#ସଂପର୍କର_ସେତୁ
ହୃଦୟର ସାଇତା ମଟାଳ ଭୂଇଁରେ
ଧରା ଛୁଇଁ ହୁଏ ବିଜ ଅଙ୍କୁରୋଦଗମ
ପ୍ରେମର ଉଷୁମ ସ୍ପର୍ଶରେ ହୋଇ ଆହ୍ଲାଦିତ
ପ୍ରସ୍ଫୁଟିତ ତନୁରେ ଖେଳେ ଆନନ୍ଦର ରାଗ ।
ଫଗୁଣର ରଙ୍ଗିନ୍ ଫଲ୍ଗୁ ବିଞ୍ଚି ହୋଇପଡେ
ତନୁର ଅଗଣାକୁ କରି ବିଧୌତ
ସେ ଛିଟାରେ ଅମଳିନ ଛିଟାର ରଙ୍ଗ
ଲାଗେ ଅଲିଭା ଅପୋଛା ରଙ୍ଗିନ୍ ଦାଗ।
ସେତୁ ପରେ ସେତୁ ବାନ୍ଧି ହୋଇ ଚାଲେ
କରି ଛନ୍ଦ ଅନେକ ସାଗରର ବକ୍ଷ
ସେ ନୀଳାଭ ଉର୍ମିପରେ ଲଙ୍ଘିଚାଲେ
ଅନେକ ବାଧାବିଘ୍ନର ବାଟ ତୁମ ସହ ।
ବିଶ୍ବାସ ସାଥେ ଦେଇ ବିଶ୍ବାସର ହାତ
ଡୋରିର ବନ୍ଧୁନକୁ କରି ସୁଦୃଢ
ସେ ଚଲାବାଟ ବି ଲାଗେ କୋମଳିତ
ଥାଉ ପଛେ କଣ୍ଟାଝଣ୍ଟା ଅନେକ ।
ସେ ପାଦର ଛାପ ଲାଗେନା ଅପରିତ
ଅଜଣା ବାଟେ ମିଳେ ଅନ୍ତିମ ସ୍ପର୍ଶ
କେଇ ପଦ ଭରଷାର ଶବ୍ଦ ସମୂହ
ସାଜନ୍ତି ମୋ ପାଇଁ ସୁରକ୍ଷା ବଳୟ ।
କେଉଁ ସଂପର୍କର ସେତୁ ବାନ୍ଧି ଦେଇଗଲ
ଜୀବନର ଅଙ୍କାବଙ୍କା ଆଶାର ଢେଉପରେ
ସ୍ୱପ୍ନର ପାବଚ୍ଛ ଉପରେ ହୁଏ ଉତ୍ଥାପିତ
ସେନେହର କୁସୁମିତ ପଙ୍କଜ ସୁଢଳେ ।
ସେ ନୁହେଁ ଋତୁର କୃଷ୍ଣଚୁଡା ଫୁଲ
ହୁଏନା ଅମଳିନ ତା ତନୁର ରଙ୍ଗ
ତା ସୁବାସର ମହକିତ ଇନ୍ଦ୍ରଫାଶ
ବାନ୍ଧେ ଅନୁରାଗର ଡୋରି ତୁମ ସହ।
ଲାଗେ ଅଲୋଡା ସେ ବାରି ଶ୍ରାବଣର
ଧୋଇ ଦେବାପାଇଁ ଯନ୍ତ୍ରଣା ଅଶ୍ରୁର
ବାଟଭୁଲି ଅଟକି ଯାଇଛନ୍ତି ନେତ୍ରେ
ଉପେକ୍ଷିତ ବେଦନାକୁ କରି ଅଟ୍ଟହାସ୍ୟ।
ମରୁଭୂମିର ଉଷୁମ ଚୋରାବାଲିର କଷ୍ଟ
ଅଟକାଇ ପାରେନା ମୋ ପାଦର ଅଭିଳାଷ
ଆଶ୍ରାର ହାତଧରି ଚାଲୁଥିବି ସେତେଯାଏଁ
ଅସ୍ତିତ୍ବର ଆଭାଷରେ ହୋଈ ଉନ୍ମାଦିତ।
–ଜ୍ୟୋତିର୍ମୟୀ ସାହୁ
240 total views, 1 views today