୁଛି ସତରେ!! ଜୀବନ-ବୀଣାରୁ ତାର ବୋଧେ ସମସ୍ତ ସୁଖର ତାର ଗୁଡ଼ିକ ଛିଣ୍ଡିଯାଇଛି। ଜୀବନ ନାଟକରେ ସେ ପାଲଟି ଯାଇଛି ଜଣେ ଅସଫଳ ଅଭିନେତ୍ରୀ। ପୁଣି ନିଜକୁ ଯଥା ସମ୍ଭବ ସଂଯତ କରି ପଚାରିଲି – ଏଇ ଚିତ୍ରଟା ସମ୍ପର୍କରେ କିଛି ନ କହି ନିରବ ରହିଲେ ଯେ।

ହଠାତ୍ ସେ ଭାବନା ରାଜ୍ୟରୁ ବିସ୍ମୃତ ହୋଇ ମୋତେ ଚାହିଁ ଅପ୍ରତିଭ କଣ୍ଠରେ କହିଲା – ” କ୍ଷମା କରିବେ, ଆପଣ ଏ ପର୍ଯ୍ୟନ୍ତ ଏମିତି ଛିଡ଼ା ହୋଇଛନ୍ତି ସତରେ ମୋର ଜମା ଖିଆଲ ନାହିଁ। ବସନ୍ତୁ ନା। ଆପଣଙ୍କ ନା’ ପଚାରିବାକୁ ମଧ୍ୟ ଭୁଲି ଯାଇଛି।
ତା’ ପାଖରେ ଥିବା ଖାଲି ଜାଗାରେ ବସିଲି। ପାଖରେ ପଡିଥିବା କେତୋଟି ଶାମୁକା ଗୋଟାଉ ଗୋଟାଉ ମୁଁ କହିଲି –
– ମୋ’ ନା’ ସୁମନ୍ତ ଦାସ।
– ମୁଁ ଲତିକା ମିଶ୍ର। କ୍ୟାପଟେନ ସାଗର ମିଶ୍ରଙ୍କ ଏକମାତ୍ର ଝିଅ। ବେଳାଭୂମିର ବାଲି ଉପରେ ଅସ୍ପଷ୍ଟ ଆଙ୍ଗୁଳି ଚାଳନା କରୁ କରୁ ତରୁଣୀଟି କହିଲା।
ମୁଁ କହିଲି – ସତରେ ଆପଣ ଖୁବ୍ ସ୍ମାର୍ଟ୍, ନୁହେଁ କି? ତଥାପି ଏମିତି ବେଳେ ବେଳେ ଅପ୍ରତିଭ୍ ହୋଇ ପଡୁଛନ୍ତି କାହିଁକି?? ସେଇ ଅଗାଧ ସମୁଦ୍ରର ଘନନୀଳ ଜଳରାଶିକୁ ଚାହିଁ କଣ ଖୋଜୁଛନ୍ତି ନିଃସଙ୍ଗ ଭାବେ!! କ’ଣ ହୋଇ ପାରେ ସେ ଅଜଣା ଶକ୍ତି, ଯାହା ଏକ ଦୂରନ୍ତ ଚପଳତାକୁ ଏମିତି ସଜଳ ସ୍ତବ୍ଧ କରିଦେଇପାରେ।
ଲତିକାର ଚକ୍ଷୁରୁ ବହିଗଲା ଦୁଇ ଧାର ଅଶ୍ରୁ।
କଇଁ କଇଁ ହୋଇ କାନ୍ଦିବାରେ ଲାଗିଲା ସେ। ବଡ଼ ଅସୁବିଧାରେ ପଡ଼ିଗଲି ମୁଁ।
ଲତିକାର ବିଷର୍ଣ୍ଣ କପାଳର ଭାଷାରେ, ବ୍ୟଥିତ ଆଖିର ଚାହାଣୀରେ ଆଉ ଵିଧୂର-ଚିବୁକରେ ଅସ୍ତିରତାରେ ଏମିତି ଏକ ବ୍ୟାକୁଳ ହୃଦୟର କାତରତା ଧ୍ୱନିତ ହେଉଛିଯେ ସେ ଆଡ଼କୁ ଚାହିଁ ମୁଁ କିଛି ମନେ କରି ପାରୁନି।
ଜଣେ ଶୋକ – ସନ୍ତପ୍ତା, ବିରହ – ବିଧୁରା ଝିଅକୁ କେମିତି ସାନ୍ତ୍ଵନା ଦେବି ମୁଁ! ତଥାପି ସାନ୍ତ୍ଵନା ଦେବାକୁ ଯାଇ କହିଲି – ସତରେ ଲତିକାଦେବୀ, ମୋର ଏ କଥା ଯଦି ତୁମ ମନରେ ଆଘାତ ଦେଇଛି ସେଥି ପାଇଁ ମୁଁ ଖୁବ୍ ଅନୁତପ୍ତ।
ହଠାତ୍ ଲାତିକାର କାନ୍ଦ ବନ୍ଦ ହୋଇଗଲା। ତା’ର ପତଳା ଦୁଇ ଓଷ୍ଠକୁ ଅସ୍ଥିରକରି, ସୁଗଠିତ ଵକ୍ଷକୁ ଥରାଇ ଗୋଟିଏ ଦୀର୍ଘଶ୍ୱାସ ବାହାରି ଆସିଲା। ପଣତ କାନିରେ ମୁହଁ ପୋଛି ପୋଛି ଲତିକା କହିଲା – ସୁମନ୍ତ ବାବୁ ଏଇ ସମୁଦ୍ରଟାକୁ ଦେଖିଲେ, କେତେ ଗମ୍ଭୀର ହୋଇ ଉଠୁଛି ସତେ।
ମୁଁ ଚାହିଁଲି ସମୁଦ୍ର ଗର୍ଭକୁ।
ବତୀଘରର ଛାଇ ନାଚୁଛି ସମୁଦ୍ର ଢେ଼ଉରେ। ଦୂରରୁ ଭାସି ଆସୁଛି ରୂପା ଫୁଲର ଲହରୀ ପାହାଡ। ଆଉ ଟିକିଏ ପରେ ନଇଁ ପଡ଼ିବ ବେଳାର ବୁକୁରେ। କେତେ କଥା କେତେ ଭାଷା କହିଯିବ ଵେଳାର କାନରେ, କିଛି ସମୟ ପରେ ପୁଣି ଫେରିଯିବ ସେଇ ଦୂର ଦିଗ୍ ବଳୟ ଆଡେ। ପୁଣି ଵିରହିଣୀ ବେଳା ଅପେକ୍ଷା କରି ପଡିରହିବ ସେଇ ଲହରୀର ଫେରିଲା ପଥକୁ ….।

