କାଚଘର
ଡ଼. ଅଶୋକ କୁମାର ଷଡ଼ଙ୍ଗୀ, ପ୍ରାଧ୍ୟାପକ
ତାରୁଣ୍ୟର ଲାଲ୍ କୃଷ୍ଣଚୂଡ଼ା
ବୟସର କାଉଁରୀ ସ୍ପର୍ଶରେ
ମୂର୍ତ୍ତିମନ୍ତ, ଛଳ ଛଳ ନୀଳ ସ୍ବପ୍ନ
ପ୍ରେମମୟ କବିତାର ପ୍ରଥମ ପାଖୁଡ଼ା
ଅନନ୍ତ ଆଶାର ଦୀପାଳିରେ
କାମନାର ସହସ୍ର ସଳିତା ଜାଳି
ପ୍ରେମର ନଈ ତୁଠରେ ଦିନ ସବୁ ସରିଆସେ
ଚାହୁଁ ଚାହୁଁ ବୟସର ଅର୍ଗଳିରେ ଲମ୍ବିଯାଏ ବେକ
ଶୀତଳ ମୃତ୍ୟୁ ପାଇଁ ଯାହା ଏକ ବିକଳ ପ୍ରତୀକ୍ଷା।
ଜୀବନ – ଦର୍ପଣ ମହଲଣ ପଡେ
କିମ୍ଭୂତ ଲାଗେ ନିଜ ପ୍ରତିବିମ୍ବ
ଜଞ୍ଜାଳମୟ ଜୀବନର ବିସ୍ତୃତ ଇଲାକା
ଖାଁ ଖାଁ ଲାଗେ, ମନେ ଜାଗେ ଭୀତି
ଛୁଏଁ ଯେବେ ବାର୍ଦ୍ଧକ୍ୟର ଅକ୍ଟପସୀ ଛାଇ।
ଭଙ୍ଗା ଦର୍ପଣରେ ମୁଁହ ଦେଖୁ ଦେଖୁ
ହୃଦୟଟା ଭାଙ୍ଗିଯାଏ ରୁଣ୍ ଝୁଣ୍
କଚଘର ପରି, ଆଉ ଯୋଡ଼ି ହୁଏନି
ଦେଖି ହୁଏନି ଏକାନ୍ତରେ ନିଜ ପ୍ରତିଛବି
ବୟସର ରଙ୍ଗ ଫିକା ପଡ଼ିଯାଏ।
ସବୁ ଲାଗେ ଫିକା ଫିକା ଧୂସର ଟାଙ୍ଗର
ପରାଜିତ ଅଶ୍ୱାରୋହୀର ଟାପୁ ଶବ୍ଦରେ
ଆଚ୍ଛନ୍ନ ହୋଇ ଉଠେ ଆକାଶର ଧୂଳି
ଧୂସର ଧୂସର ଲାଗେ ବଣଲତା, ପାହାଡି ନଈ
ଗାଁ ଦାଣ୍ଡ, ନୀଡ଼ ଫେରନ୍ତା ପକ୍ଷୀର ଡେଣା
ସବୁଜ କେଦାର, ସ୍ବର୍ଣ୍ଣାଭ କ୍ଷେତ
ବୟସର ଦୋଳିରେ ଖେଳୁ ଖେଳୁ ଦୋଳି
ଅଜାଣନ୍ତେ ଫୁଲ ସବୁ ଝରି ଯାଏ।
ଅବଶିଷ୍ଟ ଜୀବନର ପ୍ରତିଟି ମୁହୂର୍ତ୍ତ
ବୃଦ୍ଧ ଅଜଗର ପରି ପଡି ରହେ
ପ୍ରତ୍ୟୟ ଜୁଆର ପରି ମରଣ ସାଗର
ବିନ୍ଦୁ ବିନ୍ଦୁ ହୋଇ ମିଶେ
ଜରା ଗ୍ରସ୍ଥ ଦେହୁ ଦିନେ ସତ୍ତା ହଜିଯାଏ
ଝାଲେରୀ କାଗଜ ପରି ବତୁରି ବତୁରି।
ଆର୍. ସି ରୋଡ, ଭଞ୍ଜନଗର, ଗଞ୍ଜାମ
1,960 total views, 1 views today