🙏ବନ୍ଦେ ଉତ୍କଳ ଜନନୀ🙏
*******************
ସବୁଠୁ ସୁନ୍ଦର ଜନନୀ ମୋହର
ପବିତ୍ର ଉତ୍କଳ ଭୂମି,
ମହୋଦଧି ନିତି ଫୁଲାଇ ତା’ ଛାତି
ଚରଣକୁ ଥାଏ ଚୁମି l
ସବୁଜ ବନାନୀ ନିର୍ଝରିଣୀ ପାଣି
କୋଇଲିର କୁହୁ ତାନ,
ମଳୟ ପବନ ଶିରି ଶିରି ବୋହେ
କିଣେ ସଭିଙ୍କର ମନ l
ଜନମ ଦେଇଛି କେତେ ସୁର ବୀର
ଇତିହାସ ଆଜି ସାକ୍ଷୀ,
ଗଙ୍ଗା ଠାରୁ ଯିଏ ଗୋଦାବରୀ ଯାଏଁ ସମ୍ମାନକୁ ଥିଲେ ରଖି l
ଅହିଂସାର ସ୍ୱର ଆଜି ବି ଶୁଭୁଛି
ଧଉଳି ସ୍ତୁପରେ ଶୁଣ,
ରକ୍ତରେ ରଞ୍ଜିତ ସେହି ଚଣ୍ଡାଶୋକ
ଦେଖାଇଲେ ଧର୍ମ ଗୁଣ l
ସୁମାତ୍ରା ବୋର୍ଣ୍ଣିଓ ଜାଭା ବାଲି ଦ୍ବୀପ
କହେ ସାଧବ କାହାଣୀ,
ସିଂହଳରୁ ଆସେ ପବନରେ ଭାସେ
ଉତ୍କଳ ପ୍ରଶଂସା ବାଣୀ l
ସଂସ୍କାର ସଂସ୍କୃତି କଳା ଭାସ୍କର୍ଯ୍ୟରେ
ବିଶ୍ୱରେ ରହିଛି ନାମ,
ସପ୍ତାଶ୍ଚର୍ଯ୍ୟ ମଧ୍ୟେ ରହିଛି କୋଣାର୍କ
ବିସ୍ମିତ ତାହାରି କାମ l
ସ୍ୱର୍ଗଦ୍ୱାର ଅଛି ପାଖରେ ତାହାର
ମର୍ତ୍ତ୍ୟର ବୈକୁଣ୍ଠ ପୁର,
ଭକ୍ତ ପାଇଁ ବଡ଼ଦାଣ୍ଡକୁ ଆସନ୍ତି
ଆମ କାଳିଆ ଠାକୁର l
*****************
✍️ପ୍ରଶାନ୍ତ କୁମାର ଶତପଥୀ