ଏଇ ଭିତରେ ଲତିକା କେତେ ବେଳୁ ଥର୍ମୋସ୍ ଫ୍ଲାସ୍କରୁ କଫି କପରେ ଢ଼ାଳି ସାରିଥିଲା। ମୋ’ ହାତକୁ କପଟି ବଢ଼ାଇ କହିଲା – ନିଅନ୍ତୁ ସୁମନ୍ତ ବାବୁ, ଡେରି କଲେ ଥଣ୍ଡା ହୋଇଯିବ ଯେ।

ଧୁମାୟିତ କଫି କପର ସ୍ପର୍ଶ ଓଠରେ ଦେଉ ଦେଉ ଲତିକା କହିଲା – ସତରେ ସୁମନ୍ତ ବାବୁ, ଜୀବନର ରଙ୍ଗମଞ୍ଚରେ ମୁଁ ଜଣେ ସମ୍ପୂର୍ଣ୍ଣ ଅସଫଳ ଅଭିନେତ୍ରୀ। ମନର ସମସ୍ତ ଆଶା, ଆକାଂକ୍ଷା ପୋଡ଼ି ଜଳି ପାଉଁଶ ହୋଇ ଯାଇଛି ମୋର। ଅବଶିଷ୍ଟ ଜୀବନରେ ଖାଲି ହାହାକାର ଆଉ ଶୂନ୍ୟତା ଭରି ରହିଛି

ଯେଉଁ ଆଶା ଅସୀମ, ଶୂନ୍ୟ ଆକାଶ ପରି ବିଶାଳ ତାହା ସବୁବେଳେ ଅପୂରଣୀୟ ହୋଇ ରହିଯିବ। ସବୁ ଆଡେ ମୋ’ ପାଇଁ ମରୀଚିକା, ସାହାରାର ଧୁ ଧୁ ମାରୁବାଲି…..ଖୁବ୍ ଭୀଷଣ, ଦୁର୍ଗମ ଆଉ ଭୟଙ୍କର। ସବୁ ମୁଁ ପାଇଛି ସୁମନ୍ତ ବାବୁ। ଅଥଚ ନପାଇବାର ଜୁଇ ଭିତରେ ଆଜି ମୁଁ ଦଗ୍ଧୀଭୂତା।

ମୋର ମନେ ହେଲା ସତେ ଯେମିତି ଏକ ନିଃସହାୟତାର ପରାଦାଟିଏ ଢାଙ୍କି ହୋଇଯାଇଛି ଲତିକା ଉପରେ। କେଉଁ ଏକ ନିଖୋଜ ଜିନିଷ ପାଇଁ ସବୁ କିଛି ଖପ ଛଡ଼ା ମନେ ହେଉଛି। କଫି କପକୁ ତଳେ ଥୋଇ ଦେଇ ମୁଁ କହିଲି – ସମ୍ଭବତଃ ଦୀପକ ବାବୁଙ୍କ ସହିତ ମନାନ୍ତର ପରେ ଆଉ ବୋଧେ ସାକ୍ଷାତ ହୋଇନି।

– “ମତନ୍ତରର କୌଣସି କାରଣ ନାହିଁ। ଭୁଲ ତାଙ୍କର ନୁହେଁ କିମ୍ବା ଜ୍ଞାତସାରରେ ମୁଁ କିଛି ଭୁଲ୍ କରିନି ବରଂ ଭୂଲଟା ଆଦୃଷ୍ଟର କହିଲେ ଠିକ୍ ହେବ” ଦୀର୍ଘ ନିଃଶ୍ଵIସ ଛାଡି ଲତିକା କହିଲା।
– ସୁମନ୍ତ ବାବୁ, ଆପଣ କ’ଣ ଇତିହାସ ପଢନ୍ତି?
– ନା’, ମୁଁ ବିଜ୍ଞାନର ଛାତ୍ର।
ଆପଣ ଥରେ ଇତିହାସ ପଢ଼ିଲେ ଜାଣି ପାରିବେ ତା’ର ପ୍ରତିଟି ପୃଷ୍ଠାରେ ଲିପିବଦ୍ଧ କଥା କେମିତି ମୃତ୍ୟୁ ଭଳି ସତ୍ୟ ଆଉ ନିଷ୍ଠୁର। ସେଇ ନିଶା ରାତ୍ରିର ଘନ ଅନ୍ଧକାରର ଅମା ଭିତରେ ଗୌତମ ନିରୁଦ୍ଦିଷ୍ଟ ହେବାପରେ ଗୋପାଙ୍କ ଅବସ୍ଥା ଅନୁମାନ କରି ପାରୁଛନ୍ତି? ଅଥବା ଅକାଳ ବୈଧବ୍ୟ ପରେ ଲକ୍ଷ୍ମୀବାବା ଈଙ୍କ ମାନସିକ ଅବସ୍ଥାକୁ କେବେ ବିଶ୍ଳେଷଣ କରିଛନ୍ତି??

