#ସଂଯମତା
ନଦୀର ଅତଳ ଗର୍ଭ କେବେ ତା ସଂଯମତା ହରାଏନା
ନିଜ ଆଶ୍ରିତରେ ବାନ୍ଧିଦିଏ ସଦଭାବ ମନଚେତନା
ବିଶାଳତାର ନିର୍ଲୋଭ ଆସକ୍ତିକୁ ଉପେକ୍ଷି
ନିଜ କାୟାର ଦର୍ପେ ଧରାକୁ ଗ୍ରାସି ପାରେନା ।।
ରଶ୍ମିର ଉତ୍ତାପ କେବେ ନିଜ ସଂଯମତା ହରାଏନା
ନକ୍ଷତ୍ରର ଅଟ୍ଟହାସ୍ୟ ବାନ୍ଧିଦିଏ ଅଗ୍ନୀର ଜ୍ବାଳା
ଉଜ୍ଜଳତାର ଭାବାବେଗରେ ନିଜ ଲକ୍ଷ ଭେଦି
ଆଲୋକର କାୟା ଅନ୍ଧକାରକୁ ଗିଳି ପାରେନା ।।
ସାଧନାରେ ରତ୍ତ ସାଧକ ନିଜ ସଂଯମ ହରାଏନା
ଶବ୍ଦର କୁହାଟରେ ଆବେଗର ଆବେଶରେ ଡୁବେନା
ସଂକୀର୍ଣ୍ଣ ଅଭିଳାଷର ପ୍ରଦେଶକୁ ବିସ୍ଥାପିତ କରି
ନିଜ ଅସ୍ତିତ୍ବର ଆଭାରେ ମଣିଷତ୍ବକୁ ଭତ୍ସନା କରେନା ।।
କିନ୍ତୁ ଏ ସାମାଜିକ ପ୍ରାଣୀ
ଧୀଶକ୍ତିର ଅଧିକାରୀ ହୋଇ ସଂଯମକୁ ଅକ୍ତିଆର କରିପାରେନା
ପାରେନା ସେ ଲୋଭ ମୋହର ପ୍ରହେଳିକାରୁ ମୁକ୍ତି
ସ୍ବପ୍ରିତିରେ ଅନ୍ଧ ହୋଇ କୁତ୍ସିତ କୂପେ ଦିଏ ଲମ୍ଫ ବାରମ୍ବାର
ନିଜ ପିପାସାର ଦାବାନଳକୁ କରେ ଶାନ୍ତ ଦେଇ ମଣିଷତ୍ବକୁ ବଳି ।।
ସଂଯମତା ଏକ ବିଶାଳ ସାଗରର ବକ୍ଷ
ରବିଙ୍କ ଅନ୍ତରର ଆଭାର ପ୍ରଦେଶ
କରେନା ଅନଧିକାର ସୀମାକୁ ଅତିକ୍ରାନ୍ତ
ସେ ସୁପ୍ତ ରାତ୍ରୀର ଜ୍ୟୋସ୍ନା ସମ ଶାନ୍ତ ଶୀତଳ ।।
ଯେବେ ହୁଏ ପରଶ୍ରୀକାତରତାର ଅନୁପ୍ରବେଶ
ଆସକ୍ତିର ଜ୍ବଳନରେ ପୀଡିତ ସ୍ବାର୍ଥୀ ମଣିଷ
ଭାଙ୍ଗେ ନିଜ ସଂଯମତାର ସମସ୍ତ ବନ୍ଧ ବାଡ
ସ୍ବକୀୟ ମନକୁ କରେ ଚରିତାର୍ଥ କରି ନିଜ ସର୍ବନାଶ।।
– ଜ୍ୟୋତିର୍ମୟୀ ସାହୁ