#ରୁକ୍ଷ
ଏ ମନର ରୁକ୍ଷତା କି ଭୂମିର ରୁକ୍ଷତା
ଦୁର୍ବାଦଳ କି ବିହିଛି ରୋଷ ହୋଇ ଆତୁରା
ବକ୍ଷ ବିଦାରି ଧରା ଆକୁଳେ ପ୍ରଶ୍ନ କରେ ଭରା ଭରା
ଶୁଷ୍କ ପ୍ରାନ୍ତର କି ତିନ୍ତି ପାରିବନି
ପାଇ ବର୍ଷାର ଅମୃତ ଧାରା ?
ବିଦିର୍ଣ୍ଣ କରି ତନୁକୁ ମୋର
ବିଛାଡିଛି ମେଣ୍ଟାଲର ଚାଦର ମୋ ପିଠିର ଉପର ସାରା ।
ଏ ଯନ୍ତ୍ର ସମାଜର ଅଗଣା
ଲଗେଇଛି ଉଆସ ଢେରା ଢେରା ,
ବିଦୃପ କରିଛି ରୂପକୁ ମୋର
ଶାଣିତ ଯନ୍ତ୍ର ପ୍ରସାରି ମୋ ଦେହ ସାରା ,
କଙ୍କର ଅଙ୍କ ମୋର ହୁଏ ଚୁନା ଚୁନା ,
ନିର୍ଦୟେ କୋରି କୋରି ଚାଲିଛି
ଯେମନ୍ତ ଉଭେଇ ଯାଇଛି କି ସହୃଦୟତା ।
ଏ ମନର ଅନୁର୍ବରତା କି ଭୂମିର ଅନୁର୍ବରତା
ମାଟିର ମଣିଷ କି ଦାନବ ସାଜିଛି
ହଳକୁ କରି ମୂଷଳ କେଉଁ ମୋହେ ହୋଇ ଆକର୍ଷିତା
ଦେଉଛି ବିଦାରି ଦେଖାଇ କେଉଁ ନୃଶଂସତା
ଖଣ୍ଡ ଖଣ୍ଡ ସବୁ ଜୀର୍ଣ୍ଣ ଉର୍ବରତା
ବିଚ୍ଛିନ୍ନେ ହୁଅନ୍ତି ଆକୁଳ ବିକଳ
କରାଇ ବିକଳାଙ୍ଗ ନିଃଶେଷ କରି ମୋର ଉପାଦେୟତା ।
ଏ ମନର ରୁଗଣତା କି ଭୂମିର ରୁଗଣତା
କେଉଁ ବ୍ୟାଧୀରେ ଅଭିଷପ୍ତ ହୋଇଛି ମୋ ପ୍ରାଚୀନତା
ଯେଉଁ ବକ୍ଷ ଦିନେ ଶାନ୍ତ କରିଥିଲା ପେଟର ଜ୍ବାଳା
ସେ ଆଜି ଫୋପାଡି ଚାଲିଛି
ନମକହାରାମୀର ପାଉଣା ।
ସମତଳେ ଏ ମାଳଭୂମିର ବିସ୍ତୀର୍ଣ୍ଣ ସଜ୍ୟା
ଉଚ୍ଛେଦ କରିଛି ବୃକ୍ଷରାଜିକୁ ଦେଇ ଗଳା ଧକ୍କା,
ନିଷ୍କର ଭୂମିର ଶୁଷ୍କ ଛାତି ଉପରେ ସେ ସାଜିଛି ରଜା
ପ୍ରସ୍ତର ଦେହକୁ ଚାଟି ଚାଟି ମେଣ୍ଟାଇବ କି ତୃଷ୍ଣା ?
ନିଜକୁ ମଣେ ପ୍ରକୃତିର ନୂତନ ବିଧି ନିର୍ମାତା
ଗାତ୍ରକୁ ବି ରୂପ ଦିଏ ନିଶ୍ଚିହ୍ନ କରି ତାର ଅଭିଳାଷା
ହୋଇ ସ୍ବ ଆକାଂକ୍ଷାର ତୂଳୀ ଧାରିକା
ଚିତ୍ରିତ କରୁଛି କଳ୍ପିତ ଇଚ୍ଛା ସବୁକୁ ଫଟାଇ ମୋ ଚଉତରା।
ଏ ମନର ସଂଯମତା କି ଭୂମିର ସଂଯମତା
ନିର୍ବାକ୍ ମୁଖୁ ଅଦୃଶ୍ୟ ସିନା ଶବ୍ଦର ପ୍ରହେଳିକା
ଯେଉଁ ରୁକ୍ଷ ପ୍ରଦେଶେ ଟାଣିଛି ନିଜ ସୀମାରେଖା
ସେ ନିର୍ଜୀବଧାରୀ ଯେବେ ହାରିବ ନିଜ ସହନଶୀଳତା
ସେ କି ନିସ୍ତାର ପାଇବ
ଯେବେ ପ୍ରକୃତି ରଚିବ ଧ୍ବଂସର ବିଭିଷିକା ।
–ଜ୍ୟୋତିର୍ମୟୀ ସାହୁ
266 total views, 1 views today