ମୁଁ କେବଳ ନିର୍ବିକାର ଭାବେ ଚାହିଁ ରହିଥିଲି ଲତିକାକୁ। ଅସ୍ଥିର ଏକ ପୁଲକ ନିରନ୍ତର ମୋତେ ଅନ୍ୟମନସ୍କ କରୁଥିଲା। ପାମବିଚ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରି ଲତିକା କହିଲା – ଦେଖନ୍ତୁ ସୁମନ୍ତ ବାବୁ, ସେଇ ଆଦୂର୍ କୃଷ୍ଣଚୂଡ଼ା ତଳେ ଥିବା ସବୁଜ ରଙ୍ଗର ଫିଆଟ ଗାଡ଼ିକୁ। ଝରକା ଦେହରେ ମୁଣ୍ଡଦେଇ ସମୁଦ୍ର ଆଡେ ଚାହିଁ ଚାହିଁ ମୋ’ ମା’ କେତେ ବେଳୁ ଘୂମେଇ ପଡିଛନ୍ତି। ନିହାତି ନିରୀହI ସେ। ଜଣେ ଦକ୍ଷ କ୍ୟାପଟେନଙ୍କ ସ୍ତ୍ରୀ ହେଲେ କଣ ହେବ, ସମୁଦ୍ରକୁ ଭୀଷଣ ଡର ତାଙ୍କର। ଅବଶ୍ୟ ଆଗରୁ ଏତେଟା ଭୟ ନଥିଲା। ସବୁବେଳେ ସମୁଦ୍ରଠୁ ଦୂରରେ ରହି ଏଇ ଅଗାଧ ଜଳରାଶିକୁ ଚାହିଁ ଚାହିଁ କଣ ଖୋଜୁଛନ୍ତି ଯେମିତି କୌଣସି ମୂଲ୍ୟବାନ ଜିନିଷ ହଜାଇ ଦେଇଛନ୍ତି।

ଦୂରରେ ଥିବା କାର ଆଡ଼କୁ ଲକ୍ଷ୍ୟ କରି ମୁଁ କହିଲି – ହୁଏତ ସମୁଦ୍ର ସହ ତାଙ୍କ ଜୀବନର କୌଣସି ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ଜଡ଼ିତ। ସମୁଦ୍ର ଭିତରେ ଲୁଚି ଥାଇପାରେ ତାଙ୍କ ଜୀବନର ଅଭୁଲା ଅତୀତର ସ୍ମୃତିଗୁଚ୍ଛ। ମୋ’ କଥା ମର୍ମଟା ଲତିକା ବୋଧେ ଠିକରେ ଉପଲବ୍ଧକଲା। ହଠାତ କହିଲା – ଠିକ୍ କହିଛନ୍ତି ସୁମନ୍ତ ବାବୁ। ମା’ଙ୍କ ସମସ୍ତ ଅତୀତ ଏଇ ସୁଦୂର ପ୍ରସାରୀ ସାଗର ବୁକୁରେ ବୁଡି ରହିଛି। ତା’ ସହିତ ତାଙ୍କର ସମସ୍ତ ସୁଖ – ସମ୍ପଦ ସଲୀଳ ସମାଧି ନେଇଛି ଏଇ ସମୁଦ୍ର ବୁକୁରେ।

