କବିତା -ପାଳଭୂତ
*****************
ଧାନ କିଆରିର ମାଟିର ଗନ୍ଧରେ
ପାଇଛି ଠିକଣା ମୋର,
ସୁନାର କ୍ଷେତରେ ନିତି ଖେଳୁଥାଏ
କେଡେ ଭାଗ୍ୟ ଅଟେ ମୋର।
ବିଶ୍ୱାସ ଯୋଗ୍ୟ ମୁଁ ଜୀବ ଠାରୁ ବୋଲି
ମାଆ କୋଳେ ସ୍ଥାନ ପାଏ,
ଭଙ୍ଗା ମାଠିଆର ସୁସ୍ଥ ମସ୍ତିଷ୍କ ମୋ
କେଡେ କାମ କରିଯାଏ।
ଖରା ,ବରଷାର ଖାତିରି କରେନି
ସୁରକ୍ଷାର ଦିଏ ଆଶା,
ମୋ ପାଇଁ ଯଦି କା ସେରକ ପୁରିବ
ଏହି ବ୍ରତ ହେଉ ନିଶା।
ନିର୍ଜୀବ ଦେହରେ ଏତେ ଶକ୍ତି ମୋର
ଜୀବ ଦେହେ କିମ୍ପା କାହିଁ
ମଣିଷ ହେଉକି ପଶୁଟିଏ ହେଉ
ତା,ଜୀବନେ ସାର୍ଥକ ନାହିଁ।
ନିରବ ଦ୍ରଷ୍ଟା ମୁଁ ନିରବରେ ରହି
କରେ ସବୁ ଅନୁଭବ,
ନିର୍ଜୀବ ହେଲେ ବି ଦେଖି ବୁଝିପାରେ
କୃଷକ ଅନ୍ତର ଭାବ।
ସୁନିତା ସାହୁ
ଗ୍ରାମ-ପଦ୍ମପୁର
ଜିଲ୍ଲା-ରାୟଗଡା