ପାଳଭୂତ
*******
ଅନ୍ତରର ବ୍ୟଥା ବଖାଣି ହୁଏନି କାହା ନିକଟରେ ଖୋଲି
ବଞ୍ଚିବାକୁ ହୁଏ ଅନ୍ୟ ଖୁସି ପାଇଁ ତିକ୍ତ ଅନ୍ତର୍ଦାହ ଭୁଲି
ଭରସା ଖୋଳପା ପିନ୍ଧିଥାଏ ସଦା ସ୍ବାଭିମାନ ରକ୍ଷା ପାଇଁ
ପରାହତ ମନ ଆଦରି ପ୍ରାରବ୍ଧ ଶୂନ୍ୟତାକୁ ରହେ ଚାହିଁ ।।
ମନ ଉପବନ ଅପ୍ରକାଶେ କେବେ ହୁଏ ପୁଣି ପ୍ରଜ୍ବଳିତ
ଝରୁଥାଏ କିନ୍ତୁ ହସର ଝରଣା ଓଠ ଧାରେ ଅବିରତ
ଖୁସି ଆଢୁଆଳେ ଲୁହ ମୁଁ ଲୁଚାଏ ସତେକି ନାହିଁ ବିରାଗ
ମୁଖା ତଳ ମୁହଁ ନିର୍ଲିପ୍ତେ ଦେଖଇ ଦୁନିଆର ସବୁ ରଙ୍ଗ ।।
ସମ୍ଭାଳି ନେଇଛି କର୍ତ୍ତବ୍ୟର ବୋଝ ଦୃଢ ଭାବେ ମଥା ପରେ
ତୁଚ୍ଛା ଅଭିନୟେ ବଞ୍ଚିବା ଶିଖିଛି ମିଛ ମାୟା ସଂସାରରେ
ଲୁକ୍କାୟିତ ମୋର କୋହର କାରୁଣ୍ୟ କାହାକୁ ବି ଦିଶେ ନାହିଁ
ତଥାପି ଚାହିଁଛି ପ୍ରତି ହୃଦୟରେ ଜାଗା ଟିକେ ନେବା ପାଇଁ ।।
ଦୁଃଖ ଅବା ସୁଖ ସବୁ ମୋ ନିଜସ୍ଵ ଏକା ଭଳି ଅଭିପ୍ରେତ
ବିଧିର ବିଧାନେ ଠିଆ ନିର୍ବିକାରେ ମୁହିଁ ପରା ପାଳଭୂତ ।।
# ସୁଦର୍ଶନ ମହାପାତ୍ର, କୁଞ୍ଜବିହାରୀ ଲେନ, କଟକ#