– ବେଳେ ବେଳେ ମା’ କହନ୍ତି ତାଙ୍କ ସୁଦୂର ଅତୀତର କଥା। ମା’ ଥିଲେ ଗୋପାଳପୁରର ଜଣେ ପ୍ରାଇମେରୀ ସ୍କୁଲ୍ ଶିକ୍ଷକଙ୍କର ଚତୁର୍ଥ ତଥା କନିଷ୍ଠ କନ୍ୟା। ଜନ୍ମବେଳୁ ସେ ମା’ଛେଉଣ୍ଡ। ମା’ଙ୍କର ଜନ୍ମ ବେଳକୁ ଅନ୍ୟ ତିନି ଭଉଣୀଙ୍କ ବିବାହ ହୋଇ ସାରିଥିଲା। ଅଭାବ ଓ ଅନାଟନ ଲାଗି ରହିଥିଲା ସବୁବେଳେ ତାଙ୍କ ପରିବାରରେ। ତା’ ସାଙ୍ଗକୁ ଅଜା ବ୍ଲଡ଼ ପ୍ରେସର ରୋଗୀ। ତଥାପି ଭାଙ୍ଗି ପଡ଼ିନଥିଲେ ଅଜା। ଅବସର ଗ୍ରହଣ କଲାପରେ ଟିଉସନ୍ ଖୋଲିଥିଲେ। ପେନସନ ବନ୍ଦୋବସ୍ତ ଠିକ୍ ସମୟରେ ହୋଇ ପାରି ନଥିବାରୁ ବେଳକୁ ବେଳ ଘରର ଅବସ୍ଥା ଜଟିଳ ହୋଇପଡ଼ିଲା। ଅଜାଙ୍କ ପୁରୁଣା ରୋଗଟା ପୁଣି ବଢ଼ି ଗଲା। ଘରର ସମସ୍ତ ଆସବାବ ପତ୍ର ବିନିମୟରେ ଅଜାଙ୍କୁ ରୋଗମୁକ୍ତ କରିବାର ଆପଚେଷ୍ଟା କରିଥିଲେ ମା’ କିନ୍ତୁ ଶେଷରେ ହାରି ଯାଇଥିଲେ। ଘରର ସମସ୍ତ ଆସବାବପତ୍ରର ମୂଲ୍ୟ ଗୋଟାଏ ମୂଲ୍ୟବାନ ଔଷଧ ଶିଶି ଠାରୁ ମଧ୍ୟ କମ୍ ଥିଲା। ମା’ ଆଉ କଣ କରିବେ କିଛି ଭାବି ପାରିଲେ ନାହିଁ। ଗୋଟାଏ ପାଖରେ ଅଜାଙ୍କ ଜୀବନ ଅନ୍ୟ ପଟେ ପେଟ ପାଇଁ ମୁଠାଏ ଅନ୍ନ। ଜୀବନ ଆଉ ମୃତ୍ୟୁ ସହ ଲୁଚକାଳି ଖେଳର ସମୟ। ଅନେକ ସମୟ ପର୍ଯ୍ୟନ୍ତ ଚିନ୍ତା କଲେ ମା’। ରାତି ସାରା ମନର କୋହ ଆଖିର ଲୁହରେ ଭିଜାଇ ଉତ୍ତର ପ୍ରସ୍ତୁତ କଲେ ଯାହାର ପରିଣାମ କେତେ କରୁଣ ଆଉ ବେଦନାସିକ୍ତ ତାହା ଆପଣ ଅନୁଭବ କରି ପାରୁଥିବା ନିଶ୍ଚୟ। ମା’ ଥିଲେ ସେତେ ବେଳକୁ ଷୋହଳ ବର୍ଷର ଶତଦଳ କମଳ। ପାଖୁଡ଼ାରେ ଯାର ଭରି ରହିଥିଲା ଅଫୁରନ୍ତ ରଙ୍ଗର ବର୍ଣାଳୀ। ମାଆ ଜାଣିଥିଲେ ଏଇ ପୁରୁଷ ମନଲୋଭା ରୂପହିଁ ତାଙ୍କର ଶେଷ ସ୍ଵମ୍ବଳ ଯାହାର ବିନିମୟରେ ଅଜାଙ୍କ ଜୀବନ ରକ୍ଷା ସହିତ ନିଜର ଦାରୁଣ ଆର୍ଥିକ ଚିନ୍ତାରୁ ମୁକୁଳି ପାରିବେ। ତେଣୁ ମା’ କହନ୍ତି – ନିଜର ପେଟ ପାଇଁ ମୁଠାଏ ଖାଦ୍ୟ ଓ ନିଷିଦ୍ଧ ଅଙ୍ଗକୁ ଆବୃତ୍ତ କରିବା ପାଇଁ ଯଦି ଘୃଣ୍ୟ କାର୍ଯ୍ୟ କରାଯାଏ ତାହା କେବେବି ପାପ ହୋଇ ନପାରେ। ମନ ଓ ଶରୀର ଦୁଇଟି ସ୍ଵତନ୍ତ୍ର ବସ୍ତୁ। ମନକୁ ପବିତ୍ର ରଖିଲେ ପାପର କଳଙ୍କ ଶରୀରକୁ ସ୍ପର୍ଶ କରିପାରିବନି। ଯଦି ମନ ପବିତ୍ର ରହେ ତା’ ହେଲେ ଶରୀରକୁ ପିତଳ ହାଣ୍ଡି ପରି ମାଜିଦେଲେ ପୁଣି ନୂଆଁଭଳି ଚକ୍ ଚକ୍ କରି ଉଠିବ।

ତା’ ପର ଦିନ ଏକ ସଂକ୍ରମିତ ସନ୍ଧ୍ୟା। ହଠାତ କାହାର ପଦଶବ୍ଦରେ ପଛକୁ ଫେରି ଚାହିଁଲା ମା’। ସମୁଦ୍ର ବେଳାଭୂମି ଉପରେ ଛିଡ଼ା ହୋଇଛନ୍ତି ଜଣେ ସୈାମ୍ୟକାନ୍ତ ବଳିଷ୍ଠ ଯୁବକ, କ୍ୟାପଟେନ ସାଗର ମିଶ୍ର। କିଛି ସମୟ ନିରବରେ ସେ ମା’ଙ୍କୁ ଚାହିଁଲେ। ଦୃଷ୍ଟିରେ ଥିଲା ତାଙ୍କର ପ୍ରେମର ମାଦକତା। ପାମବିଚ୍ ଆଡ଼କୁ ଆଙ୍ଗୁଳିରେ ଇଙ୍ଗିତ ଦେଲେ। ମାଆ ବି ଚାହୁଁଥିଲେ ଅଜାଙ୍କ ଜୀବନ ରକ୍ଷା ପାଇଁ କିଛି ଅର୍ଥ ଯାହାକି କ୍ୟାପଟେନ ମିଶ୍ରଙ୍କ ପାଖରେ ଅଭାବ ନଥିଲା।

