ବର୍ଷା – ୧
ଡ୍. ଅଶୋକ କୁମାର ଷଡ଼ଙ୍ଗୀ, ପ୍ରାଧ୍ୟାପକ
ବରଷା ଏମିତି ଆସେ
ଭିଜିଯାଏ ମାଟି ଆଉ ବନ
ନିମିଷକେ ଜଳି ଯାଏ
ମନ ଉପବନ,
ଅନୂଢ଼ା ଯୌବନ
ଶ୍ରାବଣର କ୍ରମ ସଂକ୍ରମଣ
ଗହ ଗହ ଆନ୍ଧକାରେ
ଧୋଇଦିଏ ସ୍ମୃତି ଯେତେ
ଭୁଲୁଣ୍ଠିତ କବର ପିଠିରୁ
କୁଢ଼ କୁଢ଼ ଶୂନ୍ୟତାର ପିଞ୍ଜରା ଭିତରୁ
ଟପ୍ ଟପ୍ ଝରି ପଡେ ଵେଦନାର ଲୁହ
ରାତି, ସ୍ବପ୍ନ ଓ ଜୀବନ
ସବୁ ଏକାକାର ହୁଏ
ଯେତେ ସବୁ ସୁଖ ଦୁଃଖ
ରାଗ – ଅନୁରାଗ, ଯେତେ ସବୁ
ବିଧ୍ୱସ୍ତ ଜୀବନର ଅରକ୍ଷିତ
ପାଉଁଶ ପିଣ୍ଡୁଳା
କାଗଜ ଡଙ୍ଗାରେ ଲଦି
ବୋହିନିଏ ବରଷାର ଜଳ
କେଉଁ ଏକ ଉଜୁଦା କ୍ଷେତକୁ
ମୁଁ ଆଉ ଫେରି ପାଏ ନାହିଁ ମୋର
ଆତ୍ମା, ମନ ଓ ଜୀବନ
ଉଜୁଡ଼ା ଯୌବନ
ଶ୍ରାବଣର ବାରିପାତ
ଅବିରତ ଧୋଉଥାଏ ଯାହା
ଅବଶିଷ୍ଟ ରାତ୍ରିର
ବଳକା ଆୟୁଷ।
ଆର୍. ସି ରୋଡ, ଭଞ୍ଜନଗର, ଗଞ୍ଜାମ, ପିନ୍ – ୭୬୧୧୨୬
2,387 total views, 1 views today