ସମୟ
ଡ଼. ଅଶୋକ କୁମାର ଷଡ଼ଙ୍ଗୀ, ପ୍ରାଧ୍ୟାପକ
ବିଜୟର ଶୋଭାଯାତ୍ରାରେ ମିଳେଇ ଯାଇଛି
ଗ୍ଲାନିର ରୋଷଣୀ
ବିପର୍ଯୟର ଦୋଛକିରୁ ଲମ୍ବି ଆସୁଛି
ହତାଶିଆ ଦୁଇ କଳା ବେଣୀ,
କୁହେଳୀର ମାୟାବର୍ତ୍ତରେ
ଇନ୍ଦ୍ରଜାଲର ଛମ୍ ଛମ୍ ନୀଳ – ପୁଷ୍କରିଣୀ।
ସମୟକୁ ପଚାରାନା କିଛି
ମୃତ୍ୟୁର ପରୱାନା ନେଇ ପତଙ୍ଗ ଉଡୁଛି
ଏବେ ଦୀପ ଶିଖାପରେ
ବୃନ୍ତଚ୍ୟୁତ ହେଲା ପରେ ପତ୍ର କେବେ
ଉଡିବୁଲେ ତମାମ ସହର ରାସ୍ତା
ଖୁସି ବା ଦୁଃଖରେ!
ଧୃଷ୍ଟ୍ରରାଷ୍ଟ୍ର ପରି ଏଠି ସବୁ ନିରବ
ଦର୍ଶକ, ଆଖିରେ ପୁଟୁଳି ବାନ୍ଧି
ବସିଥିବେ ଏକା ଏକା,
ଦୁଃଶାସନ ଦ୍ବାରା ବିବସାନା ହେଉଥିବ ଦ୍ରୌପଦୀ
ବାରମ୍ବାର ଅନ୍ଧାରୀ ମଞ୍ଚରେ
ଆପତ୍ତି ନଥିବ କିଛି ବିଜ୍ଞାନୀ ପାଣ୍ତବେ
ପଶାପାଲି ଗଡୁଥିବ ଯାହା
ଶୂନ୍ୟ ସେଇ ମାଟି ଚତ୍ୱରରେ।
ପଚାରନା ସମୟକୁ କିଛି
କିଏ ବା ଜିତିଲା, ହାରିଗଲା କିଏ
ଜୀବନର ପ୍ରତ୍ୟକ୍ଷ ସମରେ
ବିଜୟ ଓ ପରାଜୟ, ଗ୍ଲାନି ବା ଉଲ୍ଲାସ
ମୁଦ୍ରାର ଦୁଇ ପାର୍ଶ୍ଵ ପରି ଝକମକ
ଓତଃପ୍ରୋତ ଜୀବନର ଭାଷା
ଯୁଝିବାକୁ ହେବ ନିତି
ଏକା ଏକା ଜୀବନ ସମରେ।
ଆର୍. ସି ରୋଡ, ଭଞ୍ଜନଗର, ଗଞ୍ଜାମ
2,519 total views, 1 views today