ପାମାବିଚର ଏକ ରୁଦ୍ଧ କୋଠରୀ ଭିତରେ ଜୀବନର ସବୁ ଦୁଃଖ ଶୁଣାଇଲେ ମା’। ଜଣେ ନାରୀ ଲୋଭୀ, କାମୁକ କ୍ୟାପଟେନଙ୍କ ହୃଦୟରେ ବୋଧେ ପରିବର୍ତ୍ତନ ଆସିଲା। ସେ ସବୁ ଶୁଣିଲା ପରେ ଆଉ ମାଙ୍କୁ ଘୃଣା କରିପାରିଲେ ନାହିଁ, ଆଦର କଲେ। ମାଆ କହିଲେ –
– ମୋ’ ପାଇଁ ସମୟ ଅତି ମୂଲ୍ୟବାନ କ୍ୟାପଟେନ। ମୋତେ କିଛି ଅର୍ଥ ଦିଅନ୍ତୁ ତା’ ବଦଳରେ ମୋ’ ଭଳି ଜଣେ ଅସହାୟା ନାରୀଠାରୁ ଯେ କୌଣସି ମୁହୂର୍ତ୍ତରେ ତାହା ଆଦାୟ କରିନେବେ। ପାରିବେ କ୍ୟାପଟେନ …..ପାରିବେ? ମୋତେ ଏଇ ମୁହୂର୍ତ୍ତରେ ଦୁଇହଜାର ଟଙ୍କା ଦେଇ ପାରିବେ?? ପ୍ରତିବଦଳରେ ଛୁଟି ଶେଷ ପର୍ଯ୍ୟନ୍ତ ଆପଣଙ୍କ ମୁଁହରେ ଲାଗି ରହିଥିବା ଭୋକକୁ ଦୂରେଇ ଦେଇ ପାରିବି ସବୁଦିନ ପାଇଁ।

ବିସ୍ମିତ ହେଲେ କ୍ୟାପଟେନ ମିଶ୍ର।
ନରମ ଗଳାରେ କହିଲେ – ମୋତେ ଭୁଲ୍ ବୁଝାନି ଶୁଭ୍ରା। କେବଳ ଛୁଟି ଶେଷ ପର୍ଯ୍ୟନ୍ତ ନୁହେଁ , ସାରା ଜୀବନ ପାଇଁ ତୁମ ଭଳି ଜଣେ ପବିତ୍ର, ସ୍ୱଚ୍ଛ ନାରୀକୁ ହାତ ଛଡା କରିବାକୁ ଚାହେଁନି। ମୋ’ ଜୀବନର ସମସ୍ତ ଅର୍ଜିତ ସମ୍ପତ୍ତି ତୁମ ନା’ରେ ଲେଖିଦେବି। କୁହ, କୁହ ଶୁଭ୍ରା, ମୋତେ ତୁମେ ବିବାହ କରିବ। ମାଆ ଆଉ କିଛି କହି ପାରିଲେ ନାହିଁ। ଜଣେ ଅସହାୟ ହରିଣୀ ଛୁଆ ପରି ଲୋଟି ପଡିଲେ କ୍ୟାପଟେନ ମିଶ୍ରଙ୍କ ପ୍ରଶସ୍ତ ବୁକୁରେ। କ୍ୟାପଟେନ ମିଶ୍ର ଅଜସ୍ର ଅର୍ଥ ଖର୍ଚ୍ଚ କରି ଅଜାଙ୍କ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ମୃତ୍ୟୁ ନିକଟରେ ଶେଷରେ ହାର ମାନିଲେ। ଅଜାଙ୍କ ଅକାଳ ବିୟୋଗ ପରେ କ୍ୟାପଟେନ ମିଶ୍ର ବୈଦିକ ରୀତିରେ ବିବାହ କରିଥିଲେ ମା’ଙ୍କୁ I

ବାପାଙ୍କର ଛୁଟି ସରି ଆସିଲା। ବିଦାୟ ମୁହୂର୍ତ୍ତ ଉପସ୍ଥିତ ହେଲା। ଜଳ ଜାହାଜରେ ଆଫ୍ରିକା ଯିବାପାଇଁ ସେ ପ୍ରସ୍ତୁତ ହେଲେ। ବିଚ୍ଛେଦ ବାର୍ତ୍ତା ଜଣାଇ ବାପା କହିଲେ – ସତରେ ମୋ’ ଭଳି ଜଣେ ଜଳର ମଣିଷକୁ ପାଇ ତୁମେ ଖୁସି ତ’ ଶୁଭ୍ରା ? ତୁମର ଖୁସି ପାଇଁ ଆଉ ବେଶୀ ଦିନ ରହିବାରେ ଭଗବାନଙ୍କ ଇଚ୍ଛା ନାହିଁ। ସରକାରଙ୍କ ନିର୍ଦ୍ଦଶକ୍ରମେ ମୋତେ ସାତ ସାଗର ପାରିହୋଇ ତାମତ୍ସାଚ୍ଛନ୍ନ ମହାଦେଶକୁ ଯିବାକୁ ପଡୁଛି। କି’ଏ ଜାଣେ ପୁଣି ଫେରିଲା ବେଳକୁ କେତେଦିନ ଲାଗିଯିବ। କିନ୍ତୁ ଚେଷ୍ଟା କରିବି ଫି ବରଷ ଏଇ ଦିନକୁ ଫେରିବା ପାଇଁ।

ମାଆଙ୍କ ଚକ୍ଷୁରୁ ଝରିଗଲା ଦୁଇଧାର ଅଶ୍ରୁ।
ରୁମାଲରେ ଲୁହ ପୋଛୁ ପୋଛୁ ବାପା କହିଲେ – ଛି ଶ୍ରୁଭ୍ରା, ଜଣେ ଓଡ଼ିଆ ଘରର ଝିଅ ଆଉ ସାଧବ ମାଟିର ବୋହୂ ହୋଇ ତୁମ ଆଖିରେ ଏ ଲୁହ ଶୋଭା ପାଏନି।

