ମନ ପକ୍ଷୀ
ଡ଼. ଅଶୋକ କୁମାର ଷଡଙ୍ଗୀ, ପ୍ରାଧ୍ୟାପକ
ଜହ୍ନି – ଫୁଲ – ରାତ୍ରି ଢାଳେ ଜହ୍ନର ରୋଷଣୀ
ନଈ ପଠା, ଆମ୍ବ ତୋଟା, ସବୁଜ ବନାନୀ
ଛୁଇଁ ଦେଲା ଲାଜକୁଳୀ ଶେଷ ଫଗୁଣର ହାତ
ନିଶାସକ୍ତ ସମୟ ଗାଉଛି କେଉଁ ଜୀବନ ସଙ୍ଗୀତ।
ପର କଲମରେ ଲେଖି ମନର କାଳିରେ
ଭସେଇ ଦେଲି ମୋ ‘ ଚିଠି ରଜତ ଜ୍ୟୋତ୍ସ୍ନାରେ
କେମିତି ଏ ସ୍ମୃତି – ବୋଳା ମଧୁର ଯାମିନୀ
ଝରିପଡେ ଶେଫାଳୀର ଶେଷ ଚୁମ୍ବନରେ।
ଟୋପା ଟୋପା ଲୋଧ୍ର ରେଣୁ ସ୍ମୃତି – ବିଜଡ଼ିତ
ବ୍ୟାକୁଳ ମୋ ‘ ଚିତ୍ରିତ – ଚିଟାଉର ପ୍ରତିଟି ପୃଷ୍ଠାରେ
ସ୍ମୃତିରେ ଫସଲ କେତେ ପ୍ରୀତିର ଗଜଳ
ଅଫୁରନ୍ତ ପ୍ରତିଶ୍ରୁତି ସପନର ତନ୍ଦ୍ରାରେ ତାଲ୍ଳୀନ।
ମୁଁ, କି ଜାଣେ ତୁମ ହାତେ ଧରାଦେବ ଚିଠି
ଚକୋରର ବ୍ୟଥା ନେଇ ବିତାଉଛି ରାତି
ତିଳତଣ୍ଡୁଳିତ ଜ୍ୟୋତ୍ସ୍ନାରେ ଭରି ଆଳିମ୍ଫନ
ଭୁଲାଇ ଦେବକି ଆମ ସମ୍ପର୍କର ସବୁ ଅଭିମାନ।