ମାଆ ଆଉ କାନ୍ଦି ପାରିନଥିଲେ।

ବାପା ଆଫ୍ରିକା ଚାଲିଗଲେ ସତ, ହେଲେ ମାଆଙ୍କ ଜରାୟୁରେ ଯେଉଁ ଭ୍ରୁଣର ସନ୍ଧାନ କରିଥିଲେ ସେ ଆଜି ବାଇଶ ଗୋଟି ବସନ୍ତ ଅତିକ୍ରମ କରିସାରିଲାଣି ତଥାପି ମା’ ପ୍ରତୀକ୍ଷା କରନ୍ତି ଦିନେ ନା ଦିନେ ବାପା ନିଶ୍ଚୟ ଫେରି ଆସିବେ ଏଇ ସମୁଦ୍ର ବେଳାକୁ ଆଉ ଅସୀମ ଅନୁରାଗର ତୀବ୍ର ଆକର୍ଷଣରେ ତାଙ୍କ ବୁକୁରେ ତୋଳି ଧରିବେ ମା’ଙ୍କୁ। ଆମର ଅର୍ଥର କିଛି ଅଭାବ ନାହିଁ। ବାପା ଆମ ପାଇଁ ଅନେକ କିଛି ଛାଡ଼ି ଯାଇଛନ୍ତି। ବ୍ରହ୍ମପୁର ସହରରେ ଦୁଇଟା ସୁନ୍ଦର ଫ୍ଲାଟ୍, ଅମାପ ବ୍ୟାଙ୍କ ବ୍ୟାଲେଂସ୍। ଅଥଚ ସବୁ ଥାଇ ମୁଁ ନିଜକୁ କାହିଁକି ନିଃସ୍ୱ ଅନୁଭବ କରୁଛି ଆଜି। ପ୍ରଚୁର୍ଯ୍ୟ ଭିତରେ ଶୂନ୍ୟତାର ସ୍ଵପ୍ନ ଦେଖୁଛି।

– ସ୍ଵପ୍ନ କେବେ ସତ ହୁଏନି। ତଥାପି ସେଇ ସ୍ଵପ୍ନ ବେଳେ ବେଳେ ବସ୍ତବମୂଖୀ ହୋଇଉଠିଛି। ବିବର୍ଣ୍ଣ ବିଷର୍ଣ୍ଣତା ଭିତରେ ମୋ’ ପାଇଁ ଲୁଚିରହିଛି ପାଇଁ ଅତି ନିଦାରୁଣ ମୁହୂର୍ତ୍ତର ଛାୟା। ସବୁ ଭିତରେ କେମିତି ଏକ ନିଃଶବ୍ଦତା, ସ୍ତବ୍ଧତା, ନିଃସଙ୍ଗତା। ଏମିତି ଏକ ଅଭାବିତ ମୁହୂର୍ତ୍ତରେ ମୋ’ ମନକୁ ସବୁ କଥା ଆସେ; ବାର ବାର ଆସେ। ସେଇ ପ୍ରଥମ ପରିଚୟ ଦିନ ଠାରୁ ଶେଷ ଦିନ ପର୍ଯ୍ୟନ୍ତ ସବୁ କିଛି।
ଗତ ବର୍ଷ ଗ୍ରାଜୁଏସନ୍ କୋର୍ସ ସରିବା ପରେ ଭଞ୍ଜବିହାରାରେ ଇତିହାସ ବିଭାଗରେ ନା’ ଲେଖାଇଚ୍ଛି। କେଉଁ ଏକ ଶୁଭ ମୁହୂର୍ତ୍ତରେ ଦୀପକଙ୍କ ସହ ମୋର ପରିଚୟ। ସେଇ ଦିନୁ ତାଙ୍କ ପ୍ରତି ଥିଵା ମୋର ଗଭୀର ଅନୁରାଗ ପ୍ରେମରେ ରୂପାନ୍ତରିତ ହୋଇ ଉଠିଲା।

ସମାଜର ସକଳ ବନ୍ଧନର ରଜ୍ଜୁକୁ ଛିଣ୍ଡାଇ ମୁକ୍ତ ବିହଂଗୀ ପରି ଉଡିବାକୁ ଚେଷ୍ଟାକଲି ପ୍ରେମ ଆକାଶରେ। ଉଡିଗଲୁ ମଧ୍ୟ ଖୁବ୍ ଉପରକୁ କିନ୍ତୁ ଉପରେ ହଠାତ୍ ଏମିତି ତାଇଫୁନ୍ ସୃଷ୍ଟି ହେବା ତାହା କଳ୍ପନାତୀତ ଥିଲା।

– ଦୀପକ କେବଳ ମେଧାବୀ ଛାତ୍ର ନଥିଲେ, ସେ ଥିଲେ ଜଣେ ଦକ୍ଷ ଭାଓଳିନ ବାଦକ। ଯେଉଁ ବାଦ୍ୟଯନ୍ତ୍ରର ତାରେ ତାରେ ସେ ସୃଷ୍ଟି କରୁଥିଲେ ଶତ ବେପଥୁର ଶିହରଣ, ବିପୁଳ ବିରହରେ ଜ୍ଵାଳା, ଅଫୁରନ୍ତ ଉଦ୍ଦୀପନା ଆଉ ଅମାପ ଖୁସିର ପାଖୁଡ଼ା।

ମେଘ-ମେଦୁରିତ ଶ୍ରାବଣ ରାତ୍ରିରେ ସେ ଯେତେବେଳେ ତାନପୁରାର ତାରରେ ଅଙ୍ଗୁଳୀର ସ୍ପର୍ଶ ଦିଅନ୍ତି ସେତେବେଳେ ବୀରରସ ଆଉ କରୁଣରସର ମିଳିତ ବ୍ୟଞ୍ଜନରେ ସଂଚରି ଉଠେ ସାମ୍ୟ, ମୈତ୍ରୀ ଆଉ ଶାନ୍ତିର ବାର୍ତ୍ତା। ବିରହ ଵିଧୁରିତ ଏକ କରୁଣ ରାଗରେ ବେଳେ ବେଳେ ଭାରି ହୋଇଉଠେ ରାତ୍ରିର ଶୀତଳ ସମୀରଣ।

ଗଭାରେ ମଣ୍ଡିତ ସତେଜ ଗୋଲାପ ଫୁଲକୁ ହାତରେ ତୋଳି ଲତିକା କହିଲା – ଭଲ ପାଇବାଟା ଏଇ ସୁରଭିତ ଗୋଲାପ ଫୁଲର ସୁଗନ୍ଧ ପରି ସତ୍ତାବିହୀନ ଏକ ସୂକ୍ଷ୍ମ ଅନୁଭବ ମାତ୍ର। ଯାହାକୁ କେବଳ ଅନୁଭବ ପାଇ ହୁଏ, ଅନୁଭବ ଗ୍ରହଣ କରିହୁଏ। ସେତେବେଳେ ମୋର ମନେ ହୁଏ ଲେଡିଜ ହଷ୍ଟେଲ ଚତୁଃପାର୍ଶ୍ଵସ୍ଥ ଝାଉଁ ଗଛଗୁଡ଼ିକ ଯେମିତି ଆତ୍ମବିସ୍ମୃତ ହୋଇ ତାଣ୍ଡବ ନୃତ୍ୟ ଆରମ୍ଭ କରି ଦିଅନ୍ତି।

ଝାଉଁବଣର ସ୍ତରେ ସ୍ତରେ ତାନପୂରାର ମଧୁର ଗୁଞ୍ଜନ୍।

ତାନପୁରାରେ ସ୍ୱର ତୋଳନ୍ତି ସେ। ସ୍ୱର ମିଶାଏ ମୁଁ। ମୁଁ ଥିଲି କଳାର ଉପାସିକା। ମୁଁ ତାଙ୍କ କଳାକୁ ଭଲ ପାଉ ଥିଲି, ପ୍ରେମ କରୁଥିଲି।

ପ୍ରାୟ ପ୍ରତିଦିନ ସନ୍ଧ୍ୟାରେ ଏଇ ସମୁଦ୍ର ବେଳାଭୂମିରେ ଆମ ଦୁହିଁଙ୍କ ଦେଖା ସାକ୍ଷାତ ହୁଏ। ଏକାଠି ବସୁ, କଫି ପିଉ, ଶାମୁକା ଗୋଟାଉ, ଆକାଶର ଟିକି ଟିକି ତାର ଫୁଲ ଆଡେ ଚାହିଁରହୁ। ରୂପେଲୀ ଲହରୀ ମାଳାକୁ ଚାହିଁ ଭବିଷ୍ୟତର ସୁନେଲୀ କଳ୍ପନାରେ ମଜ୍ଜିଯାଉ।
ସେ ଦିନର ଏକ ସଂକ୍ରମିତ ସନ୍ଧ୍ୟା।

ପାଖା ପାଖି ବସି ପୂର୍ଣ୍ଣିମା ସଞ୍ଜର ସାମୁଦ୍ରିକ ସୌନ୍ଦର୍ଯ୍ୟ ଉପଭୋଗ କରୁଥିଲି ଆମେ ଦୁହେଁ। ହଠାତ୍ ଦୀପକଙ୍କ ମନରେ ଏକ ଅଦ୍ଭୂତ ଖିଆଲ ଜୁଟିଲା। ସେତେବେଳକୁ ସମୁଦ୍ର ଜୁଆରିଆ। ଉତ୍ତାଳ ତରଙ୍ଗମାଳା ବେଳାଭୂମିରେ ମଥା ପିଟୁଥାଏ ବିଚଳିତ ଭାବେ। ମୋର ପ୍ରତିବାଦ ସତ୍ତ୍ଵେ ଜିପ୍ ଟ୍ୟୁବ୍ ଧରି ସମୁଦ୍ର ଜଳ ଭିତରକୁ ଲମ୍ଫଦେଲେ ଦୀପକ। ଛୋଟ ଏକ ହୁଲିଆ ଡଙ୍ଗାଟିଏ ଭଳି ଝୁଲି ଝୁଲି ମାଡ଼ି ଚାଲିଲେ ଆଗକୁ ଆଗକୁ……। ସେ କିନ୍ତୁ ଆଉ ଫେରିଲେନି।

ବହୁତ ରାତିଯାଏ ଅପେକ୍ଷା କଲି। ସୁପ୍ତ ବେଳାଭୂମିକୁ ଆଖିର ଲୁହରେ ଭିଯାଇ ଦେଲି ତଥାପି ସେ ଫେରିଳେନି। ତା’ ପରଠୁ ଖାଲି ପ୍ରତୀକ୍ଷା ଆଉ ପ୍ରତୀକ୍ଷା। ଏଇ ପ୍ରତୀକ୍ଷାର ଯେମିତି ଅନ୍ତ ନାହିଁ; ଆରମ୍ଭ ନାହିଁ।
– ପ୍ରତିଦିନ ମୁଁ ଏଥି ଶୁଣିଛି ମୋ’ ପ୍ରେମିକର କଥା
– ” ଏଠିକି ଛାଲି ଆସ ଲତିକା। ଏଠି ମୁଁ ଏକାକୀ ତୁମ ବିରହରେ ଯନ୍ତ୍ରଣାସିକ୍ତ। ତୁମେ ଆସିଲେ ସୁକୋମଳ କୋଳରେ ତୁମର ଶାନ୍ତିରେ ଟିକିଏ ମୁଣ୍ଡ ରଖି ଶୋଇ ପାରିବି। ଏଠି ସମାଜର କୋଳାହଳ ନାହିଁ; ଅଛି ଚିର ବିଜନତା। ଏଇ ସମୁଦ୍ରର ରୂପେଲି ପାହାଚ ଚଢି ଚଢି ଚାଲିଆ ମୋ’ ଶୂନ୍ୟ କୋଳକୁ। ଏଠି ଆଉ ପରିଚୟ ଖୋଜିବାକୁ ପଡ଼ିବନି। ଯେଉଁଠି ମୋ’ ପରିଚୟ ତୁମେ ଆଉ ମୋ’ ପରିଚୟ କେବଳ ତୁମେ।

କିନ୍ତୁ ମୁଁ ପାରୁନି ସୁମନ୍ତ ବାବୁ, ଜମା ପାରିବିନି।
ଦୀପକଙ୍କ ରକ୍ତ ଏବେ ମୋ’ ଜରାୟୁରେ ଜମାଟ ବାନ୍ଧୁଛି। ହୁଏତ କିଛି ଦିନ ପରେ ଆତ୍ମପ୍ରକାଶ କରିବ। ତା’ ଭିତରେ କଣ୍ ଦୀପକଙ୍କ ଛବି ଦେଖି ପାରିବିନି! କହି ପାରିବ ସୁମନ୍ତ ବାବୁ ଯେଉଁ କୋମଳ ଶିଶୁଟି ହୁଏତ ଦିନେ ଆତ୍ମା ପ୍ରକାଶ କରିବ ସେ ପୁଣି କଣ୍ ଏଇ ଅନନ୍ତ ସାଗର ବକ୍ଷରେ କେଉଁଠି ଲୀନ ହୋଇଯିବ!! ସେ କଣ ଏଇ ଦିଗଭ୍ରଷ୍ଟ ବୋଇତରେ ଭାସି ଭାସି କେଉଁ ଅଜଣା ଦ୍ଵୀପକୁ ଚାଲିଯିବ!!! ମୁଁ କିନ୍ତୁ ତାକୁ ଚାଲିଯିବାକୁ ଦେବିନି ସୁମନ୍ତ ବାବୁ। ତାଙ୍କ ସ୍ମୃତିକୁ ଅବଶ୍ୟ ସାଇତି ରଖିବି।

ମୁଁ କିଛି କହିବା ପୂର୍ବରୁ କାହାର ପାଟି ଶବ୍ଦରେ କଥାବାର୍ତ୍ତା ପୂର୍ଣ୍ଣଚ୍ଛେଦ ପଡ଼ିଲା। ସମ୍ମୁଖରେ ଜଣେ ପ୍ରୌଢା, ଡାକୁଛନ୍ତି – ଆ’ ମା’ ଲତା, ଅନେକ ରାତି ହେଲାଣି, ଘରକୁ ଫେରିବା। ହୁଏତ ସେ କାଲି ଫେରି ପାରନ୍ତି।

ଦୂରାଗତ ମନ୍ଦିରର ଘଣ୍ଟା ଧ୍ୱନି ପରି ବୃଦ୍ଧାଙ୍କର ଗଭୀର ଉଦାସ ସ୍ୱର ମୁଁ ଶୁଣିଲି।

ଲତିକା ଉଠିଲା ଚୁପ୍ ଚାପ୍।
ମୁଁ କିଭଳି ଭାବେ ଏଇ ଶୋକ ସନ୍ତପ୍ତା ନାରୀ ଦୁହିଁଙ୍କୁ ସାନ୍ତ୍ଵନା ଦେବି ତାର ଉତ୍ତର ଖୋଜି ବୁଲୁଥିଲି ଦୂର ସୁଦ୍ରକୁ ଚାହିଁ।
ହଠାତ୍ କାର ଷ୍ଟାର୍ଟ ହେବାର ଶବ୍ଦ ଶୁଭିଲା।
ଲତିକା ବୋଧେ ଚାଲିଗଲା। ଦୁଃଖ ଲାଗିଲା। ଶୁଭରାତ୍ରି ଜଣାଇ ପାରିଲି ନାହିଁ। କିଏ ଜାଣେ ତା ସହିତ ପୁଣି ଆସନ୍ତା ରବିବାର ସଂଧ୍ୟାରେ ସାକ୍ଷାତ ହେବାକୁ ନାହିଁ।

ଆର୍. ସି ରୋଡ, ଭଞ୍ଜନଗର, ଗଞ୍ଜାମ

 1,550 total views,  1 views today

2 thoughts on “*ପ୍ରତୀକ୍ଷା — ଡ଼. ଅଶୋକ କୁମାର ଷଡ଼ଙ୍ଗୀ*

  1. Thanks in your great publishing! I basically appreciated looking at it, you could be an excellent writer. I’ll remember to bookmark your web site and may eventually return later in life. I need to stimulate you keep on your wonderful writing, Have got a wonderful night! benmmdi.se/map3.php examination speed examination

Leave a Reply

Your email address will not be published. Required fields are marked *